କନକ ବ୍ୟୁରୋ : ୧୯୯୯ ମହାବାତ୍ୟାକୁ ପୂରିଛି ୨୬ବର୍ଷ । ଏହାରି ଭିତରେ ମହାବାତ୍ୟାର ତାଣ୍ଡବରେ କ୍ଷତି ସହିଥିବା ଅଞ୍ଚଳର ଚିତ୍ର ବଦଳିଯାଇଛି । ଆଖି ଦେଖୁଛି ସାମ୍ନାରେ ଠିଆ ହୋଇଛି ବିଶାଳ କୋଠା । ହେଲେ ପଛରେ ମାଳ ମାଳ ବସ୍ତିରେ ଆଜି ବି ସଂଘର୍ଷ କରୁଛି ଜୀବନ । ସଜଡ଼ାଯାଇଛି ଭିତ୍ତିଭୂମି, ଛୁଇଁଛି ବିକାଶ । ହେଲେ ମନ ଭିତରର କ୍ଷତ ଆଜି ବି କଞ୍ଚା ଅଛି ।

Advertisment

ଅକ୍ଟୋବର ୨୯, ୧୯୯୯; ଶୁକ୍ରବାର..ଅଧା ଓଡ଼ିଶାକୁ ବିଦାରିଦେଇଥିଲା ମହାବାତ୍ୟା । ଆଜି ମନେପଡ଼ୁଛି ସେହି କାଳରାତ୍ରିର କାହାଣୀ । ଏଯାଏଁ କ୍ଷତ ଭରିନି, ଆଖି ଶୁଖିନି । ୨୬ ବର୍ଷ ତଳେ ଆଜିର ଦିନରେ ତାଣ୍ଡବ ରଚିଥିଲା ମହାବାତ୍ୟା । ଓଡ଼ିଶା ଇତିହାସର ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ । ଉପକୂଳ ଜିଲ୍ଲାକୁ ଖିନ୍‌ଭିନ୍‌ କରିଦେଲା କେଇ ଘଣ୍ଟା ମଧ୍ୟରେ । ୧୦ ହଜାରରୁ ଅଧିକ ଲୋକଙ୍କୁ ଦେଲା ମୃତ୍ୟୁ ଦଣ୍ଡ । ଲକ୍ଷ ଲକ୍ଷ ବେଘର ହେଲେ । ଅନ୍ୟ ପ୍ରାଣୀଙ୍କ ସଂଖ୍ୟା କେହି ଗଣିନାହାନ୍ତି । ସମୟ ଗଡ଼ିଛି, ଓଡ଼ିଶା ଇତିମଧ୍ୟରେ ଦେଖିସାରିଲାଣି ଅନେକ ବାତ୍ୟା । ହେଲେ ସେଦିନର କଥା କେହି ଭୁଲିପାରୁନାହାନ୍ତି । ପୁରୀ ଜିଲ୍ଲାର ଅସ୍ତରଙ୍ଗର ଲୋକେ କନକ ନ୍ୟୁଜ ସାମ୍ନାରେ ସ୍ମୃତି ପଖାଳିବା ବେଳେ ଲୁହ ଲୁଚିପାରିନି ।

ମହାବାତ୍ୟାରେ ସବୁଠାରୁ ଅଧିକ କ୍ଷତି ସହିଥିଲା ଜଗତସିଂହପୁର ଜିଲ୍ଲା ଏର୍‌ସମା ବ୍ଲକର ସରବା ଗାଁ । ଗୋଟିଏ ଗାଁରୁ ୨୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ମହାରାଷ୍ଟ୍ର ସରକାର ଗାଁକୁ ପୋଷ୍ୟ ଭାବେ ଗ୍ରହଣ କଲେ । ନିର୍ମାଣ ହେଲା ବାତ୍ୟା ଆଶ୍ରୟସ୍ଥଳୀ । ଆଉ ପ୍ରତି ପରିବାରକୁ ୨ ବଖରା ଘର । ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ଭଗ୍ନ ଅବସ୍ଥାରେ । ପ୍ରଶାସନର କିନ୍ତୁ ନିଘା ନାହିଁ ।

ରାଜ୍ୟ ସରକାର ବାତ୍ୟା ମୁକାବିଲା କ୍ଷେତ୍ରରେ ଢେର୍ ପଦକ୍ଷେପ ନେଇଛନ୍ତି । କିନ୍ତୁ ସମୁଦ୍ରରେ ବାଦଲ ଉଠିଲେ, ଏବେ ବି ଥରିଯାଉଛି ଉପକୂଳିଆ ଛାତି । ମନେପଡ଼ିଯାଉଛି, ସେହି କାଳ ରାତିର କଳା କାହାଣୀ ।