କନକ ବ୍ୟୁରୋ: ଦିନ ଗଡୁଛି, ଆମେରିକାର ନିଆଁ ଭୟଙ୍କର ରୂପ ନେଉଛି । ସ୍ଥିତି ତ ଏମିତି ହେଲାଣି ଯେ ଲୋକେ ଘରୁ ବାହାରିବାକୁ ବି ଡରିଲେଣି । ଖାସ କରି ଆମେରିକାର ଲସଆଞ୍ଜେଲସ ସହର ସର୍ବାଧିକ କ୍ଷତି ହୋଇଛି । ବୁଧବାର ରାତିରୁ ସହରର ପୁଣି ଏକ ନୂଆ ଜଙ୍ଗଲକୁ ନିଆଁ ବ୍ୟାପିଛି । ଯାହା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ସାଜିଛି । ଗୋଟିଏ ପଟେ ଅଗ୍ନିଶମ ବାହିନୀ ଦିନରାତି ଏକ କରି ନିଆଁ ଲିଭା କାର୍ଯ୍ୟରେ ସାମିଲ ଅଛି, ଅନ୍ୟପଟେ ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ନିଆଁ ବ୍ୟାପିବାରେ ଲାଗିଛି । ଆମେରିକାର ଗଣମାଧ୍ୟମର ରିପୋର୍ଟ ଅନୁସାରେ,ମାତ୍ର କିଛି ସେକେଣ୍ଡରେ ୩୨ ଶହ ହେକ୍ଟର ପର୍ଯ୍ୟନ୍ତ ଜଙ୍ଗଲ ନିଆଁ ବ୍ୟାପିଯାଉଛି । ଯେହେତୁ ପବନର ବେଗ ଅଧିକ ରହିଛି । ତେଣୁ ଖୁବକମ୍‌ ସମୟ ମଧ୍ୟରେ ନିଆଁ ଜଙ୍ଗଲରେ ବ୍ୟାପିଯାଉଛି । 

Advertisment

ଆମେରିକାରେ ନିଆଁ ଜଳୁଛି
ଲସଆଞ୍ଜେଲସ୍‌ ସ୍ଥିତି ସଙ୍ଗୀନ
୩୧ ହଜାର ଲୋକଙ୍କୁ ଘର ଛାଡ଼ିବାକୁ ନିର୍ଦ୍ଦେଶ
ସ୍ଥାନୀୟ ଲୋକଙ୍କ ପାଇଁ ଜାରି ହେଲା ଜରୁରୀକାଳୀନ ଆର୍ଲଟ
ନିଆଁ ବ୍ୟାପୁଥିବାରୁ ଘର ଛାଡ଼ିବାକୁ ନିର୍ଦ୍ଦେଶ

୧୫ ଦିନ ହେଲାଣି ଆମେରିକାରେ ନିଆଁ ଲାଗିଛି । ପ୍ରଶାସନର ପ୍ରାଣମୂର୍ଚ୍ଛା ଉଦ୍ୟମ ପରେ ବି ନିଆଁ ଆୟତ୍ତ ହେଉନି । ପରିସ୍ଥିତିକୁ ନଜରରେ ରଖି, ଲସଆଞ୍ଜେଲସରେ ଜରୁରୀକାଳୀନ ଆଲର୍ଟ ଜାରି କରାଯାଇଛି । ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ନିଆଁର ଭୟାଭୟତା ଦେଖି ଲୋକଙ୍କୁ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । କେଉଁ ମୁହୂର୍ତ୍ତରେ ବି ଘର ଭିତରେ ନିଆଁ ପଶିଯିବ ତାହା କହିବା ମୁସ୍କିଲ । ତେଣୁ ନିଆଁ ଘରେ ପହଞ୍ଚିବା ପୂର୍ବରୁ ଆପଣ ଘର ଛାଡିଦିଅନ୍ତୁ ବୋଲି ପ୍ରଶାସନ କହିଛି ।

ନିଆଁ ଲିଭା କାମରେ ରୋବର୍ଟ
ଆଖି ଆଗରେ ଛାରଖାର ହେଉଛି କୋଟି କୋଟି ସମ୍ପତ୍ତି

ଆମେରିକାରେ ଲାଗିଥିବା ନିଆଁକୁ ଦେଖି ପ୍ରଶାସନ ମୁଣ୍ଡ କାମ କରୁନଥିବା ସ୍ଥିତିରେ । ପୂର୍ବରୁ ଏତେ ଭୟଙ୍କର ନିଆଁ କେବେ ଦେଖିବାକୁ ମିଳିନଥିଲା । ହେଲେ ଏବେର ନିଆଁ ପୁରା ଆମେରିକାରେ ହା ହା କାର ସ୍ଥିତି କରିଦେଇଛି । ନିଆଁର ମାତ୍ରା ଏତେ ଅଧିକ ରହିଛି ଯେ ଉଭୟ ଆକାଶ ଓ ସ୍ଥଳଭାଗରୁ ନିଆଁ ଲିଭା କାର୍ଯ୍ୟ ଚାଲିଛି ସତ ହେଲେ ନିଆଁ ଲିଭୁନି । ନିଆଁ ଧାସରେ ମଣିଷ ପଶିବା ସମ୍ଭବ ହେଉନଥିବାରୁ ରୋବର୍ଟ ମଧ୍ୟ ନିଆଁ ଲିଭା କାର୍ଯ୍ୟରେ ସାମିଲ ହୋଇଛି । 

ନିଆଁର ଆଁରେ ଆମେରିକା

ବିକଶିତ ରାଷ୍ଟ୍ର ଆମେରିକା । କିନ୍ତୁ ଗତ କିଛିଦନ ତଳେ ଲାଗିଥିବା ନିଆଁ ପାଇଁ ଆମେରିକା ପ୍ରଶାସନ ଚିନ୍ତାରେ । କେମିତି ନିଆଁକୁ ଆୟତ୍ତ କରାଯିବ ସେନେଇ ଯେତେ ରଣନୀତି ପ୍ରସ୍ତୁତି କଲେ ବି ନିଆଁ ଲିଭୁନି । ବର୍ତ୍ତମାନ ସୁଦ୍ଧା ନିଆଁରେ ୨୫ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ବ୍ୟକ୍ତି ନିଖୋଜ ଅଛନ୍ତି । ତେବେ ସେମାନେ ଜୀବିତ କି ମୃତ ସେନେଇ କାହା ପାଖରେ ବି କିଛି ସୂଚନା ନାହିଁ । ଏପଟେ, ନିଆଁ କିନ୍ତୁ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ବ୍ୟାପିବାରେ ଲାଗିଛି । ଏମିତି ସ୍ଥିତିରେ ଆମେରିକା ସରକାର କେମିତି ନିଆଁକୁ ଆୟତ୍ତ କରୁଛନ୍ତି, କେମିତି ଲୋକଙ୍କୁ ସୁରକ୍ଷିତ ରଖୁଛନ୍ତି ତାହା ଦେଖିବାକୁ ବାକି ରହିଲା ।