କନକ ବ୍ୟୁରୋ : ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା । ରାଜଗାଙ୍ଗପୁରର ଡାଲମିଆଁ ସିମେଣ୍ଟ କାରଖାନାରେ ଭାଙ୍ଗି ପଡ଼ିଲା ବଙ୍କର । କୋଇଲା ଗୁଣ୍ଡ ତଳେ ପୋତି ହୋଇଗଲେ କାମ କରୁଥିବା ଶ୍ରମିକ । ଘଟଣା ଜଣାପଡ଼ିବା ପରେ କାରଖାନା ଭିତରକୁ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗର ଗାଡି ପଠାଗଲା । କିନ୍ତୁ ୨୪ ଘଣ୍ଟା ପୂରିଥିଲେ ବି ଏଯାଏ ୩ ଶ୍ରମିକଙ୍କ ବୟଲର୍ ଅପରେଟର ସୁଶାନ୍ତ ରାଉତ, ବୈଷୟିକ କର୍ମଚାରୀ ଦଶରଥ ପାତ୍ର ଓ ରଞ୍ଜିତ ଭୋଳଙ୍କ ପତା ମିଳୁନି । ସେପଟେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ପରିବାର ଲୋକେ ।
ଦୁର୍ଘଟଣା ପରେ କାରଖାନା ଗେଟ୍ ବାହାରେ ଭିଡ଼ ଜମିଥିଲା । ଶ୍ରମିକଙ୍କ ପରିବାରବର୍ଗ ପହଞ୍ଚିବା ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଫାଟକ ବନ୍ଦ ଥିବାରୁ ଦୁର୍ଘଟଣାସ୍ଥଳକୁ ଛାଡ଼ିବା ପାଇଁ ଲୋକେ ଦାବି କରିଥିଲେ । ତେଣୁ ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି । କମ୍ପାନିର ଅବହେଳା ପାଇଁ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଦୁର୍ଘଟଣାକୁ ନେଇ ପ୍ରେସ ବିଜ୍ଞପ୍ତି ଜାରି କରିଛି ଡାଲମିଆ ସିମେଣ୍ଟ କମ୍ପାନି । ଜିଲ୍ଲା ପ୍ରଶାସନର ସହଯୋଗରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଖୁବଶୀଘ୍ର ଅପରେସନ ସରିବ ବୋଲି କହିଛନ୍ତି ଉପଜିଲ୍ଲାପାଳ । ନିଖୋଜ ଶ୍ରମିକଙ୍କ ପତା ମିଳୁନଥିବାରୁ ସମ୍ପର୍କୀୟଙ୍କ ଆଖିରୁ ଲୁହ ଶୁଖୁନି। ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଥିବାରୁ ପରିବାରବର୍ଗଙ୍କ ମଧ୍ୟରେ ଭାଳେଣି ପଡ଼ିଛି ।