କନକବ୍ୟୁରୋ : ବିଏମ୍ ସି (ଭୁବନେଶ୍ୱର ମହାନଗର ନିଗମ) ଅଞ୍ଚଳରେ ୪୭,୧୨୬ଜଣ ବୁଲା କୁକୁର ଥିବା ନେଇ ସୂଚନା ଦିଆଯାଇଛି । ରାଜ୍ୟରେ ପ୍ରଥମ ଥର ପାଇଁ ବିଏମ୍ ସି ପକ୍ଷରୁ ବୁଲା କୁକୁର ଗଣନା କରାଯାଇଛି। ଗତ ସେପ୍ଟେମ୍ବର ୧୮ରୁ ୨୫ତାରିଖ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଅର୍ଥାତ୍ ୧୮ରୁ ୨୧ ତାରିଖ ଏବଂ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ
ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ଅଞ୍ଚଳରେ ବୁଲା କୁକୁର ଗଣନା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ବିଏମ୍ ସି ଅଞ୍ଚଳରେ ଥିବା ୬୭ଟି ଓ୍ୱାର୍ଡର ସମସ୍ତ ଗଳିକନ୍ଦିରେ ଏହି କୁକୁର ଗଣନା କାର୍ଯ୍ୟ ଭୋର ୫ଟାରୁ ସକାଳ ୭ଟା ମଧ୍ୟରେ କରାଯାଇଥିଲା । ଏଥିପାଇଁ ବରିଷ୍ଠ ପଶୁ ଡାକ୍ତରଙ୍କ ତତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, କମ୍ୟୁନିଟି ଅର୍ଗାନାଇଜର, ଡିଇଓ, ଏସ୍ଏମ୍ ଟିଏଙ୍କୁ ନେଇ ୪୧୦ଟି ଟିମ୍ ଗଠନ କରାଯାଇଥିଲା । ପ୍ରତି ଟିମରେ ଦୁଇ ଜଣ ଲେଖାଏଁ କର୍ମୀ ରହିଥିଲେ। ବୁଲା କୁକୁର ଗଣନା ପୂର୍ବରୁ ସେମାନଙ୍କୁ ଜୋନ୍ ସ୍ତରରେ ତାଲିମ ମଧ୍ୟ ଦିଆଯାଇଥିଲା ।
ସଂପ୍ରତି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମୋଟ ୪୭ ହଜାର ୧୨୬ଟି ବୁଲା କୁକୁର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨୩ହଜାର ୪୭ଟି ଅଣ୍ଡିରା କୁକୁର ରହିଥିବା ବେଳେ ୧୫ ହଜାର ୫୫୨ଟି ମାଈ କୁକୁର ଏବଂ ୧ ହଜାର ୧୨୪ଟି ଛୁଆ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୪ ହଜାର ୬୮ଟି ଅଣ୍ଡିରା କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଇଥିବା ବେଳେ ୩ହଜାର ୩୩୫ଟି ମାଈ କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଇଛି ।
ସଂପ୍ରତି ଭୁବନେଶ୍ୱରର ସ୍ଥାୟୀ ଜନସଂଖ୍ୟା ପ୍ରାୟ ୧୩ ଲକ୍ଷ ରହିଛି । ଜନସଂଖ୍ୟା ତୁଳନାରେ ବୁଲା କୁକୁରଙ୍କ ସଂଖ୍ୟା ୩.୬୨ ପ୍ରତିଶତ ରହିଛି । ଅର୍ଥାତ୍ ପ୍ରତି ଓ୍ୱାର୍ଡରେ ବୁଲା କୁକୁରଙ୍କ ସଂଖ୍ୟା ହାରାହାରି ୭୦୩ ରହିଛି। ସର୍ବାଧିକ ବୁଲା କୁକୁର ଥିବା ୧୦ଗୋଟି ଓ୍ୱାର୍ଡ ହେଲା, ୨୩, ୭, ୪୯, ୬୫, ୪, ୯, ୫, ୫୬, ୪୩, ଓ ୬ । ୨୩ ନମ୍ବର ଓ୍ୱାର୍ଡରେ ୧୭୦୩ ଥିବା ବେଳେ ୬ ନମ୍ବର ଓ୍ୱାର୍ଡରେ ୧୦୬୨ ବୁଲା କୁକୁର ରହିଛନ୍ତି।
ଭାରତ ସରକାରଙ୍କ ପଶୁ ସଂପଦ ଓ ଡାଏରୀ ବିଭାଗ ଦ୍ୱାରା ଅନୁଷ୍ଠିତ ବିଂଶତମ ଜାତୀୟ ଓ ରାଜ୍ୟ ପଶୁ ଗଣନା ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଜାତୀୟ ହାରଠାରୁ ବୁଲା କୁକୁରଙ୍କ ସଂଖ୍ୟା ବହୁ ଗୁଣରେ ଅଧିକ ରହିଛି। ଜାତୀୟ ହାର ପ୍ରତି ଏକ ହଜାରେ ଜନ ସଂଖ୍ୟାରେ ୧୧ଥିବା ବେଳେ ଭୁବନେଶ୍ୱରରେ ପ୍ରତି ହଜାର ଜନ ସଂଖ୍ୟାରେ ହାରାହାରି ୩୬ଟି ବୁଲା କୁକୁର ରହିଛନ୍ତି ।
ତେବେ ରାଜ୍ୟରେ ପ୍ରତି ହଜାରେ ଜନ ସଂଖ୍ୟାରେ ବୁଲା କୁକୁରଙ୍କ ହାରାହାରି ସଂଖ୍ୟା ୩୯ ରହିଛି ।
ବୈଷୟିକ ଜ୍ଞାନ କୌଶଳ ଓ ବୈଜ୍ଞାନିକ ପଦ୍ଧତିରେ ହୋଇଥିବା ଏହି ବୁଲା କୁକୁର ଗଣନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ।
•ବୁଲା-କୁକୁର ଓ ମନୁଷ୍ୟଙ୍କ ମଧ୍ୟରେ ହେଉଥିବା ଲଢେଇକୁ ହ୍ରାସ କରିବା ।
•ବୁଲା କୁକୁରଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ଦିଗରେ ଉନ୍ନତି ଆଣିବା ।
•କୁକୁର ବନ୍ଧ୍ୟାକରଣ ପାଇଁ ଏକ ଦକ୍ଷ ଏବଂ ପ୍ରଭାବଶାଳୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ।
•କୁକୁର କାମୁଡା ହ୍ରାସ କରିବା ।
•ରାବିସ୍ ପରି ବିଭିନ୍ନ ମାରାତ୍ମକ ରୋଗ ସଂକ୍ରମଣରୁ ଜନ ସାଧାରଣ ଏବଂ କୁକୁରମାନଙ୍କୁ ରକ୍ଷା କରିବା ।
•କୁକୁରଙ୍କ ଯୋଗୁ ଅନେକ ସମୟରେ ହେଉଥିବା ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣାକୁ ହ୍ରାସ କରିବା ।
•ବିଏମ୍ ସି ଅଂଚଳରେ କୁକୁରଙ୍କ ସାନ୍ଦ୍ରତା ସଂପର୍କରେ ଜାଣିବା ।
ଏହି କୁକୁର ଗଣନାର ବିଷେଶ୍ୱତ ହେଉଛି ଯେ ଭାରତରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିସ୍ତୃତ ସର୍ବେକ୍ଷେଣ ପଦ୍ଧତିରେ କୁକୁର ଗଣନା କରାଯାଇଛି । ପୂର୍ବରୁ ହାତ ଗଣତି ଯେଉଁ କେତୋଟି ରାଜ୍ୟ କୁକୁର ଗଣନା କରିଥିଲେ, ସେମାନେ ନମୁନା ସର୍ବେକ୍ଷଣ ପଦ୍ଧତିରେ କରିଥିଲେ । ଅର୍ଥାତ୍, ସେମାନେ ନିର୍ଦ୍ଧିଷ୍ଟ ଏକ ଅଂଚଳରେ କୁକୁର ଗଣନା କରି, ଆନୁପାତିକ ହାରରେ ହିସାବ କରିଥାନ୍ତି ।
ଭୁବନେଶ୍ୱରବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି କାର୍ଯ୍ୟରେ ଜନସାଧାରଣ ସ୍ୱେଚ୍ଛାକୃତ ଭାବେ ସଂପୂର୍ଣ୍ଣ ସହଯୋଗ କରିବା ସହ, ନିଜ ଘର କିମ୍ବା ଆଖପାଖ, ଆପାର୍ଟମେଣ୍ଟ, ସରକାରୀ ଅନୁଷ୍ଠାନ, ଡାକ୍ତରଖାନା, ରେସିଡେନସିଆଲ ଜୋନ୍, ବଜାର ଓ ଖାଦ୍ୟ ଦୋକାନ ଆଦି ଅଂଚଳରେ ରହୁଥିବା କୁକୁରଙ୍କର ସଂଖ୍ୟା, ବିଏମ୍ ସି କର୍ମଚାରୀଙ୍କୁ ପ୍ରଦାନ କରିଥିବାରୁ ବିଏମ୍ ସି ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/10/13/screenshot-2025-10-08-110650-2025-10-13-15-02-47.png)