କନକ ବ୍ୟୁରୋ : ରାଜ୍ୟ ମାନ୍ୟତା ଦାବିରେ ଲଦାଖରେ ସୃଷ୍ଟି ହୋଇଥିବା ହିଂସାକୁ ନେଇ ସାରା ଦେଶରେ ଚର୍ଚ୍ଚା । ନେପାଳ ଭଳି ଲଦାଖରେ ଯୁବପିଢି ହିଂସାକାଣ୍ଡ ଘଟାଇଥିଲେ । ସ୍ଥିତି ନିୟନ୍ତ୍ରଣରେ ଥିଲେ ମଧ୍ୟ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ଏହି ହିଂସାକାଣ୍ଡ ପଛରେ କାରଣ କ’ଣ ? ଆଉ ଜେନ୍-ଜିଙ୍କ ଭୂମିକା କ’ଣ ଥିଲା
କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ । ଯେଉଁଠି ଦେଖିବେ ନିଆଁ ଆଉ ଧୂଆଁ। ରାଜ୍ୟ ମାନ୍ୟତା ଦାବିରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ହିଂସାର ରୂପ ନେବା ପରେ ଏଭଳି ସ୍ଥିତି ଉପୁଜିଛି । ନେପାଳ ବିକ୍ଷୋଭ ଭଳି ଏଠାରେ ମଧ୍ୟ ଜେନ-ଜି ତଥା ଯୁବପିଢ଼ି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ହାତରେ ବାଡ଼ି ଧରି ରାସ୍ତାରେ ବୁଲୁଛନ୍ତି । ପୋଡ଼ାଜଳା, ଟେକା ପଥର ମାଡ଼ ସହ ବ୍ୟାପକ ଭଙ୍ଗାରୁଜା ମଧ୍ୟ ହୋଇଛି । ସିଆରପିଏଫ୍ ଭ୍ୟାନ ସହ ଏକାଧିକ ସରକାରୀ ଗାଡ଼ିରେ ନିଆଁ ଲଗାଇଦେଇଛନ୍ତି ବିକ୍ଷୋଭକାରୀ । ପ୍ରବଳ ହିଂସାକାଣ୍ଡ ଯୋଗୁ ୪ ଜଣଙ୍କ ଜୀବନ ଯାଇଛି, ୮୦ରୁ ଅଧିକ ଆହତ ହୋଇଛନ୍ତି । ୫୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ଅଟକ ରଖାଯାଇଛି । ଆଜି ନିୟନ୍ତ୍ରଣାଧୀନ ଥିବା କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲେ ମଧ୍ୟ ସୁରକ୍ଷାକର୍ମୀ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ।
୨୦୧୯ରେ ଜମ୍ମୁ-କାଶ୍ମୀରଠୁ ଅଲଗା ହୋଇଥିଲା ଲଦାଖ । ସେତେବେଳେ ଏହି ବିକ୍ଷୋଭର ନେତୃତ୍ବ ନେଉଥିବା ସୋନମ ୱାଙ୍ଗଚୁକଙ୍କ ସହ ଲଦାଖବାସୀ ଏହାକୁ ସ୍ବାଗତ କରିଥିଲେ । କିନ୍ତୁ କିଛି ମାସରେ ଭିତରେ ଏକ ରାଜନୈତିକ ଶୂନ୍ୟତା ସୃଷ୍ଟି ହୋଇଥିଲା । କାରଣ ଲଦାଖରେ ଜମ୍ମୁ-କାଶ୍ମୀର ଭଳି ବିଧାନସଭା ନଥିଲା । ଉପରାଜ୍ୟପାଳ ଏଠାରେ ଶାସନ ଭାର ତୁଲାଇଥାନ୍ତି । ତେଣୁ ରାଜ୍ୟ ମାନ୍ୟତା ଦାବି କରିଆସୁଥିଲେ ଲଦାଖବାସୀ । ୨୦୨୪ରେ ରାଜ୍ୟ ମାନ୍ୟତା ଦାବିରେ ନୂଆଦିଲ୍ଲୀକୁ ପଦଯାତ୍ରା କରିଥିଲେ ସୋନମ ୱାଙ୍ଗଚୁକ୍ଙ୍କ ସହ ଶତାଧିକ ପ୍ରଦର୍ଶନକାରୀ । ଏହି ୪ ମୁଖ୍ୟ ଦାବିକୁ ନେଇ ୩୫ ଦିନ ଧରି ଅନଶନରେ ବସିଥିବା ଦୁଇ ପ୍ରଦର୍ଶନକାରୀ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାତିଥିଲେ ଯୁବପିଢ଼ି ତଥା ଜେନ୍-ଜି । ବିକ୍ଷୋଭ ହିଂସାର ରୂପ ନେବା ପରେ ଅନଶନ ଭାଙ୍ଗିଛନ୍ତି ୱାଙ୍ଗଚୁକ୍ ।
ଉତ୍ତେଜନାମୂଳକ ବୟାନ, ରାଜନୈତିକ ଭାବେ ପ୍ରେରିତ ବ୍ୟକ୍ତିବିଶେଷ ଯୋଗୁ ଏଭଳି ହିଂସା ହୋଇଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଲଦାଖ ଉପରାଜ୍ୟପାଳ କଭିନ୍ଦର ଗୁପ୍ତା ହିଂସା ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି । ତେବେ ଆନ୍ଦୋଳନକାରୀ ଦାବି ଉପରେ ଆଲୋଚନା ଜାରି ରହିଛି ।
ଲଦାଖ ହିଂସା ଘଟଣାରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ । ବିକ୍ଷୋଭକାରୀଙ୍କ ନେତା ତଥା ପରିବେଶ ଅଧିକାର କର୍ମୀ ସୋନମ ୱାଙ୍ଗଚୁକଙ୍କ ଏନଜିଓ ଲାଇସେନ୍ସ ବାତିଲ । ନିୟମ ଉଲଙ୍ଘନ ଅଭିଯୋଗରେ ୱାଙ୍ଗଚୁକ୍ଙ୍କ ‘ଷ୍ଟୁଡେଣ୍ଟ ଏଜୁକେସନାଲ ଏବଂ କଲଚରାଲ ମୁଭମେଣ୍ଟ ଅଫ ଲଦାଖ’ ର ଏଫସିଆରଏ ଲାଇସେନ୍ସ ବାତିଲ କରିଦିଆଯାଇଛି । ଯାହାଦ୍ବାରା ତାଙ୍କ ଏନଜିଓ ଆଉ ବିଦେଶରୁ ଅର୍ଥ ପାଇପାରିବ ନାହିଁ । ତାଙ୍କ ଏନଜିଓ ୨୦୨୨ ଏବଂ ୨୦୨୪ରେ ବିଦେଶରୁ ୨ କୋଟି ୩୦ ଲକ୍ଷ ଟଙ୍କା ପାଇଥିଲା । ଅଜଣା ବ୍ୟକ୍ତିଙ୍କ ଜରିଆରେ ଟଙ୍କା ତାଙ୍କ ଆକାଉଣ୍ଟକୁ ଆସୁଥିଲା । ଯାହା ବେଆଇନ ଅର୍ଥ ହେରଫେର ନେଇ ସନ୍ଦେହ ସୃଷ୍ଟି କରିଥିଲା । ଲଦାଖ ହିଂସା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏନଜିଓକୁ ଆସୁଥିବା ଅର୍ଥ ରାଶି ୱାଙ୍ଗଚୁକ୍ଙ୍କ ନିଜ ବ୍ୟକ୍ତିଗତ ଏବଂ ଜଏଣ୍ଟ ଆକାଉଣ୍ଟକୁ ଆସୁଥିବା କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଯାହା ଏଫସିଆରଏ ୨୦୧୦ ନିୟମର ଉଲଙ୍ଘନ କରିଛି । ସୋନମଙ୍କ ୯ ଟି ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟ ଥିବା ବେଳେ ସେଥିରୁ ୮ ଟି ଆକାଉଣ୍ଟ ଗୋପନ ରଖାଯାଇଥିଲା ।