କନକ ବ୍ୟୁରୋ : ଇରାନରେ କିଡ୍‌ନାପ ହୋଇଗଲେ ପଞ୍ଜାବର ତିନି ଜଣ ଯୁବକ । ଅପହରଣକାରୀ ମାଗୁଛନ୍ତି କୋଟି କୋଟି ଟଙ୍କା,କହୁଛନ୍ତି ଟଙ୍କା ଦେଲେ ଆମେ ଛାଡ଼ିଦେବୁ । ଏହି ତିନି ଜଣ ଯୁବକ ସଙ୍ଗରୁର, ଏସବିଏସ ନଗର ଏବଂ ହୋସିଆରପୁର ଜିଲ୍ଲାର ବାସିନ୍ଦା । ଯୁବକମାନଙ୍କୁ ୱାର୍କ ପରମିଟ୍‌ରେ ଅଷ୍ଟ୍ରେଲିଆ ପଠାଇବା ବାହାନାରେ ଦିଲ୍ଲୀରୁ ଇରାନ ପଠାଯାଇଥିଲା ।

Advertisment

ପରିବାର ଲୋକଙ୍କ ସୂଚନା ମୁତାବକ,୧ ମେ’ରୁ ସେମାନେ ପରିବାର ସହିତ ଆଉ ସମ୍ପର୍କରେ ଆସିନାହାନ୍ତି । ଆଜକୁ ୧୧ ଦିନ ପୂର୍ବରୁ ସେଠାରୁ ଆସିଥିଲା ଭିଡିଓ କଲ୍‌,ଯେଉଁଥିରେ ଦେଖିଲେ କି,ସେହି ତିନି ଜଣଙ୍କୁ ଏକ ଦଉଡ଼ିରେ ବନ୍ଧା ଯାଇଛି ଏବଂ ସେମାନଙ୍କ ଶରୀରରେ କଟା ଚିହ୍ନ ମଧ୍ୟ ଅଛି । ଖାଲି ସେତିକି ନୁହେଁ ତାଙ୍କ ବେକରେ ଛୁରୀ ଲଗାଇ ଭିଡିଓ କଲ୍‌ରେ ପଇସା ମାଗୁଛନ୍ତି । କେବେ ୫୫ ଲକ୍ଷ ତ କେବେ କୋଟିଏ ଟଙ୍କା ଦାବି କରୁଛନ୍ତି । ଅନ୍ୟପଟେ ବିଦେଶ ପଠାଇଥିବା ସମ୍ପୃକ୍ତ ସଂସ୍ଥାର ଏଜେଣ୍ଟ ଫେରାର୍‌ ଅଛନ୍ତି ।  

ଅପହୃତ ଯୁବକ ହୁସ୍ନପ୍ରୀତଙ୍କ ମାଆ ବଲବିନ୍ଦର କୌର ସରକାରଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ପୁଅକୁ ଅଷ୍ଟ୍ରେଲିଆ ପଠାଇବା ନାମରେ ତାଙ୍କୁ ଠକାଯାଇଛି । ପଡ଼ୋଶୀ ଭୂପେନ୍ଦ୍ର ସିଂହ କହିଛନ୍ତି ଯେ ପଟୱାରୀଙ୍କଠାରୁ ଚିଠି ପାଇବା ପରେ ସେ ଅପହରଣ ବିଷୟରେ ସୂଚନା ପାଇଥିଲେ । ସେ ସମସ୍ତ ଯୁବକଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।

ଭାରତୀୟ ଦୂତାବାସ ଇରାନ ସରକାରଙ୍କୁ ତିନି ଜଣ ଭାରତୀୟ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦାବି କରିଛନ୍ତି । ଏହା ସହ ସେମାନଙ୍କୁ ଯଥାଶୀଘ୍ର ଖୋଜିବା ପାଇଁ ମଧ୍ୟ ଦାବି କରାଯାଇଛି । ଏହି ମାମଲା ବହୁତ ଗମ୍ଭୀର ହୋଇଥିବାରୁ ଭାରତ ସରକାରଙ୍କଠାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛି ।