କନକ ବ୍ୟୁରୋ: ମାସକ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ନିର୍ବାଚନ ଲାଗି ସରଗରମ ହେଲାଣି ରାଜନୀତି । ଶାସକ ଦଳ ଆପ୍‌, ବିରୋଧୀ ବିଜେପି ଓ କଂଗ୍ରେସ ରଣନୀତି ସହ ମୈଦାନକୁ ଓହ୍ଲାଇଲେଣି । ପୂଜାରୀଙ୍କୁ ନେଇ ଆପ୍‌ ଖାସ ଯୋଜନା କରିଥିବା ବେଳେ ବିରୋଧୀ ବିଜେପି ପ୍ରାର୍ଥୀଙ୍କ ଲାଗି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଠିକ୍‌ ସେମିତି କଂଗ୍ରେସ ବି ଲୋକାଭିମୁଖୀ ଯୋଜନା କରି ଭୋଟ୍‌ ନେବା ପାଇଁ ପ୍ଲାନ କରିଛି । ବିଶେଷ ଭାବରେ ମହିଳାଙ୍କୁ ସର୍ବାଧିକ  ଗୁରୁତ୍ବ ଦିଆଯାଇଛି । ଦଳ ଯଦି ଦିଲ୍ଲୀରେ ସରକାର କରେ ତାହାଲେ ମହିଳାଙ୍କୁ ମାସକୁ ୩ ହଜାର ଟଙ୍କା ସହିତ ସ୍ବାସ୍ଥ୍ୟ ବୀମା ମଧ୍ୟ ପ୍ରଦାନ କରାଯିବ । କେବଳ ଏତିକି ନୁହେଁ ଆହୁରି ଅନେକ ଯୋଜନା ଦଳ ପକ୍ଷରୁ କରାଯାଇଛି । ଖୁବଶୀଘ୍ର ଦଳ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯିବା ନେଇ ସୂଚନା ମିଳିଛି ।

Advertisment


ସରଗରମ ହେଲାଣି ଦିଲ୍ଲୀ ରାଜନୀତି
ଭୋଟ୍‌ ପାଇଁ ଭଣ୍ଡାର ଖୋଲିଦେଲା କଂଗ୍ରେସ
ସରକାରକୁ ଆସିଲେ ମହିଳାଙ୍କୁ ମାସକୁ ମିଳିବ ୩ ହଜାର ସହ ସ୍ବାସ୍ଥ୍ୟବୀମା

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଜାନୁଆରୀ ୬ ତାରିଖରେ କଂଗ୍ରେସର ବରିଷ୍ଠ ନେତା ପ୍ରେସମିଟ୍‌ କରି ଦଳର ନିର୍ବାଚନୀ ଇସ୍ତାହାର ଘୋଷଣା କରିବେ । ଏହାପରେ ପରେ ଦଳର ଜାତୀୟ ନେତା ଦିଲ୍ଲୀ ନିର୍ବାଚନ ଲାଗି ପ୍ରଚାର ମଇଦାନକୁ ଓହ୍ଲାଇବେ । ପୂର୍ବରୁ ଆପ୍‌ ଓ ବିଜେପି ପ୍ରଚାର ମୈଦାନକୁ ଓହ୍ଲାଇ ସାରିଛନ୍ତି । କେବଳ ଓହ୍ଲାଇଛନ୍ତି ତାହା ନୁହେଁ ବରଂ ମୋଦି ଗତକାଲି ଉଭୟ କଂଗ୍ରେସ ଓ ଆପ୍‌କୁ କଡ଼ା ଟାର୍ଗେଟ୍‌ କରିଥିଲେ । କହିଥିଲେ, ଦେଶରେ ଲଗାତାର ୧୦ ବର୍ଷ କଂଗ୍ରେସ ସରକାର କରିବା ପରେ ବି ବିକାଶ ଯେମିତି ହେବାର ଥିଲା ସେମିତି ହେଲା ନାହିଁ । ରାଜ୍ୟ ସରକାର କେନ୍ଦ୍ରକୁ ସହଯୋଗ କଲେ ବିକାଶ ଡବଲ ହେବ ବୋଲି କହିବା ସହିତ ସହରର ବିକାଶ ହେଲେ ଦେଶର ବିକାଶ ହେବ ବୋଲି ମୋଦି କହିଛନ୍ତି । ସେପଟେ, ଆପ୍‌ ପକ୍ଷରୁ କେଜ୍ରିୱାଲ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଏଥର ବିଶେଷ ଭାବରେ ବ୍ରାହ୍ମଣଙ୍କ ଲାଗି ଯୋଜନା କରାଯାଇଥିବାରୁ ଚର୍ଚ୍ଚା ଜୋର ଧରିଛି ।

ଦିଲ୍ଲୀ ନିର୍ବାଚନ ଲାଗି ଆରମ୍ଭ ହୋଇଥିବା ହାଇଭୋଲଟେଜ୍‌ ପ୍ରଚାର ଭିତରେ ସାମାନ୍ୟ ପଛରେ ପଡ଼ିଯାଇଛି କଂଗ୍ରେସ ବୋଲି ଚର୍ଚ୍ଚା ହେଉଥିବା ବେଳେ ଦଳର ନେତା କହିଛନ୍ତି, କଂଗ୍ରେସ କେବେ ପଛରେ ରହିବନି । ଆମେ ଲୋକଙ୍କ ଲାଗି କଣ କରିବୁ ସେନେଇ ନିର୍ବାଚନୀ ଇସ୍ତାହାର ଆସନ୍ତା ୬ ତାରିଖରେ ପ୍ରକାଶ ପାଇବ । ସେହି ପ୍ରତିଶୃତିର କାର୍ଡ ନେଇ ଲୋକଙ୍କୁ ଭୋଟ୍‌ ମାଗିବୁ । ଆମେ ଯାହା କହୁ ତାହା କରୁ । ତେଣୁ ଏଥର ଦିଲ୍ଲୀରେ ନିଶ୍ଚିତ କଂଗ୍ରେସ ଆସିବ । ଏହାସହ ଦିଲ୍ଲୀ ନିର୍ବାଚନ ପ୍ରଚାର ପାଇଁ କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ, ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଜାତୀୟ ସ୍ତରର ଅନେକ ନେତା ପ୍ରଚାର ମୈଦାନକୁ ଓହ୍ଲାଇବେ । 

କଂଗ୍ରେସ ଫୋକସରେ ମହିଳା

ଏଥର ନିର୍ବାଚନରେ ମହିଳାଙ୍କୁ ଫୋକସ କରିଛି କଂଗ୍ରେସ । ସେଇଥି ଲାଗି ତ ଦଳ ସରକାରକୁ ଆସିଲେ ଡିବିଟି ଜରିଆରେ ମହିଳାଙ୍କୁ ମାସକୁ ଅଢେଇ ହଜାରରୁ ୩ ହଜାର ପର୍ଯ୍ୟନ୍ତ ଟଙ୍କା ମିଳିବ ବୋଲି କୁହାଯାଇଛି ।

ସ୍ବାସ୍ଥ୍ୟବୀମା

ସରକାରକୁ ଆସିଲେ ରାଜ୍ୟର ପ୍ରତି ଲୋକଙ୍କ ଲାଗି ସ୍ବାସ୍ଥ୍ୟବୀମା କରାଯିବାର ବ୍ୟବସ୍ଥା କରାଯିବ । 

ଯୁବବର୍ଗଙ୍କୁ ଚାକିରି

ଏଥର ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେଉଥିବାରୁ ପ୍ରତି ଦଳ ପକ୍ଷରୁ ଚାକିରିକୁ ଗୁରୁତ୍ବ ଦିଆଯାଉଛି । ତେଣୁ କଂଗ୍ରେସ ବି ଏନେଇ ପ୍ରତିଶ୍ରୁତି ବର୍ଷା କରିଛି ।

ସମସ୍ତଙ୍କୁ ରାସନ

ଦିଲ୍ଲୀରେ ଏବେ ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଗରିବ ଥିବା ପରେ ରାସନ କାର୍ଡ ପାଉନାହାନ୍ତି । ତେଣୁ ସମସ୍ତଙ୍କୁ ରାସନ କାର୍ଡ ଦେବାକୁ କଂଗ୍ରେସ ଘୋଷଣା କରିଛି । ଏମିତି ପ୍ରତିଶ୍ରୁତି ବର୍ଷା ପରେ କଂଗ୍ରେସ ସପକ୍ଷରେ ଅଧିକ ଭୋଟ ପଡ଼ିବା ନେଇ ଦଳର ନେତା ଆଶା ରଖିଛନ୍ତି । 

ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ, ଦିଲ୍ଲୀରେ ବିଧାନସଭା ଆସନ ସଂଖ୍ୟା ୭୦ । ଏବେ ସେଠାରେ ଆପ୍‌ର ସରକାର ଥିବା ବେଳେ ଆତିଶୀ ମୁଖ୍ୟମନ୍ତ୍ରୀ ଅଛନ୍ତି । ଲଗାତାର ୧୦ ବର୍ଷ ହେଲାଣି ଦିଲ୍ଲୀରେ ଆପ୍‌ ସରକାର ଥିବା ବେଳେ ପୂର୍ବରୁ ଲଗାତାର ୧୫ ବର୍ଷ କଂଗ୍ରେସ ସରକାର ଥିଲା । ୧୯୯୩ ମସିହାରେ ଦିଲ୍ଲୀରେ ପ୍ରଥମଥର ଲାଗି ବିଜେପି ବିଜୟ ହୋଇଥିଲା । ତେଣୁ ଏଥର ବିଜେପି ବିଜୟ ହେବ ବୋଲି ଦଳର ନେତା ଆଶା ରଖିଛନ୍ତି ।