କନକ ବ୍ୟୁରୋ: ଏକ ଦେଶ ଏକ ନିର୍ବାଚନ ପାଇଁ ଆଗତ ବିଲ୍‌କୁ ଯୁଗ୍ମ ସଂସଦୀୟ କମିଟି ବା ଜେପିସିକୁ ସମୀକ୍ଷା ପାଇଁ ପଠାଯାଇଛି । ବିଜେପି ସାଂସଦ ପି ପି ଚୌଧାରୀଙ୍କ ଅଧ୍ୟକ୍ଷତାରେ ଗଠିତ ୩୯ ଜଣିଆ ଯୁଗ୍ମ ସଂସଦୀୟ କମିଟି ଏହି ବିଲ୍‌ର ସମୀକ୍ଷା କରିବ । କମିଟିରେ ଲୋକସଭାର ୨୭ ଜଣ ଓ ରାଜ୍ୟସଭାର ୧୨ଜଣ ସାଂସଦ ରହିଛନ୍ତି । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶୁକ୍ରବାର ଜେପିସିକୁ ଦୁଇଟି ବିଲ୍ ପଠାଇଛନ୍ତି । ଯେଉଁଥିରେ ଦେଶରେ ଏକକାଳୀନ ନିର୍ବାଚନ କରାଇବାର ପ୍ରାବଧାନ ରହିଛି । 

Advertisment

ଗତ ୧୭ ତାରିଖରେ ଏହି ପ୍ରସଙ୍ଗରେ ସରଗରମ ବିତର୍କ ପରେ ୧୨୯ତମ ସଂଶୋଧନ ବିଲ୍ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସଂଶୋଧନ ବିଲ୍ ଲୋକସଭାରେ ଆଗତ ହୋଇଥିଲା । ବିରୋଧୀମାନେ ଏହାକୁ ଏକଛତ୍ରବାଦୀ ବୋଲି ଅଭିହିତ କରି ଜୋରଦାର ବିରୋଧ କରିଥିଲେ। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଵାଲ କହିଥିଲେ ଏହି ଆଇନ ରାଜ୍ୟମାନଙ୍କର କ୍ଷମତା ସହିତ କୌଣସି ପ୍ରକାର ସାଲିସ କରିବ ନାହିଁ । ବିରୋଧୀ ଦଳମାନେ ଏହାକୁ ନେଇ ଅଯଥା ବିଭ୍ରାନ୍ତ କରୁଛନ୍ତି । ଯୁଗ୍ମ ସଂସଦୀୟ କମିଟି ଏହି ବିଲ୍‌କୁ ଯାଞ୍ଚ କରି ଲୋକସଭା ବାଚସ୍ପତିଙ୍କ ନିକଟକୁ ପଠାଇବ ଏବଂ କମିଟିର ସୁପାରିସ ଆଧାରରେ ସରକାର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ।