କନକ ବ୍ୟୁରୋ: ମାର୍ଚ୍ଚ ୩, ଏହି ଦିନକୁ ପ୍ରତିଟି କ୍ରିକେଟ ଫ୍ୟାନ ନିଶ୍ଚିତ ମନେ ରଖିଥିବେ । କାରଣ ଏହି ଦିନ କ୍ରିକେଟ ଇତିହାସର କଳା ଦିନ ବୋଲି କୁହାଯାଏ । ଏହି ଦିନ ଅର୍ଥାତ ୨୦୦୯ ମାର୍ଚ୍ଚ ୩ ତାରିଖରେ ପାକିସ୍ତାନର ଲାହୋରରେ ଶ୍ରୀଲଙ୍କା କ୍ରିକେଟ ଉପରେ ସବୁଠାରୁ ବଡ ଆତଙ୍କୀ ଆକ୍ରମଣ ହୋଇଥିଲା । ଯେଉଁଥିରେ ୮ ପୋଲିସ କର୍ମୀ ପ୍ରାଣ ହରାଇଥିବା ବେଳେ ୬ ଜଣ ଆହତ ହୋଇଥିଲେ । ଏହି ଆତଙ୍କୀ ଆକ୍ରମଣରୁ ପାକିସ୍ତାନ ଆଜି ବି ବାହାରି ପାରୁନି । ଦେଶ ଅନେକ ବର୍ଷ ଯାଏଁ ଅନ୍ତର୍ଜାତୀୟ କ୍ରିକେଟ ଆୟୋଜନଠାରୁ ଦୂରେଇ ରହିଥିଲା । ଏମିତି କି ଅନେକ ଦେଶ ପାକିସ୍ତାନ ଗସ୍ତ ବନ୍ଦ କରିଦେଇଥିଲେ । ଏଥିପାଇଁ ପିସିବିକୁ ବଡ ରାଜସ୍ୱ କ୍ଷତି ସହିବାକୁ ପଡିଥିଲା । 

Advertisment

୨୦୦୯ରେ ଶ୍ରୀଲଙ୍କା କ୍ରିକେଟ ଟିମ ପାକିସ୍ତାନ ଗସ୍ତରେ ଯାଇଥିଲା । ଲାହୋରରେ ତାଙ୍କ ବସ ଗଦ୍ଦାଫି ଷ୍ଟାଡିୟମକୁ ଯାଉଥିଲା । ଷ୍ଟାଡିୟମ ବାହାରେ ହଠାତ ଦୁଇଟି ଗାଡିରୁ ୧୨ ଆତଙ୍କବାଦୀ ବାହାରିଥିଲେ । ସେମାନେ ଖେଳାଳିଙ୍କ ବସ ଉପରକୁ ଆଖିବୁଜା ଗୁଳା ଚାଳନା କରିଥିଲେ । ଗୁଳି ମାଡି ଦେଖି ବସରେ ବସିଥିବା ଖେଳାଳି ବସ ତଳେ ଶୋଇପଡିଥିଲେ । ଗୁଳି ମାଡରେ ବସ କାଚ ଗୁଣ୍ଡ ହୋଇଯାଇଥିଲା । ଏମିତି କି ଆତଙ୍କବାଦୀମାନେ ରକେଟ ଓ ହେଡ ଗ୍ରେନେଡରେ ବି ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ଏହି ଘଟଣା ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା । ହେଲେ ସୁରକ୍ଷାକର୍ମୀ ସଙ୍ଗେ ସଙ୍ଗେ ମୋର୍ଚ୍ଚା ସମ୍ଭାଳିଥିଲେ । ଆତଙ୍କୀ ଆକ୍ରମଣକୁ ପଣ୍ଡ କରିଦେଇ ବସକୁ ଷ୍ଟାଡିୟମରେ ପହଞ୍ଚାଇଥିଲେ । 
ଏହି ଆକ୍ରମଣରେ ଶ୍ରୀଲଙ୍କା ଖେଳାଳିଙ୍କ ଜୀବନ ବଞ୍ଚାଇଦେଇଥିଲା ସତ ହେଲେ କିଛି ଖେଳାଳି ଆହତ ହୋଇଥିଲେ । ସେହି ଭୟଙ୍କର ଘଟଣା ଆଜି ବି ଶ୍ରୀଲଙ୍କା ଖେଳାଳିଙ୍କ ମନରେ ରହିଛି, ଆଉ ସେହି ଦୃଶ୍ୟକୁ ଯିଏ ଦେଖିଛି ସେ କେବେ ବି ତାହା ଭୁଲିବନି । ରିପୋର୍ଟ ଅନୁସାରେ, ଶ୍ରୀଲଙ୍କା ଅଧିନାୟକ ମାହେଲା ଜୟବର୍ଦ୍ଦନେଙ୍କ ଗୋଡରେ ଗୁଳି ବାଜିଥିବାବେଳେ କୁମାର ସାଙ୍ଗାକାରଙ୍କ କାନ୍ଧ ଓ ଥିଲନ ସମରବୀରାଙ୍କ ଗୋଡକୁ ଗୁଳି ଅଳ୍ପ ଆଘାତ ପହଞ୍ଚାଇଥିଲା । ସବୁଠାରୁ ଗମ୍ଭୀର ଆହତ ହୋଇଥିଲେ ଥରଙ୍ଗା ପରନାବିତାନା ହୋଇଥିଲେ । ତାଙ୍କ ଛାତିରେ ବାଜିଥିଲା ଆତଙ୍କୀଙ୍କ ଗୁଳି । 

ଏହି ଆକ୍ରମଣରେ ପାକିସ୍ତାନର ଛବି ସାରା ବିଶ୍ୱରେ ଖରାପ ହୋଇଯାଇଥିଲା । କେବଳ ପଡୋଶୀ ଦେଶ ନୁହେଁ ସାରା ଦୁନିଆର ଖବର କାଗଜରେ ଏହି ଖବର ହେଡଲାଇନ ପାଲଟିଥିଲା । ଏହି ଘଟଣା ପରେ ଶ୍ରୀଲଙ୍କା କ୍ରିକେଟ ଟିମ ସଙ୍ଗେ ସଙ୍ଗେ ଦେଶକୁ ଫେରିବାକୁ ନିଷ୍ପତ୍ତି ନେଇଥିଲା । ଏହି ଆକ୍ରମଣ ପରେ ବିଶ୍ୱର ଅନ୍ୟ କ୍ରିକେଟ ଟିମଙ୍କ ମନରେ ଏମିତି ଡର ହୋଇଯାଇଥିଲା ଯେ ସେମାନେ କିଛି ବର୍ଷ ପାକିସ୍ତାନ ଗସ୍ତ ବନ୍ଦ କରିଦେଇଥିଲେ । ଆଉ ପାକିସ୍ତାନର ଅନ୍ତର୍ଜାତୀୟ କ୍ରିକେଟରେ ବିରାମ ଲାଗିଯାଇଥିଲା । 

ଏହି ଘଟଣା ସମସ୍ତ କ୍ରିକେଟ ଟିମ ପାଇଁ ପାକିସ୍ତାନର ବାଟ ବନ୍ଦ କରିଦେଇଥିଲା । ଏଥିପାଇଁ ପିସିବି ଆର୍ଥିକ କ୍ଷତି ବି ସହିଥିଲା । ଏମିତି କି ଖେଳାଳି ଓ କର୍ମଚାରୀଙ୍କୁ ଦରମା ବି ଦେଇପାରିନଥିଲା । ହେଲେ ପରେ କିଛି ଦେଶ ଧିରେ ଧିରେ ପାକିସ୍ତାନକୁ ଆସି ଖେଳିଥିଲେ । ହେଲେ ଭାରତ ପାକିସ୍ତାନକୁ ଯିବା ପୂରା ବନ୍ଦ କରିଦେଇଥିଲା । ଏବେ ବହୁ ବର୍ଷ ପରେ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ ହୋଇଛି । ଏଥିରେ ପାକିସ୍ତାନରେ ଫ୍ୟାନମାନଙ୍କୁ ଆତଙ୍କୀ ଆକ୍ରମଣର ଖବର ସାମ୍ନାକୁ ଆସିଥିଲା । 

ତେବେ କହିବାକୁ ଗଲେ ପାକିସ୍ତାନରେ ଘଟିଥିବା ସେହି ଆତଙ୍କୀ ଆକ୍ରମଣର ଘଟଣା ପାକିସ୍ତାନର ଛବି ଆଜି ବି ଖରାପ କରି ରଖିଛି । ଆଉ ଆଗକୁ ବି ରଖିବ । କାରଣ ପାକିସ୍ତାନ ଆତଙ୍କୀ କାର୍ୟ୍ୟକଳାପରେ ଲିପ୍ତ ଥିବା ସାରା ବିଶ୍ୱକୁ ଜଣା ।