କନକ ବ୍ୟୁରୋ: ରାଜ୍ୟରେ ପିଲାଙ୍କ ପ୍ରତିଭାକୁ ଚିହ୍ନି ତାଙ୍କୁ ଅନ୍ତର୍ଜାତୀୟ କ୍ରୀଡ଼ାବିତ ଭାବେ ଗଢ଼ି ତୋଳିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ସରକାର । ପିଲାମାନେ କିପରି ଖେଳି ପାରିବେ ସେଥିପାଇଁ ପ୍ରତି ଜିଲ୍ଲାରେ ଖେଳ ପଡ଼ିଆର ଉନ୍ନତିକରଣ କରାଯାଉଛି । ଏଥିପାଇଁ ସରକାରୀ ତହବିଲରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । କିନ୍ତୁ ଦୁର୍ନୀତି ପାଇଁ ପିଲାଙ୍କୁ ମିଳୁନି ଯୋଜନାର ଲାଭ ।
ରାଜ୍ୟରେ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି ପାଇଁ ଯୋଜନା କରିଛନ୍ତି ସରକାର । କିନ୍ତୁ ଏ ଘଟଣା ହିଁ ବୟାନ କରୁଛି ଯୋଜନାର ବାସ୍ତବତା । ଖେଳ ପଡ଼ିଆରେ ଖେଳାଳିଙ୍କ ବଦଳରେ ଗୋରୁ ଚରୁଛନ୍ତି । ନାଁ ଉନ୍ନତିକରଣ ହୋଇଛି । ନାଁ କୌଣସି ଖେଳ ଉପକରଣ କିଣାଯାଇଛି । ମିଛ ବିଲ୍ କରି କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରାୟ ୨୫ କୋଟି ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ପଞ୍ଚାୟତ ଖେଳ ପଡିଆ ଉନ୍ନତି ଯୋଜନାରେ ଜିଲ୍ଲାର ୨୫୬ଟି ଖେଳପଡ଼ିଆର ଉନ୍ନତିକରଣ କରାଯାଇଛି । ପ୍ରତି ଖେଳ ପଡ଼ିଆରେ ଖର୍ଚ୍ଚ ହୋଇଛି ୩ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ।
ନିୟମ କହୁଛି ପଡ଼ିଆରେ ଖାଲ ଥିଲେ ମାଟି ପକାଇ ପୋତାଯିବ । ପଡ଼ିଆରେ ଜିମ ସେଣ୍ଟର ଓ ବ୍ୟାଡମିଣ୍ଟନ କୋର୍ଟ ରହିବ । ଖେଳାଳି ପାଁ କ୍ରୀଡ଼ା ସମାଗ୍ରୀ ଯୋଗାଇ ଦିଆଯିବ । ପଡ଼ିଆ ଚାରିପଟେ ବସିବା ପାଇଁ ଚେୟାର ବ୍ୟବସ୍ଥା ହେବ । କିନ୍ତୁ ଖାଲି ସିମେଣ୍ଟ ଚେୟାର ତିଆରି କରି ଟଙ୍କା ଲୁଟ୍ କରାଯାଇଛି । ଜିଲ୍ଲାର ପ୍ରାୟ ସବୁ ଖେଳ ପଡ଼ିଆର ଅବସ୍ଥା ସମାନ । ତେଣୁ ଦୁର୍ନୀତିର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।
ଏଠି ପ୍ରଶ୍ନ ଉଠୁଚି କାହା ପକେଟକୁ ଯାଇଛି ଖେଳପଡ଼ିଆ ଟଙ୍କା ? ଏଭଳି ଦୁର୍ନୀତି ପାଇଁ କିଏ ଦେଉଛି ସାହସ ? ଘଟଣାରେ କାର୍ଯ୍ୟାନୁଷ୍ଠାନ ହେବ ନା ନାଲି ଫିତା ତଳେ ଚାପି ହୋଇଯିବ ?