କନକ ବ୍ୟୁରୋ: ବିନା ଗ୍ରାମସଭାରେ ବ୍ଲକ ଓ ପଞ୍ଚାୟତରେ ହେବ ୪୦ ପ୍ରତିଶତ କାମ । ପଞ୍ଚାୟତିରାଜ ବିଭାଗ ପୂର୍ବ ଗାଇଡଲାଇନକୁ  ବଦଳାଇ ନୂଆ ସଂଶୋଧିତ ଗାଇଡଲାଇନ ଜାରି କରିଛି । ପୂର୍ବ ସରକାର ଅମଳରେ କାମ ବିନା ଗ୍ରାମସଭାରେ ହେଉଥିଲା । ଏବେ ପୁଣି ବିଜେପି ସେହି ରାସ୍ତାରେ ଯାଉଥିବା ଅଭିଯୋଗ ହୋଇଛି ।

Advertisment
  • ବିଜେଡି ରାସ୍ତାରେ ବିଜେପି
  • ଗ୍ରାମସଭାକୁ ଅଣଦେଖା!

ପଞ୍ଚାୟତିରାଜବିଭାଗର ଗାଇଡଲାଇନରେ କୁହାଯାଇଛି, ବିନା ଗ୍ରାମସଭାରେ ପ୍ରକଳ୍ପ କାର୍ଯ୍ୟକାରୀ କରିପାରିବେ ଜିଲ୍ଲାପାଳ । ବିଧାୟକ ଯେଉଁ ପ୍ରକଳ୍ପ ସୁପାରିଶ କରିବେ ତାକୁ ଜିଲ୍ଲାପାଳ କାର୍ଯ୍ୟକାରୀ କରିବେ । ଏହି କାମ ବିନା ଗ୍ରାମସଭାରେ ହେବ । ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାରେ ପ୍ରତି ପଞ୍ଚାୟତ ଓ ବ୍ଲକକୁ ମିଳୁଥିବା ଅର୍ଥର ୪୦% ବିନା ଗ୍ରାମସଭାରେ କିପରି ଖର୍ଚ୍ଚ ହେବ, ସେ ନେଇ ଗାଇଡଲାଇନ୍ ଜାରି କରାଯାଇଛି । ମାର୍ଚ୍ଚ ୨୫ର ଗାଇଡଲାଇନ ସଂଶୋଧନ କରି କୁହାଯାଇଛି...

  • ପ୍ରକଳ୍ପ ଅନୁମୋଦନ ବେଳେ କୌଣସି ଦରକାରୀ ପ୍ରକଳ୍ପକୁ ଜିଲ୍ଲାପାଳ ସାମିଲ କରିପାରିବେ
  • ପ୍ରକଳ୍ପ ପାଇଁ ବିଧାୟକ ସୁପାରିଶ କଲେ ଜିଲ୍ଲାପାଳ ଆକ୍ସନ୍‌ ପ୍ଲାନ୍‌ରେ ସାମିଲ କରିବେ
  • କିନ୍ତୁ ଏହା ବ୍ଲକ, ଗ୍ରାମପଞ୍ଚାୟତ ବରାଦ ଅର୍ଥର ୪୦%ରୁ ଅଧିକ ହେବ ନାହିଁ
  • ବିଧାୟକଙ୍କ ପ୍ରସ୍ତାବିତ ପ୍ରକଳ୍ପକୁ ବିନା ଗ୍ରାମସଭାରେ କରିବାକୁ ଜିଲ୍ଲାପାଳଙ୍କୁ କ୍ଷମତା

ବିଜେଡି ସରକାର ଅମଳରେ ଗାଁ ଭିତ୍ତିଭୂମି ସୁଦୃଢ କରିବାକୁ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବିନା ଗ୍ରାମସଭାରେ ଏହା ହେଉଥିଲା। ଏହାକୁ ସେତେବେଳେ ବିଜେପି ବିରୋଧ କରିଥିଲା । ଏବେ ନୂଆ ସରକାରଙ୍କ ନୂଆ ଯୋଜନା ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ସେହି ରାସ୍ତାରେ ଯାଉଛି । ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାରେ ଚଳିତବର୍ଷ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିମଧ୍ୟରୁ ୪୦% ଅର୍ଥାତ୍‌ ୮ଶହ କୋଟି ଟଙ୍କା କାମକୁ ବିନା ଗ୍ରାମସଭାରେ କରାଯିବ। କୁହାଯାଉଛି, ବିଜେପି ବିଧାୟକମାନେ ପଞ୍ଚାୟତ ଓ ବ୍ଲକରେ ନିଜ ପ୍ରକଳ୍ପ କାର୍ଯ୍ୟକାରୀ ନେଇ ଅସନ୍ତୋଷ ଜାହିର କରିଥିଲେ । ଏହାପରେ ଏହି ସଂଶୋଧନ ଆସିଥିବା କୁହାଯାଉଛି । ଏଠି ପ୍ରଶ୍ନ ଉଠୁଛି...

  • ଗୋଟିଏ ମାସରେ ଦୁଇ ଥର କାହିଁକି ଗାଇଡ୍‌ଲାଇନ୍ ବଦଳିଲା?
  • ବିଧାୟକଙ୍କ ପ୍ରକଳ୍ପ କାହିଁକି ଗ୍ରାମସଭାରେ ଆଲୋଚନା ହେବନି?
  • ସରକାର ବିଧାୟକ, ଜିଲ୍ଲାପାଳଙ୍କୁ କ୍ଷମତା ଦେବା ପଛର ରହସ୍ୟ କ’ଣ?