କନକ ବ୍ୟୁରୋ :  ଓଡ଼ିଶାରେ ଗଡ଼ିବ ଆଉ ୩ଟି ନୂଆ ବନ୍ଦେ ଭାରତ ଟ୍ରେନ । ଆସନ୍ତା ୧୫ ତାରିଖରେ ସାରା ଦେଶରେ ୧୦ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଥି ମଧ୍ୟରୁ ଓଡ଼ିଶାରେ ୩ଟି ଟ୍ରେନ ଚାଲିବ । ବ୍ରହ୍ମପୁର ଷ୍ଟେସନରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନିମନ୍ତ୍ରଣ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ରେଳ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରେମେଶ୍ବର ଫୁଙ୍କୱାଲ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଦେଇ ନିମନ୍ତ୍ରଣ କରିଛନ୍ତି । ନିମନ୍ତ୍ରଣ ପାଇଁ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଓଡ଼ିଶାରେ ଏବେ ୩ଟି ବନ୍ଦେ ଭାରତ ଟ୍ରେନ ଚଳାଚଳ କରୁଛି ।  ନୂତନ ୩ଟି ଟ୍ରେନ ମିଶିଲେ ସମୁଦାୟ ୬ଟି ବନ୍ଦେ ଭାରତ ଓଡ଼ିଶାବାସୀଙ୍କୁ ସେବା ଯୋଗାଇବ। ଆସନ୍ତା ୧୫ ତାରିଖରୁ ୩ଟି ନୂଆ ଟ୍ରେନ ଚଳାଚଳ କରିବ । ସେଗୁଡିକ ହେଲା ଟାଟାନଗର-ବ୍ରହ୍ମପୁର ବନ୍ଦେଭାରତ, ରାଉରକେଲା -ହାୱଡା ବନ୍ଦେ ଭାରତ, ଦୁର୍ଗ-ବିଶାଖାପଟଣା ବନ୍ଦେ ଭାରତ ।