କନକ ବ୍ୟୁରୋ: ସୁନ୍ଦରଗଡ଼ ସରଣ୍ଡା ଜଙ୍ଗଲ ଭିତରୁ ୪ ଟନ୍ ବିସ୍ଫୋରକ ଲୁଟ୍ ହେବା ଘଟଣା ପୁଲିସର ନିଦ ହଜାଇ ଦେଇଛି । ରାଜ୍ୟର ଏତେ ବଡ ବିସ୍ଫୋରକ ଲୁଟ୍ ଘଟଣାରେ ଖୋଦ ପୁଲିଜ ଡିଜି କଟକରୁ ଆସି ବରିଷ୍ଠ ଅଧିକାରୀଙ୍କ ସହ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି । ବାଇକରେ ଯାଇ ସେ ସ୍ଥିତି ପରଖିଥିଲେ । ସୁନ୍ଦରଗଡ ଜିଲ୍ଲା କେ.ବଲାଙ୍ଗ ଥାନା ବାଙ୍କ ପଥର ଖଣିରେ ମଙ୍ଗଳବାର ଦିନ ପାଖାପାଖି ୨ ଶହ ପେଟି ବିସ୍ଫୋରକ ଲୁଟ୍ ହୋଇଥିଲା । ଏହାକୁ ନେଇ ତନାଘନା ଚାଲିଥିବା ବେଳେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛି କନକ ନ୍ୟୁଜ । ଆଉ ଲୁଟ ହୋଇଥିବା ଗାଡିର ଡ୍ରାଇଭର କହିଛନ୍ତି ଛାତିଥରା କାହାଣୀ । ତାଙ୍କ କହିବା ଅନୁସାରେ
-ମାଓବାଦୀ ବନ୍ଧୁକ ଦେଖାଇ ନେଇଯାଇଛନ୍ତି ୪ ଟନ୍ ବିସ୍ଫୋରକ
- ୬ ଜଣ ମାଓ ପୋଷାକଧାରୀ ମାଓବାଦୀ କରିଛନ୍ତି ଲୁଟ୍
-ଗାଡ଼ି ସହ ଡ୍ରାଇଭରକୁ ଝାଡ଼ଖଣ୍ଡ-ଓଡ଼ିଶା ସରଣ୍ଡା ଜଙ୍ଗଲ ନେଇଯାଇଥିଲେ
-ସରଣ୍ଡା ଜଙ୍ଗଲରେ ଥିଲେ ୩୦-୪୦ ସଶସ୍ତ୍ର ମାଓବାଦୀ
- ବିସ୍ଫୋରକ ପେଟି ନେଇ ଡ୍ରାଇଭରକୁ ଛାଡ଼ିଦେଇଥିଲେ
ଏହାପରେ ପେଟି ଖାଲିକରି ଦୁଇଜଣ ଶ୍ରମିକଙ୍କୁ ଗୋଟିଏ ଘରେ ବନ୍ଦ କରିଦେଇଥିଲେ । ସେମାନେ କୌଶଳକ୍ରମେ ଖଣି ମାଲିକଙ୍କୁ ଫୋନ କରିଥିଲେ । ମାଲିକ କେ.ବଲଙ୍ଗା ଥାନାକୁ ଜଣାଇବା ପରେ ପୂ ରା ଘଟଣା ସାମ୍ନାକୁ ଆସିଥିଲା ।
ବାଙ୍କ ପଥର ଖଣି ନିକଟରେ ପଡିଥିଲା ବିସ୍ଫୋରକର କିଛି କାର୍ଟୁନ । ଯେଉଁମାନେ ବିସ୍ଫୋରକ ନେବା କଥା ସେମାନେ ନେଇଯାଇଛନ୍ତି ଆଉ ପଡିରହିଛି ଖାଲି କାର୍ଟୁନ । ଗତକାଲି(ମଙ୍ଗଳବାର) ସୁନ୍ଦରଗଡ ବଡ଼ଗାଁ ଥାନା ଇତମା ଗାଁରେ ଥିବା ବାରୁଦ ଗୋଦାମରୁ ୨୫ କେଜିଆ ୨ଶହ ପ୍ୟାକେଟ ବାରୁଦ ଏକ ସ୍ୱତନ୍ତ୍ର ଭ୍ୟାନରେ ଜଙ୍ଗଲ ମଧ୍ୟ ଦେଇ ଯିବା ବେଳେ ବିସ୍ଫୋରକକୁ ମାଓବାଦୀ ଲୁଟ୍ କରିଥିବା ସନ୍ଦେହ କରାଯାଉଛି । ଘଟଣା ପରେ ବିସ୍ଫୋରକ ଗୋଦାମକୁ ସିଲ୍ କରାଯାଇଛି । ଷ୍ଟକ୍ ଯାଞ୍ଚ୍ ପାଇଁ ଗୋଦାମ ସିଲ୍ ହୋଇଛି । ପୂର୍ବରୁ ୨୦୦୯ ମସିହାରେ ଠିକ୍ ଏହି ସ୍ଥାନରେଏଭଳି ଘଟଣା ଘଟିଥିଲା । କୋଇଡ଼ା ଥାନା ଅଧିକାରୀ ଅଜିତ ବର୍ଦ୍ଧନକୁ ମାଓବାଦୀମାନେ ହତ୍ୟା କରିଥିଲେ । ଯଦି ମାଓବାଦୀମାନେ ଏତେ ବିସ୍ଫୋରକ ଲୁଟ କରିଛନ୍ତି ତାହାହେଲେ ଏହା ସାଂଘାତିକ ।