Photograph: (kanaknews)
କନକବ୍ୟୁରୋ : ତାମିଲନାଡ଼ୁର ମଦୁରାଇ ସହର ଭାଣ୍ଡିୟୁର ନିକଟସ୍ଥ ଥିର୍ଥକାଡୁ ଗାଁରେ ରହୁଥିବା ପ୍ରାୟ ୩୬୦ ଦଳିତ ପରିବାର ଗତ ୪୦ ବର୍ଷ ହେଲା ବିଦ୍ୟୁତ, ପାନୀୟଜଳ ପରି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି । ଜମି ପଟା ପ୍ରଦାନକୁ ନେଇ ନଗର ନିଗମ ଏବଂ ରାଜ୍ୟ ରାଜସ୍ୱ ବିଭାଗ ମଧ୍ୟରେ ଚାଲିଥିବା ଟଣାଓଟରା ଯୋଗୁଁ ବିଦ୍ୟୁତ, ପାନୀୟ ଜଳ, ରାସ୍ତା, ଡ୍ରେନେଜ୍ ଏବଂ ପରିମଳ ସୁବିଧା ବିନା ଏଠିକାର ଲୋକ ଜୀବନ ବିତାଉଛନ୍ତି । ଏହି ଅଞ୍ଚଳ ମଦୁରାଇ ସିଟି କର୍ପୋରେସନର ୩୮ ନଂ ୱାର୍ଡ଼ ଓ ମଦୁରାଇ ପୂର୍ବ ବିଧାନସଭା ଅନ୍ତର୍ଗତ ଆସୁଛି । ରାଜ୍ୟର ବାଣିଜ୍ୟିକ ଟିକସ ମନ୍ତ୍ରୀ ଏହି ଅଞ୍ଚଳର ପ୍ରତିନିଧିତ୍ବ କରୁଥିଲେ ମଧ୍ୟ ଥିର୍ଥକାଡୁ ଗ୍ରାମବାସୀଙ୍କ କଥା ସର୍ବଦା ଅକୁହା, ଅଶୁଣା ଏବଂ ଅଦୃଶ୍ୟ ରହିଯାଉଛି ।
ଅନେକ ଗରିବ ଦଳିତ ପରିବାର ବର୍ଷ ବର୍ଷ ଧରି ସହର ଉପକଣ୍ଠରେ ଅବସ୍ଥିତ ଅନୁର୍ବର ଜମିରେ ବସତି ସ୍ଥାପନ କରିଥିଲେ । ପରବର୍ତ୍ତୀ ସମୟରେ ସରକାର ସେମାନଙ୍କୁ ନଅ ଏକର ଜମି ପାଇଁ ପଟ୍ଟା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଗତବର୍ଷ ଡିସେମ୍ବରରେ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ କେବଳ ୬୮ ପରିବାରକୁ ଇ-ପଟ୍ଟା ପ୍ରଦାନ କରିଥିଲେ । ପଟ୍ଟା ପ୍ରଦାନରେ ବିଳମ୍ବ ଯୋଗୁଁ ରାଜ୍ୟ ରାଜସ୍ୱ ବିଭାଗ ଦ୍ୱାରା ସୁବିଧା ବିକାଶ ପାଇଁ ସାଧାରଣ ଜମି ଅଞ୍ଚଳକୁ ନଗର ନିଗମକୁ ହସ୍ତାନ୍ତର କରିବାରେ ବାଧା ସୃଷ୍ଟି ହୋଇଥିଲା , ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ମୌଳିକ ସୁବିଧା ପ୍ରଦାନ କରିବା ନେଇ ବିଳମ୍ବ ହେଉଛି ।
ଏଥିରେ ଅତିଷ୍ଠ ହୋଇ ଥିର୍ଥକାଡୁ ଗ୍ରାମବାସୀ ଏଥର ନିର୍ବାଚନ ବର୍ଜନ କରିବେ ବୋଲି ଧମକ ଦେଇଛନ୍ତି । ଆମେ ଆଗାମୀ କିଛି ଦିନ ମଧ୍ୟରେ ଚେନ୍ନାଇ ଯାଇ ବିଧାନସଭା ଅଭିମୁଖେ ଏକ ରାଲି କରିବାର ଯୋଜନା କରୁଛୁ ବୋଲି ଏସ୍ସି ବାସିନ୍ଦା ସୁରକ୍ଷା କଲ୍ୟାଣ ସଂଘ ସଭାପତି ମୁଥାମିଲ ପାଣ୍ଡିଆନ୍ କହିଛନ୍ତି । ପାଣି ଯୋଗାଣ ବ୍ୟବସ୍ଥା ନଥିବାରୁ ୮୦ ଟଙ୍କା ଦେଇ ୧୦୦ ଲିଟର ବିଶିଷ୍ଟ ବ୍ୟାରେଲ ବୋର୍ୱେଲ ପାଣି ଓ ମାଠିଆ ପିଛା ୧୫ ଟଙ୍କା ହିସାବରେ ପାନୀୟ ଜଳ ଆଣୁଛୁ ବୋଲି ସେ କହିଥିଲେ । ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ୍ ଦିଆଯାଇଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ନଥିବାରୁ ଏହାକୁ ବ୍ୟବହାର କରାଯାଇପାରୁନି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗତ ୪୦ ବର୍ଷରେ ଗାଁରେ ଜଣେ ବି ସ୍ନାତକ କରିନାହାନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି ।
Follow Us