କନକ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫିରେ ଭାରତଠାରୁ ପରାଜିତ ହେବା ପରେ ପାକିସ୍ତାନକୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ୁଛି । ଏବେ ପାକିସ୍ତାନ ମିଡିଆରେ ମଧ୍ୟ ଟିମ୍‌ ଓ କ୍ୟାପଟେନ୍‌ଙ୍କ ଉପରେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି । ଏହାରି ମଧ୍ୟରେ ଏକ ପାକିସ୍ତାନୀ ଗଣମାଧ୍ୟମ ଭାରତର ବିଜୟକୁ ନେଇ କରିଛି ଏକ ଅଜବ ଦାବି । ଡିସ୍କଭର୍ ପାକିସ୍ତାନ ନାମକ ଏକ ଚ୍ୟାନେଲ୍‌ରେ ପାକିସ୍ତାନର ପରାଜୟ ପାଇଁ ଭାରତକୁ ଦାୟୀ କରାଯାଇଛି । କଳାଯାଦୁ ବା ଯାଦୁଟୋନା କରି ଭାରତ ମ୍ୟାଚ୍‌ ଜିତିଥିବା ନେଇ ଅଭିଯୋଗ କରିଛି ଏହି ନ୍ୟୁଜ୍‌ ଚ୍ୟାନେଲ୍‌ । ତେବେ କିଭଳି ଭାରତ କଳାଯାଦୁ କରିଥିଲା ତାହା ବି ବଖାଣିଛି ଏହି ନ୍ୟୁଜ୍‌ ଚ୍ୟାନେଲ୍‌ । 

Advertisment

ଗତ ରବିବାର ଚାମ୍ପିୟନ୍ସ ଟ୍ରଫିରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା ଗ୍ରୁପ୍‌ ପର୍ୟ୍ୟାୟର ପଞ୍ଚମ ମ୍ୟାଚ୍‌ । ଏହି ମ୍ୟାଚ୍‌କୁ ଭାରତ ୬ ୱିକେଟ୍‌ରେ ଜିତି ନେଇଥିଲା । ଏହି ମ୍ୟାଚ୍‌ ହାରିବା ପରେ ପାକିସ୍ତାନକୁ ଚାମ୍ପିୟନ୍ସ ଟ୍ରଫିରୁ ବାହାରିବାକୁ ପଡ଼ିଥିଲା । ଏହି ମ୍ୟାଚ୍‌ ପରେ ଭାରତ ସେମିରେ ସ୍ଥାନ ପକ୍କା କରିଥିଲା, ଏହି ମ୍ୟାଚ୍‌ରେ ଗୁରୁତ୍ୱପୂର୍ଣ୍ଣ ଶତକୀୟ ପାଳି ଖେଳି ଫର୍ମକୁ ଫେରିଥିଲେ ରନ୍‌ ମେସିନ୍‌ ବିରାଟ କୋହଲି । ହେଲେ ମ୍ୟାଚ୍‌କୁ ନେଇ ଏବେ ପାକିସ୍ତାନର ଏକ ଜଣାଶୁଣା ମିଡିଆ ଚ୍ୟାନେଲ୍‌ରେ ଚର୍ଚ୍ଚା ହେଉଛି ତାହା ନିଶ୍ଚିତ ଭାବରେ ହାସ୍ୟାସ୍ପଦ । 

ପାକିସ୍ତାନର ମିଡିଆ ଚ୍ୟାନେଲ୍ ମୁତାବକ ଭାରତ ମ୍ୟାଚ୍‌ ଜିତିବା ପାଇଁ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ୨୨ ଜଣ ପଣ୍ଡିତଙ୍କୁ ଏଣ୍ଟ୍ରି କରାଇଥିଲା । ଗୋଟିଏ ଗୋଟିଏ ପାକିସ୍ତାନ ଖେଳାଳିଙ୍କ ପାଇଁ ଦୁଇଜଣ ଲେଖାଏଁ ପଣ୍ଡିତ ନିୟୋଜିତ ରହିଥିଲେ । ଯେଉଁମାନେ ମ୍ୟାଚ୍‌ ଆରମ୍ଭ ହେଉହେଉ କଳାଯାଦୁ କରିବା ଆରମ୍ଭ କରିଦେଇଥିଲେ । ଏହି କାରଣରୁ ହିଁ ପାକିସ୍ତାନ ଆସିବାକୁ ଚାହୁଁନଥିଲା ଭାରତୀୟ ଦଳ । କାରଣ ଏଠାକୁ ଆସିଥିଲେ ସେମାନଙ୍କ କଳାଯାଦୁ କାମ କରିନଥାନ୍ତା । ୨୦୧୧ରେ ବି ଏଭଳି ହିଁ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟବହାରରୁ ଏହା ସ୍ପଷ୍ଟ ବାରି ହୋଇପଡ଼େ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ସୋସିଆଲ ମିଡିଆ ୟୁଜର୍ସ ମଧ୍ୟ କମେଣ୍ଟ୍‌ କରିବାରେ ଲାଗିଛନ୍ତି । 

ଗତ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ଓଭର ପୂର୍ବରୁ ହିଁ ଦଳ ୨୪୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ଏହାର ଜବାବରେ ଭାରତ ୪ ୱିକେଟ୍‌ ବିନିମୟରେ ଟାର୍ଗେଟ୍‌ ହାସଲ କରିନେଇଥିଲା । ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ ବିରାଟ କୋହଲି ଶତକୀୟ ପାଳି ଖେଳିଥିବା ବେଳେ ଶ୍ରେୟସ ଆୟର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଭାରତ ପକ୍ଷରୁ କୂଳଦୀପ ଯାଦବ ସର୍ବାଧିକ ୩ଟି ୱିକେଟ୍‌ ନେଇଥିଲେ । ଏହି ବିଜୟ ସହ ସେମିରେ ସ୍ଥାନ ପକ୍କା କରିଛି ଭାରତ । ଏହା ସହିତ ନିଜ ଗ୍ରୁପ୍‌ରେ ବି ଟପ୍‌ ସ୍ଥାନରେ ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ୍‌ ପରେ ଟ୍ରଫିଠାରୁ ଆଉ ମାତ୍ର ଦୁଇ ଦୂରରେ ରହିବ ଟିମ୍‌ ଇଣ୍ଡିଆ ।