କନକ ବ୍ୟୁରୋ : ମନୋରଞ୍ଜନ ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସୁଛି । ଲୋକପ୍ରିୟ ଅଭିନେତା ଅଚ୍ୟୁତ ପୋତଦାରଙ୍କ ୯୧ ବର୍ଷ ବୟସରେ ଦେହାନ୍ତ ହୋଇଛି । ୧୮ ଅଗଷ୍ଟରେ ତାଙ୍କୁ ମୁମ୍ବାଇର ଥାନେ ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଅଭିନେତା ଜଣକ ବୟସ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଥିଲେ ଏବଂ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ ।
/filters:format(webp)/kanak/media/media_files/2025/08/19/actor-2025-08-19-11-35-46.jpg)
ଅଚ୍ୟୁତ ପୋତଦାର ଟେଲିଭିଜନ ଏବଂ ବଲିଉଡର ଜଣେ ଜଣାଶୁଣା ଅଭିନେତା ଥିଲେ । ଅଭିନେତାଙ୍କ ମୃତ୍ୟୁ ଖବରରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଗତ କିଛି ବର୍ଷ ମଧ୍ୟରେ ସେ ହିନ୍ଦୀ ସିନେମା ବ୍ୟତୀତ ମରାଠୀ ଇଣ୍ଡଷ୍ଟ୍ରିରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଥିଲେ । ସେ ଜଣେ ଦକ୍ଷ କଳାକାର ଥିଲେ ଯିଏ ନିଜର ଅଭିନୟ ଦ୍ୱାରା ଲୋକଙ୍କ ହୃଦୟ ଜିତିବା ଭଲଭାବେ ଜାଣିଥିଲେ । ଅଚ୍ୟୁତ ପୋତଦାର ନିଜର ଅଭିନୟ ଜୀବନରେ ପ୍ରାୟ ୧୨୫ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ । ଏଥିରେ ହିନ୍ଦୀ, ମରାଠୀ ଏବଂ ଅନ୍ୟ ଭାଷାର ଚଳଚ୍ଚିତ୍ର ମଧ୍ୟ ଅନ୍ତର୍ଭୁକ୍ତ ଥିଲା । ଅଭିନେତାଙ୍କୁ 'ଅର୍ଦ୍ଧ ସତ୍ୟ', 'ତେଜାବ', 'ଦିଲୱାଲେ', 'ବାସ୍ତବ', 'ପରିଣୀତା', 'ଦବଙ୍ଗ', 'ଥ୍ରୀ ଇଡିଅଟ୍ସ' ଏବଂ 'ଲଗେ ରହୋ ମୁନ୍ନା ଭାଇ' ଭଳି ଚଳଚ୍ଚିତ୍ରରେ ଦେଖାଯାଇଥିଲା ।
/filters:format(webp)/kanak/media/media_files/2025/08/19/rabb-2025-08-19-11-36-39.jpg)
ଆମିର ଖାନଙ୍କ ଷ୍ଟାରର ଚଳଚ୍ଚିତ୍ର 'ଥ୍ରୀ ଇଡିଅଟ୍ସ'ରେ ସେ ଜଣେ ପ୍ରଫେସର ଭୂମିକାରେ ଅଭିନୟ କରିଥିଲେ । ଚଳଚ୍ଚିତ୍ରରେ ତାଙ୍କର ଡାଇଲଗ୍ 'ଅରେ କେହେନା କ୍ୟା ଚାହତେ ହୋ' ବେଶ୍ ଲୋକପ୍ରିୟ ହୋଇଥିଲା । ଆଜି ବି ଅଧିକାଂଶ ଲୋକ ତାଙ୍କୁ ଏହି ଡାଇଲଗ୍ରୁ ହିଁ ଜାଣିଥା’ନ୍ତି । ଚଳଚ୍ଚିତ୍ରରେ ତାଙ୍କର ଭୂମିକା ଛୋଟ ଥିଲେ ମଧ୍ୟ ମଜାଳିଆ ଥିଲା । ଯାହା ଏଯାବତ୍ ଫ୍ୟାନ୍ସଙ୍କ ମନରେ ଘର କରିଛି । ଅଚ୍ୟୁତ ମଧ୍ୟପ୍ରଦେଶରେ ଜଣେ ପ୍ରଫେସର ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ଭାରତୀୟ ସେନାରେ କ୍ୟାପଟେନ ଭାବରେ ଦେଶ ସେବା କରିଥିଲେ । ଅନେକ ବର୍ଷ ଧରି ଦେଶ ସେବା କରିବା ପରେ ସେ ୧୯୬୭ ମସିହାରେ ସେନାରୁ ଅବସର ନେଇଥିଲେ । ଏହା ପରେ ସେ ପ୍ରାୟ ୨୫ ବର୍ଷ ଧରି ଇଣ୍ଡିଆନ ଅଏଲ କମ୍ପାନିରେ କାମ କରିଥିଲେ । ୪୪ ବର୍ଷ ବୟସରେ ସେ ଅଭିନୟ ଦୁନିଆରେ ପାଦ ଥାପିଥିଲେ । ୮୦ ଦଶକରେ ସେ ବଡ଼ ପରଦାରେ ନିଜର ଛାପ କାଡ଼ି ଯାଇଥିଲେ । ଚଳଚ୍ଚିତ୍ର ପରେ ସେ ଟିଭି ଦୁନିଆରେ ପ୍ରବେଶ କରିଥିଲେ । ଟିଭିରେ ସେ 'ୱାଗଲେ କି ଦୁନିଆ', 'ମିସେସ ତେନ୍ଦୁଲକର', 'ମାଝା ହୋଶିଲ ନା' ଏବଂ 'ଭାରତ କି ଖୋଜ' ଭଳି ଶୋ'ରେ କାମ କରିଥିଲେ । ଭୂମିକା ଛୋଟ ହେଉ କି ବଡ଼, ସେ ପ୍ରତ୍ୟେକ ଚରିତ୍ରରେ ନିଜକୁ ଖାପ ଖୁଆଇ ପାରୁଥିଲେ ।