କନକ ବ୍ୟୁରୋ: ତାମିଲନାଡୁ ଦଳଚକଟାରେ ମୃତ୍ୟୁ ସଂଖ୍ୟା ୪୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରେ ୧୦ ଶିଶୁଙ୍କ ସମେତ ଅନେକ ମହିଳା ଅଛନ୍ତି । ଘଟଣାର ଯାଞ୍ଚ ପାଇଁ ଏକ କମିଟି ଗଠନ କରିଛନ୍ତି ତାମିଲନାଡୁ ସରକାର । ରାଜନୈତିକ ବୟାନବାଜି ବି ଆରମ୍ଭ ହୋଇଛି । ପ୍ରଶ୍ନ ଉଠୁଛି, ରାଲିରେ ନିୟମର ଉଲ୍ଲଙ୍ଘନ ହୋଇଥିଲା କି?  

Advertisment

ଚାରିଆଡେ ବିପର୍ଯ୍ୟସ୍ତର ଦୃଶ୍ୟ। ଯୁଆଡେ ଚାହିଁବ ପଡିଛି ମାଳ ମାଳ ଚପଲ, ଫଟା ଲୁଗା ଓ ବୋତଲ । ଖଣ୍ଡ ବିଖଣ୍ଡିତ ହୋଇପଡିଛି ସାମଗ୍ରୀ । ତାମିଲନାଡୁ କରୁରରେ ଅଭିନେତା ତଥା ନେତା ବିଜୟଙ୍କ ରାଲିରେ ହୋଇଥିବା ଦଳାଚକଟାରେ ଇଏ ହେଉଛି ଆଜିର ଦୃଶ୍ୟ । କାନ୍ଦବୋବାଳିରେ ଫାଟି ପଡୁଛି କରୁର ହସ୍ପିଟାଲ ପରିସର।  

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ବିଜୟ ବିଳମ୍ବରେ ପହଞ୍ଚିଥିଲେ। ସଂକୀର୍ଣ୍ଣ  ରାସ୍ତା ଓ  ଅସମ୍ଭାଳ ଭିଡ ଯୋଗୁଁ ଦଳଚକଟା ଆରମ୍ଭ ହୋଇଥିଲା। ଅଣନିଶ୍ବାସୀ ହେବା ଯୋଗୁଁ ଅଧିକାଂଶ ମହିଳା ଓ ଶିଶୁଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି । କିନ୍ତୁ ଏହା ପଛରେ ଷଡଯନ୍ତ୍ର ହୋଇଥିବା ଅଭିଯୋଗ ଆଣିଛି ବିଜୟଙ୍କ ଦଳ ।

ମୁଖ୍ୟମନ୍ତ୍ରୀ ଷ୍ଟାଲିନ  ଆଜି ଘଟଣାସ୍ଥଳ ଓ ହସପିଟାଲ ଯାଇ ଆହତ, ପୀଡିତ ପରିବାରକୁ ଭେଟିଛନ୍ତି । ସହାୟତାର ଆଶ୍ବାସନା ଦେଇଛନ୍ତି । ଷ୍ଟାଲିନ କହିଛନ୍ତି, ହାଇକୋର୍ଟଙ୍କ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଯାଞ୍ଚ କମିଟି ଗଠନ କରାଯାଇଛି । ରିପୋର୍ଟ ଯାହା ଆସିବ, ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ । ତାମିଲନାଡୁ ଦଳାଚକଟାରେ ପୁଲିସ ୪ ଜଣଙ୍କ ନାଁରେ ମାମଲା ରୁଜୁ କରୁଛି । ଅନ୍ୟପଟେ ଏଭଳି ରାଜନୈତିକ ରାଲି ଉପରେ ବ୍ୟାନ ଲଗାଇବା ପାଇଁ ଦାବି ବଢ଼ିଛି । 

ପଟେ ଦଳଚକଟା ପରେ ଅଭିନେତା ବିଜୟ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୨୦ ଲକ୍ଷ ଲେଖାଁଏ ଓ ଆହତକୁ ୨ ଲକ୍ଷ ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ।