କନକ ବ୍ୟୁରୋ : ଅନ୍ ଲାଇନ୍ ଗେମିଂ ଆପ୍ ପଛରେ ଚୀନ୍, ଭାରତରୁ ଠକି ନେଲେଣି ୪୦୦ କୋଟି । ଏକ ଅନଲାଇନ୍ ଗେମିଂ ଆପ୍ ଉପରେ ଚଢ଼ାଉ କରି ୪୦୦ କୋଟି ଟଙ୍କା ଠକେଇର ପର୍ଦ୍ଦାଫାସ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଗେମିଂ ଆପରେ ଚୀନ୍ ନାଗରିକଙ୍କ ସମ୍ପୃକ୍ତି ଥିବା ମଧ୍ୟ ଜଣାପଡିଛି । ଇଡି ଅନଲାଇନ୍ ଗେମିଂ ଆପ୍ ଫିୱିନ୍ ଉପରେ ଚଢାଉ କରିଥିଲା । ଏହି ଆପ୍ ସହ ଜଡ଼ିତ ଥିବା କେତେକ ଚୀନ୍ ନାଗରିକଙ୍କ ଆକାଉଣ୍ଟ ସହ ସେମାନଙ୍କ ଆକାଉଣ୍ଟରେ ଥିବା ପ୍ରାୟ ୨୫ କୋଟି ଟଙ୍କା ଅଚଳ କରାଯାଇଛି । ପୂର୍ବରୁ ଏହି ଠକେଇରେ ଚୀନ୍ ନାଗରିକଙ୍କୁ ସାହାଯ୍ୟ କରୁଥିବା ଅଭିଯୋଗରେ କୋଲକାତାର ଚାରି ଜଣ ନାଗରିକଙ୍କୁ ଗିରଫ କରିଥିଲା ଇଡି । ବିଶ୍ୱର ସର୍ବବୃହତ୍ତ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ କରୁଥିବା କମ୍ପାନୀ ବିନାନ୍ସର ସହାୟତାରେ ଏହି ତଦନ୍ତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ରିପୋର୍ଟ ଅନୁସାରେ, ମିନି ଗେମ୍ ଖେଳିବା ଦ୍ୱାରା ଉପଭୋକ୍ତାମାନଙ୍କୁ ସହଜରେ ଟଙ୍କା ରୋଜଗାରର ସୁଯୋଗ ଦେଇ ଠକେଇ କରୁଥିଲା ଫିୱିନ୍ । ୟୁଜର୍ ଆପର ଆକାଉଣ୍ଟ ଖୋଲିବା ମାତ୍ରେ ଏହାର ଗେମିଂ ପ୍ରକ୍ରିୟାରେ ସାମିଲ ହୁଅନ୍ତି । ଏହାପରେ ଗେମରୁ ରୋଜଗାର କରୁଥିବା ଟଙ୍କା ସେମାନଙ୍କ ଆକାଉଣ୍ଟରେ ଜମା ହୁଏ । ଯେତେବେଳେ ଆକାଉଣ୍ଟରେ ମୋଟା ଅଙ୍କର ଅର୍ଥ ଜମା ହୋଇଯାଏ, ସେତେବେଳେ ତୁରନ୍ତ ସେମାନଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଯାଏ । ବ୍ୟବହାରକାରୀମାନେ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ପାରନ୍ତି ନାହିଁ । ଏହାପରେ ଏହି ସବୁ ଟଙ୍କା ବିଭିନ୍ନ କ୍ରିପ୍ଟୋକରେନ୍ସି ଆଡ୍ରେସକୁ ଟ୍ରାନ୍ସଫର ହୋଇଥାଏ । ଏହି ଉପାୟରେ ଆପ୍ ଭାରତରୁ ପ୍ରାୟ ୪୦୦ କୋଟି ଟଙ୍କା ଲୁଟ୍ କରିଥିବା ଇଡି ତଦନ୍ତରୁ ଜଣାପଡିଛି । ଏଥିରେ ଚୀନ୍ ନାଗରିକଙ୍କ ସମ୍ପୃକ୍ତି ଥିବା ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାଣିବାକୁ ପାଇଛି । ଆପ୍ ସହ ଜଡ଼ିତ କିଛି ଚୀନ୍ ନାଗରିକଙ୍କ ଆକାଉଣ୍ଟର ୨୫ କୋଟି ଟଙ୍କା ଅଚଳ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।