କନକ ବ୍ୟୁରୋ; ଜିଲ୍ଲାରେ ଏକ ନବନିର୍ମିତ ରାସ୍ତା ସ୍ଥାନୀୟ ଲୋକଙ୍କ ପାଇଁ ସୁବିଧା ବଦଳରେ ସମସ୍ୟାର କାରଣ ପାଲଟିଛି । ରାସ୍ତାଟି ଏତେ ଚିକ୍କଣ ଏବଂ ଖସଡ଼ା ଯେ ମାତ୍ର ଏକ ଘଣ୍ଟା ମଧ୍ୟରେ ଏକାଧିକ ଦୁର୍ଘଟଣା ଘଟିଯାଇଛି । ସୂଚନା ଅନୁଯାୟୀ, ଏହି ରାସ୍ତାରେ ଗୋଟିଏ ପରେ ଗୋଟିଏ ପାଞ୍ଚଟି ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ପ୍ରାୟ ୧୦ରୁ ୧୨ ଜଣ ଲୋକ ଆହତ ହୋଇଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି  ଏବଂ ଲୋକମାନେ ରାସ୍ତା ନିର୍ମାଣର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । 

Advertisment

ଏହି ଘଟଣା ପାଲଘର ଜିଲ୍ଲାର ସଫାଲେ ଅଞ୍ଚଳର । ସ୍ଥାନୀୟ ପୂର୍ତ୍ତ ବିଭାଗ  ଦ୍ୱାରା ନିକଟରେ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । କିନ୍ତୁ ନିର୍ମାଣର କିଛି ଦିନ ପରେ ହିଁ ଏହାର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ସାମ୍ନାକୁ ଆସିଛି। ରାସ୍ତାଟି ଏତେ ଚିକ୍କଣ ହୋଇଯାଇଛି ଯେ ବର୍ଷା ହେବା ପରେ ଏହା ଆହୁରି ବିପଦଜ୍ଜନକ ପାଲଟିଥିଲା ।
 ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେମାନେ ଅଭିଯୋଗ କରିଛନ୍ତି ଯେ ରାସ୍ତା ନିର୍ମାଣରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଛି, ଯେଉଁଥିପାଇଁ ରାସ୍ତାଟି ଏତେ ଖସଡ଼ା ହୋଇଯାଇଛି । ଠିକାଦାର ଏବଂ ସମ୍ପୃକ୍ତ ବିଭାଗର ଅବହେଳା ଯୋଗୁଁ ଲୋକଙ୍କ ଜୀବନ ବିପଦରେ ପଡ଼ିଛି ବୋଲି ସେମାନେ କହିଛନ୍ତି । କ୍ରୋଧିତ ଲୋକମାନେ ରାସ୍ତାରେ ଏକାଠି ହୋଇ ପ୍ରତିବାଦ କରିଥିଲେ ଏବଂ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

ଶୁକ୍ରବାର ଦିନ ସାମାନ୍ୟ ବର୍ଷା ହେବା ପରେ ରାସ୍ତା ଉପରେ ଯାଉଥିବା ବାଇକ୍ ଚାଳକମାନେ ନିୟନ୍ତ୍ରଣ ହରାଇ ଖସି ପଡ଼ିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗୋଟିଏ ଘଣ୍ଟା ମଧ୍ୟରେ ପାଞ୍ଚରୁ ଅଧିକ ବାଇକ୍ ସମାନ ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାଗୁଡ଼ିକରେ ମହିଳା ଓ ଶିଶୁଙ୍କ ସମେତ ୧୦ରୁ ୧୨ ଜଣ ଆହତ ହୋଇଥିଲେ । ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିଛି ଆହତଙ୍କୁ ଗୁରୁତର ଆଘାତ ଲାଗିଥିବା ଜଣାପଡିଛି।