କନକ ବ୍ୟୁରୋ: ଗୋଟିଏ ପଟେ ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ ଚାଲିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଅଛନ୍ତି, ଏତିକିବେଳେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ପୁଣି ଥରେ ଧମକ ଦେବା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏଥର ଭିଡିଓ ଜାରି ନକରି ସାମ୍ବାଦିକଙ୍କ ନିକଟକୁ ମେଲ ଜରିଆରେ ଧମକ ପୂର୍ଣ୍ଣ ଅଡିଓ ପଠାଇଛି ପନ୍ନୁ। ହେଲେ, ଏହି ଅଡିଓ ସତ ନା ମିଛ ତାର ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଂଚ।
ଡିଜପି ସମ୍ମିଳନୀକୁ ନେଇ ଭିଡିଓ ଜାରି କରିବାର ଦିନକ ପରେ ସାମ୍ବାଦିକଙ୍କୁ ମେଲ ପଠାଇ ଧମକ ଦେଇଛି ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ। ତେବେ ଏଥର ଭିଡିଓ ଜାରି କରି ନୁହେଁ, ସାମ୍ବାଦିକଙ୍କୁ ଏକ ଅଡିଓ କ୍ଲିପ୍ ମେଲ କରି ଆକ୍ରମଣ କରିବାକୁ ଧମକ ଦେଇଛି। ଯେଉଁଥିରେ ମୋଦୀଙ୍କୁ ହିନ୍ଦୁ ଆତଙ୍କବାଦୀ କହିବା ସହ ଡିସେମ୍ବର ୧ତାରିଖରେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଉଡାଣ ନ ଭରିବାକୁ କହିଛି ପନ୍ନୁ।
ଖଲିସ୍ତାନୀ ଆତଙ୍କବାଦୀ ଧମକ ପରେ ଭୁବନେଶ୍ୱରର ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ବିମାନବନ୍ଦର, ଲୋକସେବା ଭବନ, ରାଜ୍ୟ ଅତିଥିଭବନ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ଅତିରିକ୍ତ ସୁରକ୍ଷା ବଳଙ୍କୁ ନିୟୋଜିତ କରାଯାଇଛି। ଡଗ ସ୍କ୍ୱାର୍ଡ ଜରିଆରେ ତନ ତନ କରି ଯାଂଚ କରାଯାଇଛି। ବିମାନବନ୍ଦର ବାହାରେ ରଖାଯାଇଥିବା ଏକ ଅଜଣା ବ୍ୟାଗର ମଧ୍ୟ ଯାଂଚ କରାଯାଇଛି।
ଗୋଟିଏ ପଟେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିବାବେଳେ ଆଉ ଗୋଟିଏ ପଟେ ସାମ୍ବାଦିକଙ୍କୁ ଆସିଥିବା ମେଲର ସତ୍ୟାସତ୍ୟ ଯାଂଚ କରିଛି କ୍ରାଇମବ୍ରାଂଚ। ଆସିଥିବା ମେଲ କିଏ ପଠାଇଛି ଓ କେଉଁଠୁ ଆସିଛି ? ପନ୍ନୁ ପାଇଁ ଓଡ଼ିଶାରୁ କିଏ କାମ କରୁଛି କି? ପନ୍ନୁଙ୍କ ପାଇଁ ଓଡ଼ିଆରେ ଲେଖିଲା କିଏ? ଓଡ଼ିଶାରେ ସକ୍ରିୟ ଅଛନ୍ତି କି ଖଲିସ୍ତାନୀ ସମର୍ଥକ? ଏସବୁର ଯାଂଚ କରିଛନ୍ତି ଅଧିକାରୀ।
ଡିଜିପି ସମ୍ମିଳନୀ ଆରମ୍ଭ ପୂର୍ବରୁ ଭିଡିଓ ଜାରି କରି ଭଣ୍ଡୁର କରିବାକୁ ଉଦ୍ୟମ କରିଥିଲା ଆତଙ୍କବାଦୀ ପନ୍ନୁ । ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲା । ଟେମ୍ପୁଲ ସିଟିକୁ ଟେରର ସିଟି ବୋଲି କହିଥିଲା । ଆଉ ଏବେ ଲୋକସେବା ଭବନ ଓ ବିମାନବନ୍ଦରକୁ ଆକ୍ରମଣ କରିବାକୁ ଧମକ ଦେଇଛି ।