କନକ ବ୍ୟୁରୋ: ୮ବର୍ଷ ତଳେ ବାପା ଚାଲିଯାଇଥିଲେ, ୪ ଦିନ ତଳେ ମାଆ ଆଖି ବୁଜିଦେଲା। ଏବେ ଅସହାୟ ଅବସ୍ଥାରେ ୪ ନିରୀହ ପିଲାଙ୍କ ଦିନ କଟୁଛି । ମାଆର ଶୁଦ୍ଧିକ୍ରିୟା କରିବାକୁ ବି ପାଖରେ ପଇସା ନାହିଁ । ଉପାୟ ନପାଇ ଭିକ ମାଗୁଛନ୍ତି ପିଲାମାନେ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଔପଦା ବ୍ଲକ ମହିଷାଡ଼ାଳି ଗାଁରେ ।
ଗରିବ ଆଦିବାସୀ ଅଞ୍ଚଳ ହେଇଥିବାରୁ ସେଇ ଗ୍ରାମର ଗୋପାଳ ସିଂ ମୂଲମଜୁରି କରି ଘର ଚଳାଉଥିଲେ । ହେଲେ ହଠାତ୍ ସେ ରୋଗରେ ପଡ଼ି ଶଯ୍ୟାଶାୟୀ ହୋଇ ୮ ବର୍ଷ ତଳେ ମୃତ୍ୟୁବରଣ କଲେ । ମାଆ ମାଳତୀ ସିଂ ବହୁ କଷ୍ଟରେ ୩ ଝିଅ ଓ ଜଣେ ପୁଅଙ୍କ ଲାଳନପାଳନ କରୁଥିଲେ । ମା ବି ଦୀର୍ଘଦିନ ରୋଗରେ ପଡି ୪ ଦିନ ତଳେ ଆରପାରିକୁ ଚାଲିଗଲେ । ଫଳରେ ବାପମାଆ ଛେଉଣ୍ଡ ୪ ଭାଉଭଉଣୀ ଏବେ ଅସହାୟା ହୋଇପଡିଛନ୍ତି । ମାଆର ଶୁଦ୍ଧି କ୍ରିୟା ପାଇଁ ବି ଘରେ କାଣି କଉଡ଼ିଟିଏ ବି ନାହିଁ । ଫଳରେ ଭିକ ମାଗୁଛନ୍ତି ପିଲାମାନେ । ମାଗିଯାଚି ଖାଉଛନ୍ତି । ଏତେ ପରେ ବି ସ୍ଥାନୀୟ ପ୍ରଶାସନ କି ଅଧିକାରୀ ୪ ଭାଇଭଉଣୀଙ୍କ ପାଖରେ ପହଞ୍ଚି ନଥିବା ଅଭିଯୋଗ ହୋଇଛି । ଏଥିସହ ପିଲାଙ୍କୁ ଯଥାଶୀଘ୍ର ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି।