କନକ ବ୍ୟୁରୋ : ଆସନ୍ତା ବର୍ଷ ୨୮ତମ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ ଓଡ଼ିଶାରେ ଅନୁଷ୍ଠିତ ହେବ ଏବଂ ପୁରୀରେ ହେବ । ରାଞ୍ଚିରେ ଅନୁଷ୍ଠିତ ୨୭ତମ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶା ଫେରିଛନ୍ତି । ଭୁବନେଶ୍ୱର ଫେରିବା ପରେ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ବର୍ଷ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ ପୁରୀରେ ହେବ । ଆସନ୍ତା ବର୍ଷ ଏହି ବୈଠକ ଓଡ଼ିଶାରେ କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ, ଯାହାକୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ ସମସ୍ତ ସଦସ୍ୟ ଗ୍ରହଣ କରିଥିଲେ ।
ଇଷ୍ଟର୍ଣ୍ଣ କାଉନସିଲ ବୈଠକ ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ଓଡ଼ିଶାକୁ ନେଇ ବେଶ୍ ସଫଳ ରହିଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଶେଷ କରି ଏହି ଅଞ୍ଚଳର ସାମାଜିକ, ଆର୍ଥିକ ବିକାଶ କିପରି ତ୍ୱରାନ୍ୱିତ ହେବ, ଯୋଜନା ଗୁଡ଼ିକ କିପରି ଅପହଞ୍ଚ ଅଞ୍ଚଳରେ ପହଞ୍ଚିବ, ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକଶିତ ଭାରତର ଲକ୍ଷ୍ୟ ପୂରଣରେ ଏହି ସବୁ ରାଜ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହାସହ ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ନକ୍ସଲ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଭାବେ ଦୂର କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଗୁରୁତ୍ୱ ଦେଇ ଆସିଛନ୍ତି । ବୈଠକରେ ନକ୍ସଲ ସମସ୍ୟାର ସମାଧାନର ବିଭିନ୍ନ ପନ୍ଥା ଉପରେ ଆଲୋଚନା କରାଯାଇଥିଲା । ସେହିପରି ଆୟୁଷ୍ମାନ ଭାରତ ଯୋଜନାର ସୁବିଧା ଯେପରି ସମସ୍ତଙ୍କ ପାଖରେ ପହଞ୍ଚିବ ଏବଂ ସମସ୍ତ ହିତାଧିକାରୀ ସୁବିଧା ପାଇବେ, ଗୁରୁତ୍ୱାରୋପ କରାଯାଇଥିଲା । ମୁଖ୍ୟମନ୍ତ୍ରୀ କହିଛନ୍ତି, ବ୍ୟାଙ୍କିଙ୍ଗ ସେବା କ୍ଷେତ୍ରରେ ଓଡ଼ିଶାରେ ଆହୁରି ଉନ୍ନତିର ଆବଶ୍ୟକତା ଅଛି । ଅନେକ ଅଞ୍ଚଳରେ ବ୍ୟାଙ୍କିଙ୍ଗ ସେବା ପହଞ୍ଚିପାରିନାହିଁ । ତେଣୁ ଓଡ଼ିଶାର ଅଧିକ ଅଞ୍ଚଳରେ ବ୍ୟାଙ୍କିଙ୍ଗ ସେବା ପ୍ରଦାନ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ବୈଠକରେ ପ୍ରସ୍ତାବ ରଖିଥିବା ସେ କହିଛନ୍ତି ।