କନକ ବ୍ୟୁରୋ : ବୟସ ମାତ୍ର ୪ ବର୍ଷ। ନିଷ୍ପାପ ଶିଶୁ । ଏଯାଏଁ ପରିବାରର ସବୁ ସଦସ୍ୟଙ୍କୁ ଭଲଭାବରେ ଚିହ୍ନିନି । କିନ୍ତୁ ତାକୁ ମାଡ଼ି ବସିଛି ବ୍ଲଡ କ୍ୟାନସର । ଘରେ ଦୁଇ ମାସର କଅଁଳ ଛୁଆକୁ ଛାଡି ପୁଅକୁ ନେଇ ମେଡିକାଲରେ ରହୁଛନ୍ତି ମାଆ । ଚିକିତ୍ସା ଜାରି ରହିଛି, ହେଲେ ଆଗକୁ ଅର୍ଥାଭାବ ଅଡୁଆ ହୋଇଛି । ସାହାଯ୍ୟ ପାଇଁ ସରକାରଙ୍କ ପାଖରେ ଆକୁଳ ନିବେଦନ କରିଛି ମାଆବାପା
୪ ବର୍ଷର ପ୍ରିୟାଂଶୁ । ବାପାଙ୍କ କୋଳରେ ବସିଛି । ଓଠରେ ନିର୍ଭେଜାଲ ହସ । ବାପାଙ୍କ କାଖରେ କେତେ ଖେଳୁଛି, ହସୁଛି । ତାର ଏଇ ହସଖୁସିକୁ ସବୁବେଳେ ବଂଚାଇ ରଖିବା ପାଇଁ ବାପା-ମାଆଙ୍କ ଆଖିରୁ ନିଦ ହଜି ଯାଇଛି । କୁନି ପୁଅ ପ୍ରିୟାଂଶୁ ଜୀବନ କଣ ଜାଣିବା ଆଗରୁ ତା ଶରୀରରେ ବଂଶବିସ୍ତାର କରି ସାରିଛି ବ୍ଲଡ କ୍ୟାନସର ।
ଗଞ୍ଜାମ ବେଗୁନନିଆପଡା ବ୍ଲକ ସୁମଣ୍ଡଳ ଗାଁର ସନ୍ତୋଷ ଜେନାଙ୍କ ପୁଅ ପ୍ରିୟାଂଶୁ । ଦେଢ ମାସ ତଳେ ପ୍ରିୟାଂଶୁକୁ ଜ୍ୱର ହୋଇଥିଲା । ବାପା ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିଲେ । ସୁସ୍ଥ ନହେବାରୁ ବ୍ରହ୍ମପୁର ଏମକେସିଜି ନେଇଥିଲେ । ପରୀକ୍ଷାନୀରିକ୍ଷାରୁ ଜଣାପଡ଼ିଲା ୪ ବର୍ଷର ପୁଅକୁ ବ୍ଲଡ କ୍ୟାନସର । ଭୁବନେଶ୍ୱର ଏମ୍ସରେ ପ୍ରୟାଂଶୁର ଚିକିତ୍ସା ଜାରି ରହିଛି । ଦୁଇ ମାସର ଝିଅକୁ ଘରେ ଛାଡ଼ି ପୁଅ ପାଖରେ ରହୁଛନ୍ତି ମାଆ । ଚିକିତ୍ସାରେ ଅର୍ଥ ବାଧକ ସାଜିଛି । ଦିନ ମଜୁରିଆ ବାପା ପୁଅର ଚିକିତ୍ସା ପାଇଁ ଟଙ୍କା ଯୋଗାଡ଼ ପାରୁନାହାନ୍ତି । ସେପଟେ ରାସନକାର୍ଡ ନଥିବାରୁ କୁନି ପୁଅର ସ୍ୱାସ୍ଥ୍ୟକାର୍ଡ ମଧ୍ୟ ହୋଇପାରିନି । ତେଣୁ ସରକାର ତୁରନ୍ତ ସ୍ୱାସ୍ଥ୍ୟକାର୍ଡଟିଏ ଯୋଗାଇ ଦେବା ପାଇଁ ଦୁଃଖୀ ବାପାମାଆ ସରକାରଙ୍କ ପାଖରେ ନିବେଦନ କରିଛନ୍ତି । ଦୁନିଆ କଣ ଜାଣି ନଥିବା, ଭଲ ମନ୍ଦ ବୁଝି ନଥିବା ପ୍ରିୟାଂଶୁକୁ ଭଗବାନ ସୁସ୍ଥ କରି ଦିଅନ୍ତୁ । ସରକାର ସବୁ ପ୍ରକାର ଚିକିତ୍ସା ସୁବିଧା ଯୋଗଇ ଦେବାର ଆବଶ୍ୟକତା ରହିଛି ।