କନକ ବ୍ୟୁରୋ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିର । ନୋଟିସ୍ ସତ୍ତ୍ୱେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଯୋଗ ଦେଲେନି ବିଭିନ୍ନ ବିଭାଗୀୟ ଅଧିକାରୀ । ଜନଶୁଣାଣି ପୋର୍ଟାଲରେ ବି ଅଭିଯୋଗର ସଠିକ ସମାଧାନ ହେଉନଥିବା ଅଭିଯୋଗ ।   

Advertisment

ନିଶ୍ଚିନ୍ତକୋଇଲିରେ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଯୋଗ ଦେଲେନି ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ । କଟକରେ କର୍ଫ୍ୟୁ ପାଇଁ କାର୍ଯ୍ୟକ୍ରମରେ ଯୋଗ ଦେଇପାରିନଥିଲେ ଜିଲ୍ଲାପାଳ । ଅତିରିକ୍ତ ଜିଲ୍ଲାପାଳ ଶୁଣାଣିର କାମଚଳା ଦାୟିତ୍ୱରେ ଥିଲେ । ବିଭିନ୍ନ ବିଭାଗର ୪୨ ଜଣ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଥିଲା । ଏହା ସତ୍ତ୍ୱେ ୨୭ ଜଣ ଅଧିକାରୀ ଜନ ଶୁଣାଣିରେ ଯୋଗ ଦେଲେନାହିଁ । ପୂର୍ବରୁ ମାହାଙ୍ଗା ବ୍ଲକ ଜନ ଶୁଣାଣିରେ ଅନୁପସ୍ଥିତ ଥିବା କିଛି ଅଧିକାରୀଙ୍କ ଦରମା ବନ୍ଦ କରିଥିଲେ ଜିଲ୍ଲାପାଳ । ଏବେ ପୁଣି ବିଭାଗୀୟ ଅଧିକାରୀଙ୍କ ଏପରି ଖାମଖିଆଲ ମନୋଭାବକୁ ନିନ୍ଦା କରାଯାଇଛି ।
 
ରାଜ୍ୟ ସରକାରଙ୍କ ଜନଶୁଣାଣି ପୋର୍ଟାଲରେ ହେଉଥିବା ଅଭିଯୋଗର ସମାଧାନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଯୋଗକାରୀ । ନିଶ୍ଚିନ୍ତକୋଇଲି ବିଡିଓ ସମସ୍ତ ଅଭିଯୋଗର ତଦନ୍ତ ଭାର ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଦେବାରୁ ତଦନ୍ତ ଠିକ୍‌ରେ ହେଉନଥିବା ଅଭିଯୋଗ ଆସିଛି । ଅନ୍ୟପଟେ ବିଡିଓ କି ତହସିଲଦାର ନିରପେକ୍ଷ ତଦନ୍ତରୁ ବିଚ୍ୟୁତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ପାଇଁ ସଂପର୍କରେ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରଚାର କରାଯାଉନଥିବାରୁ ୪୧ଟି ପଞ୍ଚାୟତର ସବୁଲୋକ ଜାଣିପାରୁନଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତବାସୀ ।