କନକ ବ୍ୟୁରୋ: ବିହାରୀଲାଲ ସ୍ପୋର୍ଟସ ଟ୍ରଷ୍ଟ୍‌ ପକ୍ଷରୁ ଚାଲିଥିବା ୨୭ତମ ଅନ୍ତଃକ୍ଲବ୍‌ ବିହାରୀଲାଲ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ ମ୍ୟାଚ୍‌ ରବିବାର ଖେଳାଯିବ । ଯୁବ ଖେଳାଳିଙ୍କୁ ନେଇ ହେଉଥିବା ମୁଖ୍ୟ ପ୍ରତିଯୋଗିତାର ଫାଇନାଲ୍‌ରେ ରାମେଶ୍ବର ସ୍ପୋର୍ଟିଂ ଭେଟିବ କିଶୋର କ୍ଲବ୍‌କୁ । ଶନିବାର ଖେଳାଯାଇଥିବା ସେମିଫାଇନାଲ୍‌ରେ ରାମେଶ୍ବର ୨୪ ରନ୍‌ରେ ପୁରୀର ମହାବୀର କ୍ଲବ୍‌କୁ ଏବଂ କିଶୋର କ୍ଲବ୍‌ ୧୪ ରନ୍‌ରେ ମୁକ୍ତେଶ୍ବର କ୍ରିକେଟ୍‌ କ୍ଲବ୍‌କୁ ପରାସ୍ତ କରିଛି । ଏହି ଦୁଇ ମ୍ୟାଚ୍‌ରେ ଯଥାକ୍ରମେ ସାର୍ଥକ ବେହେରା (୨୭ ବଲରୁ ୮୦ ରନ୍‌) ଓ ଆର୍‌ ଦେବା (୧୬ ବଲ୍‌ରୁ ୪୫ ରନ୍ ଏବଂ ୨/୧୩) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । 

Advertisment

ଏହା ବି ପଢ଼ନ୍ତୁ; ଭାରତୀୟ ମହିଳା କ୍ରିକେଟ୍‌ ଦଳର ଐତିହାସିକ ଶୃଙ୍ଖଳା ବିଜୟ

ଅନ୍ୟପକ୍ଷରେ ଭେଟେରାନ୍‌ ବର୍ଗର ଫାଇନାଲ୍‌ରେ ଜିପି ବ୍ଲାଷ୍ଟର୍ସ ଭେଟିବ କିଶୋର କ୍ଲବ୍‌କୁ । ଫଳରେ କିଶୋର କ୍ଲବ୍‌ ପାଇଁ ଦ୍ବିମୁକୁଟ ଅର୍ଜନ କରିବାର ସୁଯୋଗ ରହିଛି । ଶନିବାର ଖେଳାଯାଇଥିବା ସେମିଫାଇନାଲ୍‌ରେ ଜେପି ବ୍ଲାଷ୍ଟର୍ସ ୪୪ ରନ୍‌ରେ ସହିଦ ସ୍ପୋର୍ଟିଂକୁ ଏବଂ କିଶୋର କ୍ଲବ୍‌ ଆୟୋଜକ ବିହାରୀଲାଲ୍‌ ସ୍ପୋର୍ଟସ ଟ୍ରଷ୍ଟ୍‌କୁ ୭ ୱିକେଟ୍‌ରେ ପରାସ୍ତ କରିଥିଲା । ଏହି ଦୁଇ ମ୍ୟାଚ୍‌ରେ ଯଥାକ୍ରମେ ଦୀପକ ସାହୁ (୨୧ ବଲ୍‌ରୁ ୫୦ ରନ୍) ଓ ସାର୍ଥକ ପ୍ରଧାନ (୧୮ ବଲ୍‌ରୁ ୪୯ ରନ୍) ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ରବିବାର ଉଭୟ ବର୍ଗର ଫାଇନାଲ୍‌ ମ୍ୟାଚ୍‌ ସହିତ ଏହି ୪ ଦିନିଆ ପ୍ରତିଯୋଗିତା ଉଦ୍‌ଯାପିତ ହେବ ବୋଲି ଆୟୋଜକ ବିହାରୀଲାଲ୍‌ ‌ସ୍ପୋର୍ଟସ ଟ୍ରଷ୍ଟ୍‌ର ସଭାପତି ଅକ୍ଷୟ କୁମାର ଜେନା ପ୍ରକାଶ କରିଛନ୍ତି ।