କନକ ବ୍ୟୁରୋ: ପ୍ୟାରିସ ପାରା ଅଲିମ୍ପିକ୍ସରେ ଚମକୁଛନ୍ତି ଭାରତୀୟ । ଷଷ୍ଠ ଦିନରେ ଭାରତକୁ ମିଳିଛି ୫ଟି ପଦକ । ଏଥିସହ ଚଳିତ ପାରା ଅଲିମ୍ପିକ୍ସରେ ଭାରତର ମୋଟ ପଦକ ସଂଖ୍ୟା ୨୦ରେ ପହଞ୍ଚିଛି । ମଙ୍ଗଳବାର ଜାଭଲିନ, ହାଇଜମ୍ପ ଓ ୪୦୦ ମିଟର ଦୌଡ଼ରୁ ଦେଶକୁ ପଦକ ମିଳିଛି । ଗତ ଟୋକିଓ ପାରା ଅଲିମ୍ପିକ୍ସରେ ଭାରତ ମୋଟ ୧୯ଟି ପଦକ ଜିତିଥିବା ବେଳେ ପ୍ୟାରିସରେ ଷଷ୍ଠ ଦିନରେ ହିଁ ଏହି ରେକର୍ଡ ଭାଙ୍ଗି ଯାଇଛି । ଏଥିସହ ମୋଟ ପଦକ ଜିତିବାରେ ଏହା ହେଉଛି ଭାରତର ସର୍ବକାଳୀନ ରେକର୍ଡ । ମଙ୍ଗଳବାର ୫ଟି ପଦକ ମିଳିଥିବା ବେଳେ ଏଥିରେ ରହିଛି ୨ଟି ରୌପ୍ୟ ଓ ୩ କାଂସ୍ୟ । ପ୍ରଥମେ ୪୦୦ ମିଟର ଦୌଡ଼ରୁ ଦେଶକୁ ପଦକ ମିଳିଥିଲା । ଦୀପ୍ତି ଜୀବନଜୀ ପଦାର୍ପଣ ମ୍ୟାଚରେ କାଂସ୍ୟ ପଦକ ଜିତିଥିଲେ । ଏହାପରେ ପୁରୁଷ ଉଚ୍ଚ ଡିଆଁରେ ଶରଦ କୁମାର ରୌପ୍ୟ ପଦକ ହାସଲ କରିଥିଲେ । ସେ ୧.୮୮ ମିଟର ଡେଇଁ ବ୍ୟକ୍ତିଗତ ରେକର୍ଡ କରିଛନ୍ତି । ସେହିପରି ମାରିୟାପାନ ଥଙ୍ଗାଭେଲୁ ୧.୮୫ ମିଟର ଡେଇଁ କାସ୍ୟ ପଦକ ଜିତିଥିବା ବେଳେ ଜାଭଲିନରେ ଦୁଇଟି ପଦକ ମିଳିଛି । ଅଜିତ ସିଂହଙ୍କୁ ରୌପ୍ୟ ଓ ସୁନ୍ଦର ସିଂହ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି ।