କନକ ବ୍ୟୁରୋ : ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ବେଡସିଟ୍ ସଫା ନାଁରେ କୋଟି କୋଟି ଟଙ୍କା ଚଳୁ ହୋଇଥିବା ସାମନାକୁ ଆସିଛି । ତଥ୍ୟ ଅନୁସାରେ ବେଡସିଟ୍ ସଫା ପାଇଁ ୨୦୧୯-୨୦ରେ ୬ ଲକ୍ଷ ୮ହଜାର ୨୧୫ ଟଙ୍କା ଖର୍ଚ୍ଚ ହୋଇଥିଲା । ୨୦୨୦- ୨୧ରେ ୪୫ ଲକ୍ଷ ୬୫ ହଜାର ୩୦୨, ୨୦୨୧-୨୨ରେ ୮୧ ଲକ୍ଷ ୧୮ ହଜାର, ୨୦୨୨-୨୩ରେ ୮୯ଲକ୍ଷ ୪୮ହଜାର ୩୦୬, ୨୦୨୩-୨୪ରେ ୧କୋଟି ୮ ଲକ୍ଷ ୭୯ ହଜାର ୪୮୯ ଓ ୨୦୨୪- ୨୫ ଆର୍ଥିକବର୍ଷର ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ୧ କୋଟି ୪ ଲକ୍ଷ ୮୮ ହଜାର ୯୭୭ ଟଙ୍କା ଖର୍ଚ୍ଚ ହୋଇଛି । ପ୍ରଶ୍ନ ଉଠୁଛି, ୨୦୧୯-୨୦ରେ ୬୪ ହଜାର ରୋଗୀଙ୍କ ପାଇଁ ୬ ଲକ୍ଷ ୮ହଜାର ୨୧୫ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୨୪ ସେପ୍ଟେମ୍ୱର ଶେଷ ସୁଦ୍ଧା ୫୪ ହଜାର ୫୨୬ ରୋଗୀଙ୍କ ପାଇଁ କେମିତି ୧ କୋଟି ୮ଲକ୍ଷ ଟଙ୍କା ଖର୍ଚ୍ଚ ହେଲା । ୪ ବର୍ଷରେ ୪କୋଟି ୩୭ ଟଙ୍କା ଖର୍ଚ୍ଚ ହେବା ପଛରେ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି ।
ତଥ୍ୟ ଅନୁସାରେ, ୨୦୧୯ରେ ୬୪ ହଜାର ୨୪୦ ଜଣ ରୋଗୀ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ୨୦୨୦ରେ ୪ ୯ହଜାର ୯୫, ୨୦୨୧ରେ ୪୮ ହଜାର ୭୪୮, ୨୦୨୨ରେ ୫୫ ହଜାର ୭୦୫, ୨୦୨୩ରେ ୬୦ ହଜାର ୭୬୧ ଓ ୨୦୨୪ ସେପ୍ଟମ୍ବର ମାସ ପର୍ୟ୍ୟନ୍ତ ୫୪ ହଜାର ୫୨୬ଜଣ ରୋଗୀ ଭର୍ତ୍ତି ହୋଇଥିଲେ। ହେଲେ, ବେଡ୍ସିଟ୍ ସଫା ପାଇଁ ନିର୍ଦ୍ଦିଷ୍ଟ ଏକ ସଂସ୍ଥାକୁ ଠିକା ଦିଆଯାଇଥିବାରୁ ଆର୍ଥିକ ହେରଫେର ହୋଇଥିବା ସନ୍ଦେହ ବଢ଼ିଛି । ତେବେ ତଦନ୍ତ ହେଲେ ସବୁ ସତ ପଦାକୁ ଆସିବ ।