କନକ ବ୍ୟୁରୋ: ପାଠ ପଢ଼ିବାରୁ ଭୋଗିଲେ ସାମାଜିକ ବାସନ୍ଦ। ତଥାପି ହାର ମାନିଲେନି। ଭାଙ୍ଗିଲେ ସବୁ ପ୍ରତିବନ୍ଧକ ଓ ରୁଢ଼ିବାଦୀ ପରମ୍ପରା। ସମ୍ପ୍ରଦାୟରେ ପ୍ରଚଳିତ ନିୟମ ପାଇଁ ଜନଜାତିର ଝିଅଙ୍କ ପାଇଁ ଉଚ୍ଚଶିକ୍ଷା ବାରଣ ଥିଲା। ଏବେ ସେହି ଧାରା ବଦଳିଛି। ଆଉ ସେ ଧାରା ବଦଳାଇଛନ୍ତି, ନୂଆପଡ଼ା କୋମନ ବ୍ଲକ ସୁନାବେଡ଼ା ଅଭୟାରଣ୍ୟ ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ତିନି ଉଚ୍ଚାଭିଳାଷୀ ଯୁବତୀ।

Advertisment

ସମାଜକୁ ନୂଆ ଦିଗଦର୍ଶନ ଦେଉଛନ୍ତି ସୁନାବେଡ଼ା ଅଭୟାରଣ୍ୟ ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ତିନି ଯୁବତୀ। ସେମାନଙ୍କ ତତ୍ତ୍ଵାବଧାନରେ ପ୍ରାୟ ୫ଶହ ଝିଅ ଶିକ୍ଷିତ ପରିବର୍ତ୍ତନ ଧାରାରେ ସାମଲ ହୋଇଛନ୍ତି। ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଲୋକଙ୍କ ସାମାଜିକ ରୀତିନୀତି, ସଂସ୍କୃତି ଓ ପରମ୍ପରା ଅନ୍ୟମାନଙ୍କ ଠାରୁ ଭିନ୍ନ। ଝିଅ ଓ ମହିଳାଙ୍କ ପାଇଁ ସମାଜିକ କଟକଣା ବେଶ୍‌ କଠୋର। ଝିଅ କୁମାରୀତ୍ଵ ଲାଭ ପରେ ଷଷ୍ଠ ଶ୍ରେଣୀରୁ ବନ୍ଦ ହୋଇଯାଏ ପାଠ ପଢ଼ା। ବାହାରେ ଖାଇବା, ସାଇକଲ ଚଢ଼ିବା ମନା। ନିୟମ ଅବମାନନା କଲେ ଭୋଗିବାକୁ ପଡ଼େ ସାମାଜିକ ବାସନ୍ଦ ଦଣ୍ଡ। ସେହି ବାସନ୍ଦ ଦଣ୍ଡ ଭୋଗି ମଧ୍ୟ ନିଜକୁ ଉଚ୍ଚଶିକ୍ଷତ କରିଗଢ଼ିଛନ୍ତି ସୁନାବେଢ଼ାର ସୁନାଝିଅ ଚାନ୍ଦିନୀ, ଜୟଶ୍ରୀ ଓ ତ୍ରିବେଣୀ। 

ଜୁନାପାଣି ଗାଁର ଚାନ୍ଦିନୀ ଓ ତ୍ରିବେଣୀ ସିଂହ। ସନବାହାଲି ଗାଁର ବିଜୟ ଝାଙ୍କରଙ୍କ ଝିଅ ଜୟଶ୍ରୀ । ତିନି ଜଣ ଯାକ ୨୦୦୭ରେ ମାଟ୍ରିକ୍ ପାସ୍ କରିଥିଲେ। ସାମାଜିକ ବାସନ୍ଦକୁ ଖାତିର ନକରି ସମ୍ପୃକ୍ତ ଯୁବତୀମାନେ ବାହାରେ ରହି ପାଠ ପଢ଼ିଲେ। ଚାନ୍ଦିନୀ ଏଏନ୍‌ଏମ୍ ପ୍ରଶିକ୍ଷଣ ପରେ ସୁନାବେଡ଼ା ଓ ସୋସେଙ୍ଗ ପଞ୍ଚାୟତରେ ମହିଳା ସ୍ବାସ୍ଥ୍ୟକର୍ମୀ ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ସାଲେପଡ଼ାରେ ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା (ସିବିଡିଏ) ଦ୍ଵାରା ପରିଚାଳିତ ସ୍ବତନ୍ତ୍ର ବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତି ତ୍ରିବେଣୀ ଓ ଜୟଶ୍ରୀ। 


ଚାନ୍ଦିନୀ, ତ୍ରିବେଣୀ ଓ ଜୟଶ୍ରୀଙ୍କ ଦିଗ୍‌ଦର୍ଶନରେ ଅଭୟାରଣ୍ୟ ଅଞ୍ଚଳର ଝିଅମାନଙ୍କ ଜୀବନ ଧାରା ବଦଳିଛି। ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ପ୍ରାୟ ୫୦୦ ଝିଅ ମାଟ୍ରିକ ପାସ୍‌ କଲେଣି। ଜୟଶ୍ରୀଙ୍କ ସାନଭଉଣୀ ଜେମ୍‌ନୀ ଭୁବନେଶ୍ୱରର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡି କରୁଛନ୍ତି। ଆହୁରି ଅନେକେ ଉଚ୍ଚଶିକ୍ଷା ଲାଭକରି ସମାଜସେବାରେ ନିୟୋଜିତ ଅଛନ୍ତି।