କନକ ବ୍ୟୁରୋ: ମହାନଦୀ ଜଳକୁ ନେଇ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଛି । ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲରେ ବାରମ୍ବାର ଆଲୋଚନା ବି ହୋଇଛି, କିନ୍ତୁ ଫଳ ଶୂନ । ନା ଛତିଶଗଡ଼ ସରକାର ଓଡ଼ିଶାର କଥା ଶୁଣୁଛନ୍ତି ନା କେନ୍ଦ୍ର ସରକାର ନ୍ୟାୟ ଦେଉଛନ୍ତି । ଏହାରି ଭିତରେ ପୁଣିଥରେ ଟ୍ରିବ୍ୟୁନାଲରେ ହେବାକୁ ଯାଉଛି ଶୁଣାଣି ।

Advertisment
  • କାଲି ଟ୍ରିବ୍ୟୁନାଲ୍‌ରେ ମହାନଦୀ ଶୁଣାଣି
  • କ’ଣ ରହିବ ସରକାରଙ୍କ ଆଭିମୁଖ୍ୟ? 

ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆସନ୍ତାକାଲି ଟ୍ରିବ୍ୟୁନାଲରେ ହେବାକୁ ଯାଉଛି ୪୪ତମ ଶୁଣାଣି । ଟ୍ରିପଲ ଇଞ୍ଜିନ ସରକାର ଥିବାରୁ ଏହି ଶୁଣାଣିରୁ କିଛି ନିଷ୍କର୍ଷ ବାହାରିବ ବୋଲି ଆଶା କରାଯାଉଛି । ଶୁଣାଣି ପୂର୍ବରୁ ଆଜି ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ, ସାମାଜିକ ସଂଗଠନ ଓ ବିଭିନ୍ନ ଦଳର ନେତା ଏକାଠି ହୋଇ ବିବାଦର ଆପୋଷ ସମାଧାନ ନେଇ ଆଲୋଚନା କରିଛନ୍ତି । ମହାନଦୀ ବଂଚାଅ ଆନ୍ଦୋଳନ ପକ୍ଷରୁ ଆୟୋଜିତ ଏହି ଆଲୋଚନା ପରେ ସଂଗଠନ ପକ୍ଷରୁ ସରକାରଙ୍କୁ ଏକ ରିପୋର୍ଟ ଦିଆଯିବ ।

ଗତ ଶୁଣାଣି ପରେ ଆପୋଷ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । କିନ୍ତୁ ଆପୋଷ ଆଲୋଚନା ଦ୍ବାରା ମହାନଦୀ ବିବାଦର ସମାଧାନ ଏକ ଜଟିଳ ବ୍ୟାପାର ହୋଇଥିବାରୁ ସନ୍ଦେହ ରହିଛି । ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବେ ନା ନ୍ୟାୟିକ ଲଢ଼େଇ ଲଢ଼ିବେ? ରାଜ୍ୟ ସରକାର ତାହା ସ୍ପଷ୍ଟ କରିବାକୁ ଦାବି କରିଛନ୍ତି ବିରୋଧୀ । 

ମହାନଦୀକୁ ନେଇ ବିବାଦ ଲାଗି ରହିଥିଲେ ବି ଉପରମୁଣ୍ଡରେ ନୂଆ ପ୍ରକଳ୍ପ ଜାରି ରଖିଛି ଛତିଶଗଡ଼ । ତେଣୁ କାଲିର ବୈଠକରେ ଓଡ଼ିଶା ସରକାର କେଉଁ ତଥ୍ୟ ରଖିବେ? ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କ’ଣ ରହିବ? ତା ଉପରେ ସମସ୍ତଙ୍କ ନଜର ରହିଛି ।