ଦେଶରେ ବଢୁଥିବା ଡିଜିଟାଲ ଆରେଷ୍ଟ ଘଟଣା ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏପର୍ଯ୍ୟନ୍ତ ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସଂସ୍ଥା ଛଅଟି ରାଜ୍ୟରେ ଏକକାଳୀନ ଚଢାଉ କରି ​​ କେରଳର ଜଣେ ବୃଦ୍ଧଙ୍କଠାରୁ ୧ କୋଟି ୮୬ ଲକ୍ଷ ଠକେଇ କରିଥିବା ଏକ ନେଟୱାର୍କର ପର୍ଦ୍ଦାଫାସ୍ କରିଛି। ଏହି ଅଭିଯାନ ସମୟରେ, ସିବିଆଇ ନାଗପୁର, ଗୋଆ ଏବଂ ବେଙ୍ଗାଲୁରୁରୁ ତିନି ଜଣ ପ୍ରମୁଖ ମାଷ୍ଟରମାଇଣ୍ଡଙ୍କୁ ଗିରଫ କରିଛି।

Advertisment

ମହମ୍ମଦ ମୁସ୍ତାକ (ନାଗପୁର): ସେ ଏକ ଜାଲ କମ୍ପାନି ଚଳାଉଥିଲେ। ସେ ଜାଲିଆତି କରି କଳା ଟଙ୍କା ଧଳା କରିବା ପାଇଁ ତାଙ୍କ କମ୍ପାନିର ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରିଥିଲେ। ତାଙ୍କ ନିକଟରୁ ବହୁ ସଂଖ୍ୟକ ଡେବିଟ୍ କାର୍ଡ ଏବଂ ଡିଜିଟାଲ୍ ଡିଭାଇସ୍ ଜବତ କରାଯାଇଥିଲା।

ବ୍ଲେସିନ୍ ଜାକବ୍ ଆବ୍ରାହମ୍ (ଗୋଆ): ସେ ଏକ ମ୍ୟୁଲ୍ ଆକାଉଣ୍ଟ୍ (ମନି ଲଣ୍ଡରିଂ ପାଇଁ ବ୍ୟବହୃତ ଏକ ଆକାଉଣ୍ଟ)ର ପରିଚାଳକ ବୋଲି ସନ୍ଦେହ କରାଯାଉଛି। ସେ କ୍ରିପ୍ଟୋକରେନ୍ସି ବ୍ୟବହାର କରି ଟଙ୍କା କାରବାରରେ ମଧ୍ୟ ଜଡିତ ଥିବା କୁହାଯାଉଛି।

ମହମ୍ମଦ ଜୁନୈଦ (ବେଙ୍ଗାଲୁରୁ): ସେ ନକଲି ସିମ୍ କାର୍ଡ ବ୍ୟବହାର କରି ଏଭଳି କାର୍ଯ୍ୟ କରୁଥିଲେ। ସେ ଲୋକମାନଙ୍କୁ ୫ଜି ସିମ୍ ଅପଗ୍ରେଡ୍ କରିବାର ପ୍ରତିଶ୍ରୁତି ଦେଇ ପ୍ରଲୋଭିତ କରୁଥିଲେ, ତା''''ପରେ ସେମାନଙ୍କର କେୱାଇସି ଡକ୍ୟୁମେଣ୍ଟର ଅପବ୍ୟବହାର କରୁଥିଲେ ତଥା ଏହି ସିମ୍ କାର୍ଡଗୁଡ଼ିକୁ ସାଇବର ଅପରାଧ ପାଇଁ ବ୍ୟବହାର କରୁଥିଲେ।

ସିବିଆଇ ମହାରାଷ୍ଟ୍ର (ନାଗପୁର), ଗୋଆ, କର୍ଣ୍ଣାଟକ (ବେଙ୍ଗାଲୁରୁ), କେରଳ (ପାଲକ୍କଡ), ତେଲେଙ୍ଗାନା (ହାଇଦ୍ରାବାଦ) ଏବଂ ଦିଲ୍ଲୀରେ ଏକକାଳୀନ ଚଢ଼ାଉ କରିଥିଲା। ତଦନ୍ତରୁ ଜଣାପଡୁଛି ଯେ ଏହି ଗ୍ୟାଙ୍ଗର ବିଦେଶୀ ଦେଶ ସହିତ ସମ୍ପର୍କ ଅଛି। ସାଇବର ଠକେଇ କାର୍ଯ୍ୟକଳାପ ସୀମା ପାର ହୋଇ ଚାଲିଥିବା ସନ୍ଦେହ କରାଯାଉଛି।ଚଢାଉ ସମୟରେ, ଡିଜିଟାଲ୍ ଡିଭାଇସ୍, ଅନେକ ବ୍ୟାଙ୍କର ଡେବିଟ୍ କାର୍ଡ ଏବଂ ଅପରାଧିକ କାଗଜପତ୍ର ଜବତ କରାଯାଇଛି। ସେସବୁର ଯାଞ୍ଚ୍ କରାଯାଉଛି।