କନକ ବ୍ୟୁରୋ : ଡୋନାଲ୍ଡ ଟ୍ରମ୍ପ ସତ୍ତାକୁ ଆସିବା ପରେ ସାରା ବିଶ୍ବର ଅନେକ ଦେଶ ଏବେ ଘୋର ଚିନ୍ତାରେ । କିନ୍ତୁ ସବୁଠାରୁ ଅଧିକ ଚିନ୍ତାରେ ପଡିଛି ୟୁରୋପର ୪୦ଟି ଦେଶ । ଦିନ ଥିଲା ଯେତେବେଳେ ଆମେରିକାର ଡାହାଣ ହାତ କୁହାଯାଉଥିଲା ୟୂରୋପ କୁ। କିନ୍ତୁ ଟ୍ରମ୍ପ ସତ୍ତାକୁ ଆସିବା ପରେ ସବୁ ଓଲଟ ପାଲଟ ହୋଇଯାଇଛି । ୟୁରୋପ ଦେଶମାନଙ୍କୁ ଆଡ ଆଖିରେ ଅନାଉନି ଆମେରିକା । କିଛି ରାସ୍ତା ନ ପାଇବାରୁ ୟୁରୋପର ୪୦ଟି ଦେଶ ଏବେ ଭାରତ ଶରଣରେ। ମୋଦୀଙ୍କ ପ୍ରଶଂସାରେ ଶତମୁଖ ୟୁରୋପ । ଭାରତ ଉପରେ ଆଶାଭରସା କରିଛି ୟୁରୋପ । ଏହାରି ମଧ୍ୟରେ ୟୁରୋପିୟନ୍ ୟୁନିୟନ ର ଅଧ୍ୟକ୍ଷ ଅର୍ସୁଲା ୱାନ ଡେର ଲେୟେନ ଭାରତ ପହଞ୍ଚିଛନ୍ତି । ପିଏମ ମୋଦୀଙ୍କ ସହ ଫ୍ରୀ ଟ୍ରେଡ୍ ଏଗ୍ରିମେଣ୍ଟ କରିବା ପାଇଁ ଭରସା ରଖିଛନ୍ତି । ଏଥିସହିତ ସୁରକ୍ଷା ବିଷୟରେ କଥା ହୋଇଥିଲେ, ନିବେଶର ପ୍ରତିଶ୍ରୁତି ବି ଦେଇଥିଲେ ।
ୟୁରୋପ ଦେଶ ଗୁଡିବ ଏବେ ସଙ୍କଟର ସାମ୍ନା କରୁଛି । ଟ୍ରମ୍ପ ତାଙ୍କୁ ନା ସୁରକ୍ଷାର ଗ୍ୟାରେଣ୍ଟି ଦେଉଛନ୍ତି ନା କିଛି ଅର୍ଥନୈତିକ ସୟାୟତା ପ୍ରଦାନ କରୁଛନ୍ତି। ଡୋନାଲ୍ଡ ଟ୍ରମ୍ପ ୟୁରୋପ କୁ କୌଣସି ପ୍ରକାରର ସହାୟତା କରିବାକୁ ଚାହୁଁନାହାଁନ୍ତି । ଯାହାଦ୍ବାରା ୟୁରୋପ ଏବଂ ଆମେରିକାର ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଏକ ରିପୋର୍ଟ ଅନୁସାରେ ୟୁରୋପୀୟ ଦେଶମାନଙ୍କୁ ଭୟ ଘାରିଛି ଯେ କେତେବେଳେ ବି ଆମେରିକା ୟୁରୋପରେ ମୁତୟନ କରିଥିବା ତାର ସେନାକୁ ଫେରାଇ ନେଇପାରେ । ଏସବୁ ପରେ ବର୍ତ୍ତମାନ ୟୁରୋପ ନିଜ ରାସ୍ତା ବାଛିନେଇଛି । ଏବେ ୟୁକ୍ରେନକୁ ସାହାର୍ଯ୍ୟ କରିବାକୁ ଚାହୁଁଛି ଏବଂ ନାଟୋକୁ ମଜବୁତ କରିବାକୁ ଚାହୁଁଛି ୟୁରୋପ । ୟୁରୋପରେ ଆମେରିକାର ୧ ଲକ୍ଷ ସୈନିକ ମୁତୟନ ଅଛନ୍ତି । ଯଦି ଆମେରିକା ତାର ସୈନିକକୁ ଫେରାଇ ନିଏ ତେବେ ଦେଶର ସୁରକ୍ଷା ଚିନ୍ତାଜନକ ବିଷୟ ହୋଇଯିବ । କିନ୍ତୁ ଫ୍ରାନ୍ସ, ବେଲଜିୟମ, ନେଦରଲ୍ୟାଣ୍ଡ ଏବଂ ସ୍ୱିଜରଲ୍ୟାଣ୍ଡ ଭଳି ଦେଶମାନେ ଆଗକୁ ବଢିବା ଆରମ୍ଭ କରିଛନ୍ତି । ସେମାନେ ଆମେରିକାଠାରୁ ନିଜକୁ ଦୂରେଇ ରଖିବା ସହ ଭାରତ ଆଡକୁ ମୁହାଁଇଛନ୍ତି ।
ଭାରତ ଠାରୁ ଏମାନଙ୍କୁ କଣ ଦରକାର
ୟୁରୋପୀୟ ୟୁନିୟନ୍ ଚାହୁଁଛି ଭାରତ ସହିତ ଫ୍ରୀ ଟ୍ରେଡ ଏଗ୍ରିମେଣ୍ଟ । ଯାହା ଦ୍ଵାରା ବାଣିଜ୍ୟ ପ୍ରତିବନ୍ଧକ ଦୂର ହେବ । ୟୁରୋପୀୟ କମ୍ପାନୀଗୁଡ଼ିକୁ ଭାରତୀୟ ବଜାରରେ ସକ୍ରିୟ ହେବେ ।
ଏଥିସହିତ ୟୁରୋପୀୟ କମ୍ପାନୀଗୁଡ଼ିକ ଭାରତରେ ଇଲେକ୍ଟ୍ରିସିଟି, ଡିଜିଟାଲ୍ ଟେକ୍ନୋଲୋଜି, ଗ୍ରୀନ୍ ଏନର୍ଜି ଏବଂ ଇନ୍ଫ୍ରାଷ୍ଟ୍ରକଚରରେ ନିବେଶ କରିବାକୁ ଚାହୁଁଛନ୍ତି।
ୟୁରୋପୀୟ ସଂଘର ଦେଶଗୁଡ଼ିକ ସୌର ଶକ୍ତି, ପବନ ଶକ୍ତି ଭଳି ସବୁଜ ଶକ୍ତି କ୍ଷେତ୍ରରେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛନ୍ତି । ଭାରତ ମଧ୍ୟ ଏଥିରୁ ଲାଭ ପାଇପାରିବ।
ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଭାବରେ ଉଭା ହୋଇଛି। ୟୁରୋପୀୟ ସଂଘକୁ ଏହା ଜଣା ଯେ ଏହି ଅଞ୍ଚଳରେ ଚୀନ୍ ସହିତ ମୁକାବିଲା କରିବା ପାଇଁ ଭାରତ ବ୍ୟତୀତ ଅନ୍ୟ କୌଣସି ଦେଶ ସାଥ୍ ଦେବ ନାହିଁ। ସେଥିପାଇଁ ସେମାନେ ରଣନୈତିକ ସହଭାଗୀତା ଭାରତଠୁ ଚାହାଁନ୍ତି ।
ଟ୍ରମ୍ପଙ୍କ ରୋକଠୋକ କଥା ଏବଂ ପ୍ରତିବନ୍ଧକ ଅନ୍ୟଦେଶମାନଙ୍କ ପାଇଁ ଏବେ ଚିନ୍ତାର ବିଷୟ ପାଲଟିଛି । ଟ୍ରମ୍ପଙ୍କ ପ୍ରତାରଣର ଖାଲି ଭାରତ ଶିକାର ନୁହେଁ ଆମେରିକା ସହ ପୂର୍ବରୁ ଘନିଷ୍ଠ ଥିବା ଦେଶମାନେ ମଧ୍ୟ ଏବେ ଟ୍ରମ୍ପଙ୍କ ଅଣଦେଖାର ଶିକାର ହେଉଛନ୍ତି ।