କନକ ବ୍ୟୁରୋ: ରୋହିତ ଶର୍ମାଙ୍କ ସନ୍ନ୍ୟାସ, ପରେ ବିରାଟଙ୍କ ସନ୍ନ୍ୟାସ । ଏବେ କିଏ ହେବ ଟିମ୍ ଇଣ୍ଡିଆର ଟେଷ୍ଟ ଅଧିନାୟକ? ଭାରତୀୟ କ୍ରିକେଟ ଏବେ ଏହି ପ୍ରଶ୍ନ ଭିତରେ ଛନ୍ଦି ହୋଇଯାଇଛି । ରୋହିତଙ୍କ ଅବସର ପରେ ଏବେ ଅଧିନାୟକ ପାଇଁ ଅନେକ ଦାବିଦାର ଅଛନ୍ତି । ଆଉ ଏବେ ୫ ଜଣଙ୍କ ନାଁ ବି ସାମ୍ନାକୁ ଆସିଛି । ସେମାନେ ହେଲେ ବୁମରାହ, ଗିଲ, ପନ୍ତ, ରାହୁଲ ଆଉ ଜାଡେଜା । ଶୁଭମନ ଗିଲ, ଋଷଭ ପନ୍ତ ଆଇପିଏଲରେ ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି । ସେହିପରି କେଏଲ ରାହୁଲ ଓ ଯଶପ୍ରିତ ବୁମରାହ ଟିମ ଇଣ୍ଡିଆର ଟେଷ୍ଟ ଅଧିନାୟକ ପଦ ସମ୍ଭାଳି ସାରିଛନ୍ତି । ଆଉ ବୟସ ହିସାବରେ ରବିନ୍ଦ୍ର ଜାଡେଜା ଟିମ ଇଣ୍ଡିଆରେ ଏବେ ବରିଷ୍ଠ ଖେଳାଳି । ତେବେ ଦେଖିବାକୁ ଗଲେ ଏଭଳି ଭାବେ ଏହି ୫ ଖେଳାଳି ଦାବିଦାର ଅଛନ୍ତି । 

Advertisment

ଭାରତକୁ ଇଂଲଣ୍ଡ ଗସ୍ତରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ମ୍ୟାଚ ଖେଳିବାର ଅଛି । ଏଥିପାଇଁ ମେ’ ୨୩ ସମ୍ଭାବ୍ୟ ଦଳ ଘୋଷଣା ହୋଇପାରେ । 

ଯଶପ୍ରିତ ବୁମରାହ 
୩୧ ବର୍ଷୀୟ ବୁମରାହ ଇଂଲଣ୍ଡ ବିପକ୍ଷରେ ଅଧିନାୟକ ରହିସାରିଛନ୍ତି । ସେହିପରି ଅଷ୍ଟ୍ରେଲିଆ ଗସ୍ତରେ ପ୍ରଥମେ ସିଡନୀ ପରେ ପର୍ଥରେ ଭାରତର ମଙ୍ଗ ସମ୍ଭାଳିଥିଲେ । ତେବେ ଇଣ୍ଡିଆର ଟେଷ୍ଟ ଅଧିନାୟକ ହେବା ପାଇଁ ବୁମରାହ ଏକ ନମ୍ୱର ଦାବିଦାର । ହେଲେ ସେ ଏବେ ଆହତ ହୋଇଛନ୍ତି । 

ଶୁଭମନ ଗିଲ୍
୨୫ ବର୍ଷୀୟ ଶୁଭମନ ଗିଲ ଆଇପିଏଲରେ ଗୁଜରାଟ ଟାଇଟନ୍ସ ପାଇଁ ଅଧିନାୟକତ୍ୱ କରୁଛନ୍ତି । ସେ ୨୦୧୮ରେ ଅଣ୍ଡର-୧୯ରେ ଟିମ ଇଣ୍ଡିଆର ଉପ-ଅଧିନାୟକ ରହିଥିଲେ । ନିକଟରେ ଗମ୍ଭୀରଙ୍କ ସହ ଗିଲଙ୍କ ଭେଟ ଏହି ଚର୍ଚ୍ଚାକୁ ଆହୁରି ମଜବୁତ କରିଦେଇଛି । 

ଋଷଭ ପନ୍ତ 
ଅଧିନାୟକ ମାମଲାରେ ପନ୍ତ ସବୁଠୁ ଆଗରେ ରହିଛନ୍ତି । ବର୍ତ୍ତମାନ ସେ ଆଇପିଏଲରେ ଲକ୍ଷ୍ନୌ ଦଳର ଅଧିନାୟକ ରହିଛନ୍ତି । ଏହାପୂର୍ବରୁ ଦିଲ୍ଲୀ କ୍ୟାପିଟାଲର ଅଧିନାୟକ ରହିଥିଲେ । ଆଉ ଟେଷ୍ଟରେ ତାଙ୍କ ପ୍ରଦର୍ଶନ ବି ବେଶ ଦମଦାର ରହିଛି । ତେଣୁ ତାଙ୍କୁ ବି ପ୍ରମୁଖ ଦାବିଦାର କୁହାଯାଉଛି । 

କେଏଲ ରାହୁଲ 
ଆଇପିଏଲ ଓ ଟିମ ଇଣ୍ଡିଆ ଉଭୟରେ ଅଧିନାୟକ ଦାୟିତ୍ୱ ସମ୍ଭାଳି ସାରିଛନ୍ତି କେଏଲ ରାହୁଲ । ୧୨ ଦିନିକିଆ ଓ ୩ ଟେଷ୍ଟରେ ସେ ଭାରତର ମଙ୍ଗ ଧରିଥିଲେ । ଦେଖିବାକୁ ଗଲେ ସମସ୍ତଙ୍କଠାରୁ ଅଧିନାୟକତ୍ୱରେ ରାହୁଲଙ୍କ ଅଭିଜ୍ଞତା ଅଧିକ ରହିଛି । 

ରବିନ୍ଦ୍ର ଜାଡେଜା 
ବର୍ତ୍ତମାନ ଦେଖିବାକୁ ଗଲେ ଟିମ ଇଣ୍ଡିଆରେ ରୋହିତ, କୋହଲିଙ୍କ ପରେ ଜାଡେଜା ଏକମାତ୍ର ବରିଷ୍ଛ ଓ ଅଭିଜ୍ଞ ଖେଳାଳି । ତେଣୁ ତାଙ୍କୁ ଟେଷ୍ଟ ଅଧିନାୟକ ଦାୟିତ୍ୱ ମିଳିପାରେ । ନିକଟରେ ରବିଚନ୍ଦ୍ରନ ଅଶ୍ୱିନୀ ବି ଜାଡେଜାଙ୍କୁ ଅଧିନାୟକ ଦାୟିତ୍ୱ ମିଳୁ ବୋଲି କହିଥିଲେ ।