କନକ ବ୍ୟୁରୋ : ପଦ୍ମପୁରରେ ଲଜ୍ଜା । ଜଙ୍ଗଲ ଭିତରୁ ମିଳିଲା ୫ ବର୍ଷର ନାବାଳିକାର କ୍ଷତବିକ୍ଷତ ମୃତଦେହ । ମୃତଦେହ ଉଲଗ୍ନ ଅବସ୍ଥାରେ ଉଦ୍ଧାର କରାଯାଇଛି । ପାଇକମାଳ ସୋଢା ନିକଟ ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ମିଳିଛି । ଘଟଣା ବାବଦରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଡଗ୍ ସ୍କ୍ୱାର୍ଡ ସହ ସାଇଣ୍ଟିଫିକ୍ ଟିମକୁ ଧରି ଛାନଭିନ କରୁଛି । ଏନେଇ ପରିବାର ଲୋକେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ସେପଟେ ସଂପୃକ୍ତ ମାମଲାରେ ପୋଲିସ ସନ୍ଦେହରେ ଜଣକୁ ରଖି ପଚରାଉଚରା କରୁଛି ।
ସୂଚନା ମୁତାବକ ମୃତ ନାବାଳିକାର ଘରେ ଜଣେ ଲୋକ ରହି କାମ କରୁଥିଲା । ସେହି ବ୍ୟକ୍ତିଜଣଙ୍କ ଆଜି ନାବାଳିକାଙ୍କୁ ମାଛ ଧରିବାକୁ ଡାକିନେଇଯାଇଥିଲା । କିଛି ସମୟ ପରେ ବ୍ୟକ୍ତିଜଣଙ୍କ ଘରକୁ ଫେରିଥିଲେ ବି ନାବାଳିକା ଜଣଙ୍କ ଫେରି ନଥିଲା । ଏନେଇ ପରିବାର ଲୋକ ସେହି ବ୍ୟକ୍ତିଙ୍କୁ ଝିଅ ବାବଦରେ ପଚାରିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲା । ତାର କିଛି ସମୟ ପରେ ଖୋଜା ଖୋଜି କରି ସୋଢା ଜଙ୍ଗଲ ଭିତରୁ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି ।