କନକ ବ୍ୟୁରୋ: ସମ୍ୱାଦ ଓ କନକ ନ୍ୟୁଜର ସ୍ୱନକ୍ଷତ୍ର ଦିବସରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପ୍ରତିଶ୍ରୁତି । କହିଲେ , ପୂରଣ କରିବୁ ଲୋକଙ୍କ ଆଶା, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଲକ୍ଷ୍ୟ ପୂରଣ ହେବ । ଆଗକୁ ବଢ଼ିବାକୁ ଗଠନମୂଳକ ସମାଲୋଚନାକୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଭୁବନେଶ୍ବର ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମିଲ୍ ହୋଇ ସମ୍ବାଦ ଓ କନକ ନ୍ୟୁଜକୁ ପ୍ରଶଂସାରେ ପୋତି ପକାଇଛନ୍ତି । ସମ୍ବାଦ କିଭଳି ଦୀର୍ଘ ୪୧ ବର୍ଷ ଧରି ଲୋକଙ୍କ ସ୍ବର ହୋଇଛି ଏବଂ ମାଇଲଖୁଣ୍ଟ ହୋଇଛି, ସେ ସମ୍ପର୍କରେ ବଖାଣିଛନ୍ତି । ପୂର୍ବ ସରକାର ବେଳେ ସାମ୍ବାଦିକଙ୍କ କଣ୍ଠରୋଧ କରାଯାଉଥିଲା । ସାମ୍ବାଦିକଙ୍କ ପାଇଁ ଗେଟ୍ ଇନ୍ ନୁହେଁ ଆଉଟ୍ ଥିଲା ବୋଲି କହିଛନ୍ତି ମୋହନ ମାଝୀ  । ସମାଜର ଦର୍ପଣ ହେଉଛି ସମ୍ବାଦ । ସାମ୍ବାଦିକର ମୁଖ୍ୟ କାମ, ସରକାରଙ୍କୁ ଆଇନ ଦେଖାଇବା । ଏକ ଦାୟିତ୍ବସମ୍ପନ୍ନ ଗଣମାଧ୍ୟମ କେବେବି ସରକାରଙ୍କ ବନ୍ଧୁ ନୁହନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ ନିଜେ ସମ୍ବାଦର ପେପର କଟିଂ କରି ରଖନ୍ତି, ବିଶେଷ କରି ସମ୍ପାଦକୀୟର ପେପର କଟିଂ କରି ରଖନ୍ତି ବୋଲି କହିଛନ୍ତି । ସେହିଭଳି କନକ ନ୍ୟୁଜର ମଧ୍ୟ ପ୍ରଶଂସା କରିଛନ୍ତି। ଦିନକୁ ଦିନ କନକ ନ୍ୟୁଜ କିଭଳି ଲୋକପ୍ରିୟ ହେଉଛି, ସେ ସମ୍ପର୍କରେ କହିଛନ୍ତି ମୋହନ ମାଝୀ ।

Advertisment