କନକ ବ୍ୟୁରୋ: କଳା ବୁଧବାର, ଗୋଟିଏ ପରେ ଗୋଟିଏ ୩ଟି ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୩ ଜଣଙ୍କ ଜୀବନ ଚାଲି ଯାଇଛି । ପ୍ରଥମ ଦୁର୍ଘଟଣା ଆସିକା କାଳଷଣ୍ଢପୁର ନିକଟରେ ଘଟିଛି । ଏଠାରେ ଜଣେ ବ୍ୟକ୍ତି କୌଣସି କାର୍ଯ୍ୟରେ ବାହାରକୁ ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । କାଳଷଣ୍ଢପୁର ଗାଁର ଗୋପୀନାଥ ବେହେରାଙ୍କ ଉପରେ ଚଢ଼ିଗଲା ବସ । ବସଟି ବ୍ରହ୍ମପୁରରୁ ଆସିକା ଆସୁଥିବା ସମୟରେ ଏପରି ଦୁର୍ଘଟଣା ଘଟାଇଛି । ଘଟଣା ସ୍ଥଳରେ ଆସିକା ପୋଲିସ ପହଞ୍ଚି ବସକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।
ସେପଟେ କେନ୍ଦୁଝର ଚମ୍ପୁଆରେ ବି ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମର୍ଣ୍ଣିଂ ଓ୍ବାକ୍ରେ ବାହାରି ଥିବା ଜଣେ ବ୍ୟକ୍ତିଙ୍କୁ ଚାପି ଦେଲା ଟ୍ରକ l ସକାଳୁ କେନ୍ଦୁଝର ଚମ୍ପୁଆ ବସ ଷ୍ଟାଣ୍ଡ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୣତକ ଚମ୍ପୁଆ ITDAର ଚତୁର୍ଥ ଶ୍ରେଣୀ କର୍ମଚାରୀ ବିରଞ୍ଚି ମହାନ୍ତ ବୋଲି ଜଣା ପଡ଼ିଛି । ସେ ସକାଳୁ ଘରୁ ମର୍ଣ୍ଣିଂ ଓ୍ବାକ୍ରେ ବାହାରି ଥିଲେ । ହେଲେ ଘର ନିକଟରୁ ମାତ୍ର କିଛି ମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଘଟାଇ ଥିବା ଟ୍ରକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି l ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
ବିଜୟା ଦଶମୀ ନଗର ପରିକ୍ରମା ଦେଖି ଫେରୁଥିବା ବେଳେ ଦୁର୍ଘଟଣା ଘଟିଲା । ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଭଦ୍ରକ ଧାମନଗର ଦୋବଲ ମୁଖ୍ୟ ରାସ୍ତା ଜରାନିବାସ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଧାମନଗର ବିଜ୍ଞାପିତ ଅଞ୍ଚଳରେ ବିଜୟୀ ଦଶମୀ ନଗର ପରିକ୍ରମା ଦେଖିବାକୁ ଲୋକ ଛୁଟି ଆସୁଥିଲେ । ଏହି ସମୟରେ ୨ ବାଇକ ମୁହାଁମୁହିଁ ଧକ୍କା ଫଳରେ ମୁହାଁଣପଡା ଗ୍ରାମର ଶୁଭପ୍ରକାଶ ସେଠୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ପୁଲିସ ଘଟଣାକୁ ନେଇ ସୂଚନା ପାଇବା ପରେ ତଦନ୍ତ ଆରମ୍ଭ କରିଛି ।