କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେବ ଆଇପିଏଲ ମହାସମର । ଏଥର ଟୁର୍ଣ୍ଣାମେଣ୍ଟରେ ସୁପରଷ୍ଟାରମାନଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଆଉ କିଛି ଏମିତି ଖେଳାଳିଙ୍କ ଉପରେ ବି ନଜର ରହିବ ଯେଉଁମାନେ ଅନକ୍ୟାପ୍ଡ୍ ଆଉ ଏହି ବଡ ମଞ୍ଚରେ କମାଲ କରିବାକୁ ପ୍ରସ୍ତୁତ ହୋଇଅଛନ୍ତି । ସବୁ ସିଜନରେ ଆଇପିଏଲରେ କିଛି ଏମିତି ନୂଆ ପ୍ରତିଭା ସାମ୍ନାକୁ ଆସିଛନ୍ତି ଯେଉଁମାନେ ରାତାରାତି ହିରୋ ହୋଇଯାଆନ୍ତି । ତେବେ ଆଜି ଆମେ ସେମିତି କିଛି ଯୁବ ପ୍ରତିଭାଙ୍କ ଉପରେ ନଜର ପକାଇବା ଯେଉଁମାନଙ୍କ ଉପରେ ଏବେ ସମସ୍ତଙ୍କ ନଜର ।

Advertisment

ମୁଶିର ଖାନ୍ 
୨୦ ବର୍ଷିୟ ମୁଶିର ଖାନ୍ ୩୦ ଲକ୍ଷ ଟଙ୍କାରେ ପଞ୍ଜାବ କିଙ୍ଗସ ଦଳରେ ସାମିଲ ହୋଇଛନ୍ତି । ସେ ଡାହାଣହାତୀ ଟପ ଅର୍ଡର ବ୍ୟାଟ୍ସମ୍ୟାନ ଭାବେ ପରିଚିତ । ଏହାସହ ବାମହାତୀ ସ୍ପିନ୍ ବୋଲିଂ ମଧ୍ୟ କରିଥାନ୍ତି । ସରଫରାଜ ଖାନଙ୍କ ସାନ ଭାଇ ମୁଶିର ଖାନ୍ ୨୦୨୪ ଅଣ୍ଡର ୧୯ ବିଶ୍ୱକପରେ ଚର୍ଚ୍ଚାକୁ ଆସିଥିଲେ । ସେ ଗତ ବର୍ଷ ମୁମ୍ୱାଇ ପାଇଁ ଦ୍ୱିଶତକ ହାସଲ କରି ଦମଦାର ଭାବେ ନିଜ ରଣଜୀ କ୍ୟାରିୟର ଆରମ୍ଭ କରିଥିଲେ । ନୂଆ କ୍ୟାପଟେନ୍ ଶ୍ରେୟସ ଆୟର ଆଉ କୋଚ ରିକି ପଣ୍ଟିଂ ତାଙ୍କୁ ମଧ୍ୟକ୍ରମରେ ସାମିଲ କରିପାରନ୍ତି । ସେ ସ୍ପିନ ଅନୁକୂଳ ପିଚରେ ପଞ୍ଚମ ବୋଲିଂ ଅପ୍ସନ ଭାବେ କାମ କରିପାରନ୍ତି । 

ରବିନ ମିଞ୍ଜ୍
ନିଜ ବିସ୍ଫୋଟକ ବ୍ୟାଟିଂ ପାଇଁ ପରିଚିତ ରବିନ ମିଞ୍ଜ କିଛି ଓଭରରେ ଖେଳରେ ଗତି ବଦଳାଇ ଦେଇପାରନ୍ତି । ବାମହାତୀ ଓ୍ୱିକେଟକିପର ବ୍ୟାଟ୍ସମ୍ୟାନ ରବିନ୍ ମିଞ୍ଜଙ୍କୁ ମୁମ୍ୱାଇ ୬୫ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି । ଏଥର ଇଶାନ କିଷାନ ଦଳରେ ନଥିବାରୁ ମିଞ୍ଜଙ୍କୁ ତାଙ୍କ ସ୍ଥାନ ମିଳିପାରେ । ଏହି ୨୨ ବର୍ଷିୟ ଖେଳାଳି ଏବେ ଯାଏଁ ମାତ୍ର ୨ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି, ହେଲେ ଝାଡଖଣ୍ଡ ପାଇଁ ଏଜ୍ କ୍ୟାଟାଗୋରୀ ଟୁର୍ଣ୍ଣାମେଣ୍ଟରେ ନିଜ ପ୍ରତିଭା ଦେଖାଇସାରିଛନ୍ତି । 

ସି ଆନ୍ଦ୍ରେ ସିଦ୍ଧାର୍ଥ 
୧୮ ବର୍ଷିୟ ଆନ୍ଦ୍ରେ ସିଦ୍ଧାର୍ଥ ଘରୋଇ କ୍ରିକେଟର ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ଏକ ପଡକାଷ୍ଟରେ ପୂର୍ବ ଭାରତୀୟ ସ୍ପିନର ଆର ଅଶ୍ୱିନୀ ତାଙ୍କର ପ୍ରଶଂସା କରିଥିଲେ । ଋତୁରାଜ ଗାଏକ୍ୱାର୍ଡଙ୍କ ଅଧିନାକତ୍ୱ ଓ ଏମଏସ ଧୋନୀଙ୍କ ତତ୍ତ୍ୱାବଧାନରେ ସିଦ୍ଧାର୍ଥ ସିଏସକେ ମାହୋଲରେ ଭଲ ପ୍ରଦର୍ଶନ କରିପାରିବେ । ବର୍ତ୍ତମାନ ସିଏସକେ ବ୍ୟାଟିଂ ଲାଇନ୍ ଅପ୍ ଦେଖିଲେ ଲାଗୁଛି ତାଙ୍କୁ ସୁଯୋଗ କମ ମିଳିପାରେ । ହେଲେ ଯେତେବେଳେ ବି ମିଳିବ ସେ ଭରପୂର ଫାଇଦା ଉଠାଇବେ । 

ସମୀର ରିଜଭି୍ 
ନିଜ ଦୁର୍ଦ୍ଦଶ ବ୍ୟାଟିଂ ପାଇଁ ପରିଚିତ ସମୀର ରିଜଭି୍ ଏଥର ଦିଲ୍ଲୀ କ୍ୟାପିଟାଲ ଦଳରେ ସାମିଲ ହୋଇଛନ୍ତି । ୨୧ ବର୍ଷିୟ ରିଜଭି୍  ୨୦୨୩ରେ ଉତ୍ତର ପ୍ରଦେଶ ଟି-୨୦ ଲିଗରେ ୧୮୮.୮୦ ଷ୍ଟ୍ରାଇକ ରେଟରେ ସେ ମାତ୍ର ୯ ମ୍ୟାଚରେ ୪୫୫ ରନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସେ ୩୫ ଛକା ଲଗାଇଥିଲେ । ଏହାସହ ଦ୍ରୁତତମ ଶତକ ବି ହାସଲ କରିଥିଲେ । ଏହି ସାନଦାର ଫର୍ମ ପାଇଁ ତାଙ୍କୁ ଚେନ୍ନାଇ ୨୦୨୪ରେ ୮.୪ କୋଟିରେ ଦଳରେ ସାମିଲ କରିଥିଲା । ହେଲେ ନିଜ ଡେବ୍ୟୁ ସିଜିନରେ ଏତେଟା ପ୍ରଭାବୀ ବ୍ୟାଟିଂ କରିପାରିନଥିଲେ ।

 ଅଶୁଂଲ କମ୍ୱୋଜ 
ହରିୟାଣାର ଜଣେ ଉଦୀୟମାନ ଖେଳାଳି ହେଉଛନ୍ତି ଅଂଶୁଲ କମ୍ୱୋଜ । ତାଙ୍କୁ ଏଥର ଚେନ୍ନାଇ ସୁପର କିଙ୍ଗସ ୩.୪୦ କୋଟି ଟଙ୍କାରେ ଦଳରେ ସାମିଲ କରିଛି । ୨୪ ବର୍ଷିୟ କମ୍ୱୋଜ ନୂଆ ବଲରେ ଉଭୟ ପଟକୁ ସ୍ୱିଙ୍ଗ୍ କରିପାରନ୍ତି । ତାଙ୍କ ହାଇଟ୍ ପାଇଁ ପିଚରେ ତାଙ୍କୁ ଅତିରିକ୍ତ ବାଉନ୍ସ ମିଳିଥାଏ । ଯାହା ବ୍ୟାଟ୍ସମ୍ୟାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥାଏ । ନଭେମ୍ୱର ୨୦୨୪ରେ କମ୍ୱୋଜଙ୍କ କ୍ୟାରିୟରରେ ଏକ ଐତିହାସିକ କ୍ଷଣ ଆସିଥିଲା । ଯେତେବେଳେ ରଣଜୀ ଟ୍ରଫି ଇତିହାସରେ ଗୋଟିଏ ପାଳିରେ ସମସ୍ତ ୧୦ ୱିକେଟ୍ ନେଇ ସେ ରେକର୍ଡ ସୃଷ୍ଟି କରିଥିଲେ । ତେବେ ଏଥର ସେ ଚେନ୍ନାଇ ପାଇଁ ଲକି ସାବ୍ୟସ୍ତ ହୋଇପାରନ୍ତି । 

ବୈଭବ ସୂର୍ଯ୍ୟବଂଶୀ
ବିହାରର ୧୩ ବର୍ଷିୟ ପ୍ରତିଭାଶାଳୀ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଏଥର ରାଜସ୍ଥାନ ୧.୧୦ କୋଟିରେ ଦଳରେ ସାମିଲ କରିଛି । ବୈଭବ ଆଇପିଏଲରେ ସବୁଠାରୁ କମ ବୟସର ଖେଳାଳି ଭାବେ ଚର୍ଚ୍ଚା ସାଉଁଟିଛନ୍ତି । ବୈଭବ ଭାରତୀୟ ଅଣ୍ଡର ୧୯ ଟିମରେ ଖେଳି ଅଷ୍ଟ୍ରେଲିଆ ବିପକ୍ଷରେ ୫୮ ବଲରେ ଶତକ ହାସଲ କରିଥିଲେ । ସେ ବିଜୟ ହଜାରେ ଟ୍ରଫିରେ ୪୨ ବଲରୁ ୭୧ ରନର ପାଳି ଖେଳିଥିଲେ । ବୈଭବ ରାଜସ୍ଥାନ ଟିମରେ ରାହୁଲ ଦ୍ରାବିଡଙ୍କ କୋଚିଂରେ ରହିବେ । ଆଉ ସେଠାରେ ସେ ଭଲ ସୁଯୋଗ ପାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।