କନକ ବ୍ୟୁରୋ: ଗୁଜରାଟ ବିମାନ ଦୁର୍ଘଟଣାରେ ଜଣେ ଯୁବ କ୍ରିକେଟ୍‌ରଙ୍କ ବି ମୃତ୍ୟୁ ହୋଇଛି । ଏହି ଯୁବ କ୍ରିକେଟ୍‌ର ଇଂଲଣ୍ଡର ଏକ କ୍ଲବ୍‌ ପକ୍ଷରୁ ଖେଳୁଥିଲେ । ୨୩ ବର୍ଷୀୟ ଦିର୍ଧ ପଟେଲ ନାମକ କ୍ରିକେଟ୍‌ର ଇଂଲଣ୍ଡର ଲିଡ୍ସ ମଡର୍ନିଅନ୍ସ କ୍ରିକେଟ୍‌ କ୍ଲବ୍‌ ପାଇଁ ମ୍ୟାଚ ଖେଳିବାକୁ ଯାଉଥିଲେ । ଦିର୍ଧ ପଟେଲ ଇଂଲଣ୍ଡର ହଡର୍ସଫିଲ୍ଡ ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ସାରିଥିଲେ । ଏହାପରେ କ୍ରିକେଟ୍‌ ଖେଳିବା ସହ କାମ ମଧ୍ୟ କରୁଥିଲେ । ଚାକିରିରେ ରହି ବି ସେ କ୍ରିକେଟ୍‌ ଖେଳିବାକୁ ଚାହୁଥିଲେ । ଅହମ୍ମଦାବାଦରେ ତାଙ୍କ ମୃତ୍ୟୁ ପରେ କ୍ଲବ୍୍‌ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । କ୍ଲବ୍‌ ପକ୍ଷରୁ ସେ ୨୦ଟି ମ୍ୟାଚ୍‌ ଖେଳି ୩୨୯ ରନ୍‌ କରିଥିବା ବେଳେ ୨୯ଟି ୱିକେଟ୍‌ ନେଇଥିଲେ । କ୍ଲବ୍‌ ପାଇଁ ଜଣେ ଗୁରୁତ୍ୱପୂର୍ଣ୍ଣ କ୍ରିକେଟ୍‌ର ଥିଲେ ଦିର୍ଧ ପଟେଲ । 

Advertisment

ଗତ ଜୁନ ୧୨ ତାରିଖରେ ଗୁଜରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ ଇଂଲଣ୍ଡ ପାଇଁ ଉଡ଼ାଣ ଭରି ଦୁର୍ଘଟଣାର ଶିକାର ହୋଇଥିଲା । ବିମାନଟି ବିଜେ ମେଡିକାଲ କଲେଜ୍‌ ଛାତ୍ର ହଷ୍ଟେଲ୍‌ ଉପରେ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ୨୫୦ରୁ ଅଧିକ ଜଣଙ୍କ ଜୀବନ ଯାଇଛି । ଏବେ ବି ଅନେକ ମୃତଦେହ ଚିହ୍ନଟ ହୋଇପାରିନି । ମୃତଦେହ ଚିହ୍ନଟ ପାଇଁ ଡିଏନ୍‌ଏ ପରୀକ୍ଷା କରାଯାଉଛି । ବର୍ତ୍ତମାନ ସୁଦ୍ଧା ୯୨ ମୃତଦେହ ସେମାନଙ୍କ ପରିବାରବର୍ଗକୁ ହସ୍ତାନ୍ତର କରାଯାଇ ସାରିଛି । ଏହି ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଗତକାଲି(ସୋମବାର) ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । 

ତେବେ ଯୁବ କ୍ରିକେଟ୍‌ର ଦିର୍ଧ ପଟେଲଙ୍କ ମୃତ୍ୟୁକୁ ନେଇ ଲିଡ୍ସ କ୍ଲବ୍‌ ପକ୍ଷରୁ କୁହାଯାଇଛି ଯେ, “ଦିର୍ଧ ପଟେଲଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ । ତାଙ୍କ ପରିବାର ପ୍ରତି କ୍ଲବ୍‌ ସମ୍ବେଦନା ବ୍ୟକ୍ତ କରୁଛି । କ୍ଲବ୍‌ ସେମାନଙ୍କ ସହିତ ଅଛି ।” ତେବେ ଭାରତରେ ଦିର୍ଧଙ୍କ ସମ୍ପର୍କୀୟଙ୍କ ବିଷୟରେ କିଛି ସୂଚନା ମିଳିପାରିନାହିଁ ।