କନକ ବ୍ୟୁରୋ : ଘର ଅଗଣାରେ କୋଇଲା ଖଣି । ପ୍ରତିଦିନ ଭୟଙ୍କର ବିସ୍ଫୋରଣରେ ଚତୁର୍ଦ୍ଦିଗ ଥରି ଉଠୁଛି । ସ୍ଥାନୀୟ ଲୋକଙ୍କ ଘର ଭାଙ୍ଗିରୁଜି ଗଲାଣି । ତଥାପି ଲୋକେ ଏଠାରୁ ବିସ୍ଥାପିତ ହେଉନାହାଁନ୍ତି । କାରଣ କମ୍ପାନୀ ତରଫରୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉନାହିଁ । ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନଙ୍କର ବାରମ୍ବାର ଦ୍ୱାରସ୍ଥ ହେଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଝାରସୁଗୁଡ଼ା ଲଖନପୁର କୋଇଲା ଖଣି ଠାରୁ ଆରମ୍ଭ ହୋଇଥିବା ସମଲେଶ୍ୱରୀ ଖୋଲାମୁହଁ ଖଣି ଏବେ ବେଲପାହାଡ଼ ପୌରାଞ୍ଚଳରେ ପହଞ୍ଚିଲାଣି। ଘରଠାରୁ ମାତ୍ର ୫୦ ମିଟର ଦୂରରେ ଚାଲିଛି ପଥର ବ୍ଲାଷ୍ଟିଂ । ବିସ୍ଫୋରଣ ଯୋଗୁଁ କାହାର କାନ୍ଥ ଫାଟିଗଲାଣି ତ ଆଉ କାହାର ଆଜବେଷ୍ଟସ୍ ଉଠିଯାଇଛି । ଜାମକାନି, ମହୁଲପଡ଼ା, ମୁଚବାହାଲ ଗାଁରେ ବିସ୍ଫୋରଣ ଓ କୋଇଲା ଖନନ କରାଯାଉଛି । ପ୍ରଭାବରେ ସ୍ଥାନୀୟ ଲୋକଙ୍କ ଜୀବନ ଦୁର୍ବିସହ ହୋଇଯାଇଛି ।
ବିସ୍ଫୋରଣ ଯୋଗୁଁ ଖଣି ଅଂଚଳରେ ଥିବା ସ୍କୁଲ ଘର ଫାଟି ଆଁ କରିଛି । ପ୍ରତି ମୁହୂର୍ତ୍ତରେ ବିପଦ ଆଶଙ୍କା କରି ପିଲାଙ୍କୁ ସ୍କୁଲ ଛାଡୁନାହାନ୍ତି ଅଭିଭାବକ । ସରକାରଙ୍କ ରାଜସ୍ୱ ଆଦାୟ ଆଗରେ ସତେ ଯେମିତି ବନ୍ଧା ପଡ଼ିଯାଇଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । କୋଇଲା ପାଇଁ ପ୍ରତିଦିନ ପ୍ରାୟ ୩୦ଟି ସ୍ଥାନରେ ଏକାଥରେ ୫୦ କିଲୋ ର ଡିନାମାଇଟ୍ ବିସ୍ଫୋରଣ କରାଯାଉଛି ।
ଫଳରେ ଆଖପାଖ ୫ କି.ମି ପରିଧିରେ ଭୟଙ୍କର କମ୍ପନ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଝାରସୁଗୁଡା ଉପଜିଲ୍ଲାପାଳ କହିଛନ୍ତି ଏନେଇ ଏମସିଏଲ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି । ଦୀର୍ଘ ବର୍ଷ ବିତିଗଲେ ବି ବିସ୍ଥାପିତଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ। ବ୍ଲାଷ୍ଟିଂରେ ଘର ଗୁଡ଼ିକ ଭାଙ୍ଗି ଯିବାରୁ ଏମ୍ସିଏଲ୍ ତରଫରୁ କ୍ଷତିପୂରଣ ଦିଆଯାଉଛି । କିନ୍ତୁ ଯେତିକି କ୍ଷତିପୂରଣ ଦିଆଯାଉଛି ତାହା ଜମି ମୂଲ୍ୟ ଠାରୁ ଖୁବ୍ କମ୍ । ତେଣୁ ଲୋକମାନେ ଘର ଖାଲି କରୁନଥିବା କହିଛନ୍ତି ।