କନକ ବ୍ୟୁରୋ: ଆଖି ଟେରା କରିଦେଲା ଟଙ୍କା ଖଣି । ଭିଜିଲାନ୍ସ ଅଧିକାରୀ ହାଲିଆ ଟଙ୍କା ଗଣି ଗଣି । ଘରୁ ୪ କୋଟି ୨୮ ଲକ୍ଷ ଟଙ୍କା ମିଳିଥିବା ଖଣି ଅଧିକାରୀଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା । ତେବେ ଏତେ ବିପୁଳ ନଗଦ ଟଙ୍କା ଜବତ ହେବା ପରେ, କଟକର ଖଣି ଉପନିର୍ଦ୍ଦେଶକଙ୍କ ପାଇଁ ବଢ଼ିଲା ଅଡ଼ୁଆ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ତମାମ୍ ତଥ୍ୟ ଦେବ ଭିଜିଲାନ୍ସ । ଏହା ଜଣାପଡ଼ିବା ପରେ କେବଳ ଦେବବ୍ରତ ମହାନ୍ତି ନୁହଁନ୍ତି, ଅନେକ ବଡ଼ବଡ଼ିଆ ଖଣି ଅଧିକାରୀଙ୍କ ଛାତିରେ ଛନକା ପଶିଛି ।
- ଇଡି ଓ ଆୟକର ବିଭାଗକୁ ତଥ୍ୟ ଦେବ ଭିଜିଲାନ୍ସ
ଖଣି ଅଧିକାରୀଙ୍କ ଘରୁ ନଗଦ ୪କୋଟି ୨୮ ଲକ୍ଷ ଟଙ୍କା ମିଳିବା ଘଟଣାରେ ଆକ୍ସନ ମୋଡ୍ରେ ଓଡ଼ିଶା ଭିଜିଲାନ୍ସ । କଟକ ସର୍କଲ୍ର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି ସ୍ୱତନ୍ତ୍ର ଟିମ୍ । ଟଙ୍କା କେଉଁଠୁ ଆଣୁଥିଲେ? କେଉଁ ବାବଦକୁ ଆଣୁଥିଲେ? କେତେ ଲୁଟିଥିଲେ? କାହା କାହାକୁ କେତେ ଭାଗ ଦେଇଛନ୍ତି?... ବିଶେଷ କରି, ବାବୁଙ୍କ ମୁଣ୍ଡରେ ହାତ ରଖିଥିବା ମୁଖ୍ୟ କାର୍ପଟଦାର କିଏ? ସତ ଉଗରିବାକୁ ଚେଷ୍ଟା ଚଳାଇଛି ଭିଜିଲାନ୍ସ । ସେପଟେ ସୂଚନା ମିଳିଛି, ଆୟବହିର୍ଭୁତ୍ତ ସମ୍ପତ୍ତିକୁ ନେଇ ଆଉ ଏକ ମାମଲା ରୁଜୁ କରିବ ଭିଜିଲାନ୍ସ । ଓଡ଼ିଶା ଇତିହାସରେ ସବୁଠୁ ବଡ଼ ଜବତ- ୪ କୋଟି ୨୮ ଲକ୍ଷ ଟଙ୍କା ନଗଦ ମିଳିଥିବାରୁ, ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦେଶାଳୟ ସହ ତଥ୍ୟ ବାଣ୍ଟିବ ଭିଜିଲାନ୍ସ ।...
- ଭୁବନେଶ୍ବର ହୋଟେଲ୍ରେ ହେଉଥିଲା ଡିଲ୍!
- ବିଶ୍ୱସ୍ତ ଟିମ୍ରେ ଥିଲେ ସଂପର୍କୀୟ ଓ ବାଲିମାଫିଆ!
ଚର୍ଚ୍ଚା ହେଉଛି, ୨୨ ବର୍ଷରେ କୁବେର ବନିବା ପଛରେ ଦେବବ୍ରତ ମହାନ୍ତିଙ୍କର ଥିଲା ଏକ ନିଜସ୍ବ ଷ୍ଟାଇଲ । କିଛି ସଂପର୍କୀୟ ଓ ୪ ବାଲିମାଫିଆଙ୍କୁ ନେଇ ସେ ଏକ ବିଶ୍ବସ୍ତ ଟିମ୍ ଗଠନ କରିଥିଲେ । ବାଲିଘାଟ, କୋଇଲା ଡିପୋ, ମୋରମ୍ ଖାଦାନରୁ ମାସିକ ଟଙ୍କା ଆଦାୟ କରୁଥିଲା ଟିମ୍ । କଟକରେ ଚୋରା ବାଲିଘାଟକୁ ନେଇ ଭୁବନେଶ୍ବରର ଏକ ହୋଟେଲରେ ଡିଲ୍ ହେଉଥିଲା । ପୂର୍ବରୁ ଫୁଲବାଣୀରେ ଥିବା ବେଳେ, ସେଠାରେ ରେକଗ୍ନାଇଜ୍ଡ କ୍ବାଲିଫାଏଡ୍ ପର୍ସନ- ଆର୍କ୍ୟୁପି ଓ ଏଜେନ୍ସି ଜରିଆରେ କାରବାର କରୁଥିଲେ ବୋଲି କୁହାଯାଉଛି ।
ଯେଉଁଠିକୁ ଯାଇଛନ୍ତି, ସେଠି ଲୁଟିଛନ୍ତି । କିନ୍ତୁ କାହା ସାହସରେ? ଧରାପଡ଼ିବେ କି କାର୍ପଟଦାର? କେବଳ ଜଣଙ୍କୁ ଧରି ଚୁପ୍ ବସିଯିବନି ତ ଭିଜିଲାନ୍ସ? ଲାଇସେନ୍ସ ରିନ୍ୟୁ ଓ ପରମିଟ୍ ଇସ୍ୟୁ ପାଇଁ ସବୁ ଖଣି ଅଫିସରେ ଲାଞ୍ଚର ରେଟ୍ ଚାର୍ଟ ଅଛି ବୋଲି କହିଛନ୍ତି ବିଶେଷଜ୍ଞ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/02/26/kuber-2026-02-26-20-42-23.png)