କନକବ୍ୟୁରୋ : ରାୟଗଡା ଜିଲ୍ଲାରେ ରାସନକାର୍ଡ ତାଲିକାକୁ କଡାକଡି ଭାବେ ଯାଞ୍ଚ ଚାଲିଛି। ବର୍ତମାନ ଶୁଦ୍ଧା ୧୧ଟି ବ୍ଳକରୁ ୩୨ ହଜାର ହୀତାଧିକାରୀଙ୍କ ନାଁ କଟାଗଲାଣି। ଅଯୋଗ୍ୟଙ୍କ ତାଲିକାରେ ଅଧିକ ସରକାରୀ କିର୍ମଚାରୀ ଓ ଆୟକରଦାତା ଅଛନ୍ତି । କିନ୍ତୁ ଯୋଗ୍ୟ ହିତାଧିକାରୀ ରାସନ ସାମଗୀରୁ ବଚିଂତ ହଉଛନ୍ତି । ଇ-କେୱାସି ଯାଞ୍ଚରେ ଧରାପଡୁଛନ୍ତି ଅଯୋଗ୍ୟ ରାସନକାର୍ଡ ହିତାଧିକାରୀ। ରାୟଗଡ଼ାରେ ହଜାର ହଜାର ସଂଖ୍ୟାରେ ଭୂତ ରାସନକାର୍ଡ ଧାରୀ ଓ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି । ସେମାନଙ୍କୁ ଖୋଜିଖୋଜି ବାହାର କରୁଛି ଯୋଗାଣ ବିଭାଗ । ୩୨ ହଜାର ୩୮ଜଣ ଅଯୋଗ୍ୟ ହିତାଧିକାରୀଙ୍କ ନାଁ କଟା ଯାଇଛି ।
ତାଲିକାରେ ୫ହଜାର ୨୦୧ଜଣ ସରକାରୀ କର୍ମଚାରୀ ଅଛନ୍ତି । ପ୍ରାୟ ୭ ହଜାର ୩୭୬ ଜଣ ହିତାଧିକାରୀ ଆୟକର ପ୍ରଦାନ କରୁଛନ୍ତି । ବ୍ୟବସାୟୀ, ପୁଲିସ, ଅଧ୍ୟାପକ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, କିରାଣୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ହାତେଇଥିଲେ ରାସନକାର୍ଡ । ଅନେକ ଯୋଗ୍ୟ ହିତାଧିକାରୀ ରାସନକାର୍ଡରୁ ବାଦ ପଡ଼ିଥିବା ବେଳେ ଅଯୋଗ୍ୟ ହିତାଧିକାରୀ ବର୍ଷବର୍ଷ ଧରି ମାଗଣା ଚାଉଳ, ଗହମ ଖାଉଥିଲେ। ୧୧ଟି ବ୍ଳକର ୩୨ ହଜାର ହୀତାଧିକାରୀ ଜାଲ ପ୍ରମାଣ ପତ୍ର ଦେଇ ରାସନକାର୍ଡ ନେଇଛନ୍ତି । ପୂର୍ବତନ ଆଇନମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନିର୍ବାଚନ ମଣ୍ଡଳିର ବିଷମକଟକ ବ୍ଳକରେ ସର୍ବାଧିକ ୯୮୫ ଜଣ ସରକାରୀ କର୍ମଚାରୀ ଓ ଆୟକରଦାତା ରାସନକାର୍ଡ ହାତେଇଛନ୍ତି ।
ଅନ୍ୟପଟେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ହଜାରହଜାର ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ବୟସ୍କ ବୃଦ୍ଧବୃଦ୍ଧାଙ୍କ ଆଙ୍ଗୁଠି ଓ ଆଖି ସ୍କାନ ହୋଇପାରୁନଥିବାରୁ କାର୍ଡ ପାଇପାରୁନାହାନ୍ତି। ଏଭଳି ଜଟିଳ ପ୍ରକ୍ରିୟାକୁ ବନ୍ଦ କରି ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିବେ ବୋଲି କହିଛନ୍ତି ସାଂସଦ ସପ୍ତଗିରି ଉଲ୍ଲାକା । ହଜାରହଜାର ସଂଖ୍ୟାରେ ଅଯୋଗ୍ୟ ହିତାଧିକାରୀ ଗରିବଙ୍କ ଯୋଜନା ହଡ଼ପ କରିଛନ୍ତି। ସେମାନଙ୍କ ବିରୁଦ୍ଧରେ ସରକାର କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଏବେ ତାକୁ ହିଁ ଅପେକ୍ଷା ।