କନକ ବ୍ୟୁରୋ: କର୍ଣ୍ଣାଟକର ୪ ଜଣ ପର୍ଯ୍ୟଟକଙ୍କ ଝୁଲନ୍ତା ମୃତଦେହ ବିହାରର ନାଳନ୍ଦା ଜିଲ୍ଲାର ଏକ ଧର୍ମଶାଳାରୁ ଶୁକ୍ରବାର ଉଦ୍ଧାର କରାଯାଇଛି । ଏମାନେ ବିହାର ବୁଲିବାକୁ ଯାଇଥିବାବେଳେ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ଜଣେ ବୟସ୍କ ମହିଳା, ତାଙ୍କ ପୁଅ ଓ ଦୁଇ ଝିଅ ଅଛନ୍ତି । ବୌଦ୍ଧ ଓ ଜୈନ ଧର୍ମର ପ୍ରମୁଖ ଧାର୍ମିକସ୍ଥଳ ରାଜଗିର୍ର ଧର୍ମଶାଳାରେ ଏକ କକ୍ଷ ଜିଆର୍ ନାଗ ପ୍ରସାଦଙ୍କ ନାଁରେ ବୁକ୍ ହୋଇଥିଲା ।
ଅଧିକ ପଢ଼ନ୍ତୁ : ନମାଜ ପାଠ ବେଳେ ଆତ୍ମଘାତୀ ବିସ୍ଫୋରଣ, : ୬୯ ମୃତ
ରୁମଟି ତିନିଦିନ ହେଲା ଭିତରୁ ବନ୍ଦ ଥିବାବେଳେ ବାହାରକୁ ଦୁର୍ଗନ୍ଧ ଆସୁଥିବାରୁ ଧର୍ମଶାଳାର ମ୍ୟାନେଜର ସକାଳ ୯ଟା ୪୦ରେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଭିତରେ ପଶିବାରୁ ୪ ଜଣ ପର୍ଯ୍ୟଟକଙ୍କ ଝୁଲନ୍ତା ମୃତଦେହ ଠାବ କରିଥିଲା । ମୃତକ ହେଲେ ଜିଆର୍ ସୁମଙ୍ଗଳା (୭୮), ତାଙ୍କ ଝିଅ ଶିଳ୍ପା ଜିଆର୍ (୪୮), ଶ୍ରୁତ ଜିବି (୪୩), ଓ ପୁଅ ଜିଆର୍ ନାଗ ପ୍ରସାଦ (୫୦) ।
ସମସ୍ତେ କର୍ଣ୍ଣାଟକର ତୁମକୁର୍ ଜିଲ୍ଲାର ଗୁବିର ବାସିନ୍ଦା । ଧର୍ମଶାଳାରୁ ମିଳିଥିବା କାଗଜପତ୍ର ଅନୁଯାୟୀ ଜିଆର୍ ସୁମଙ୍ଗଳା ରତ୍ନବାଳା ରାଜୁଙ୍କ ପତ୍ନୀ ବୋଲି ଜଣାପଡ଼ିଛି । ପୁଲିସ ସେଠାରୁ ମୋବାଇଲ ଫୋନ୍, ୨୫ଟି ନିଦ ଔଷଧ ପ୍ୟାକେଟ, ଆଧାର କାର୍ଡ଼, ପାନ୍ କାର୍ଡ଼, ଏଟିଏମ୍ କାର୍ଡ ଓ ନଗଦ ୧ ଲକ୍ଷ ୧୮ ହଜାର ଟଙ୍କା ଜବତ କରିଛି । ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଫୋରେନସିକ୍ ବିଶେଷଜ୍ଞ ଫଟୋ ଉଠାଇବା ସହିତ ଭିଡିଓ ଚିତ୍ର ମଧ୍ୟ ଉତ୍ତୋଳନ କରିଥିଲେ । ଘଟଣା ସମ୍ପର୍କରେ କର୍ଣ୍ଣାଟକ ପୁଲିସ ମାଧ୍ୟମରେ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ନାଳନ୍ଦା ଜିଲ୍ଲାର ବିହାର ସରିଫ୍ ସ୍ଥିତ ସଦର ହସ୍ପିଟାଲକୁ ପଠାଯାଇଛି । ଏହି ମାମଲାର ସବୁ ଦିଗରୁ ତଦନ୍ତ କରିବାକୁ ନାଳନ୍ଦା ଏସ୍ପି ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଛନ୍ତି ।
Follow Us