କନକ ବ୍ୟୁରୋ : ‘କ୍ୟାନ୍ସର ଜିତିଗଲା ଭାଇମାନେ , ପୁଣିଥରେ ଦେଖାହେବା !!!’
‘‘ସମସ୍ତଙ୍କୁ ନମସ୍କାର , ମତେ ୨୧ ବର୍ଷ … ୨୦୨୩ ରେ ମତେ ଷ୍ଟେଜ୍ ୪ କୋଲେରେକ୍ଟଲ୍ କ୍ୟାନ୍ସର ହୋଇଛି ବୋଲି ଜଣାପଡ଼ିଥିଲା । ଏତେ କେମୋଥେରାପି ସେସନ୍ ଏବଂ ହସ୍ପିଟାଲରେ ରହିବା ପରେ ଡାକ୍ତର ମତେ ଏବେ ଆଉ କିଛି କରିବାକୁ ମନା କରିଛନ୍ତି । କହିବାକୁ ଗଲେ ଡାକ୍ତର ହାତ ଟେକି ଦେଇଛନ୍ତି । ବେଶି ହେଲେ ଏବର୍ଷର ଶେଷ ପର୍ଯ୍ୟନ୍ତ ବଞ୍ଚିଯିବି ।’’
ମାରାତ୍ମକ ରୋଗ କ୍ୟାନ୍ସର ସହ ଅହରହ ଲଢୁଥିବା ଜଣେ ଯୁବକଙ୍କର ଏ ହେଉଛି ହାତଲେଖା । ସାରା ଦେଶ ଦୀପାବଳି ଆଲୋକରେ ଘର ସଜାଉଥିବା ବେଳେ ଏହି ଯୁବକଙ୍କର ଜୀବନ ଅନ୍ଧାର ହୋଇଯାଇଛି । ୨୧ ବର୍ଷର ଭେଣ୍ଡିଆ ପୁଅ ଦୁନିଆକୁ ଭଲ କରି ଦେଖିବା ପୂର୍ବରୁ ହିଁ କାଳରୂପୀ କ୍ୟାନ୍ସର ତାକୁ ଗିଳିବାକୁ ଅପେକ୍ଷା କରିଛି । ସେ ଜାଣିଛି ଯେ ଏହି ଦୀପାବଳି ତା’ପାଇଁ ଶେଷ ଦୀପାବଳି । ପରିବାର,ସାଙ୍ଗସାଥୀ,ସମ୍ପର୍କୀୟ ସମସ୍ତେ ଜାଣିଛନ୍ତି ଯେ ୨୦୨୬ ର ଦୀପାବଳି ଦେଖିବାକୁ ତାଙ୍କ ପୁଅ ଆଉ ଦୁନିଆରେ ନଥିବ । ତଥାପି ପୁଅକୁ ଧୈର୍ଯ୍ୟ ଧରିବାକୁ ଏବଂ ରୋଗ ସହ ଲଢ଼ିବାକୁ ସାହାସ ଦେଉଛନ୍ତି । ଯୁବକ ନିଜ ଲେଖାରେ ଏଭଳି କିଛି ଲେଖିଛନ୍ତି ତାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଯାଇଛି । ଯେ କେହିବି ଏହି ପୋଷ୍ଟ୍ ପଢ଼ୁଛନ୍ତି ଭାବବିହ୍ବଳ ହେଉଛନ୍ତି । ଏହି ରେଡିଟ୍ ପୋଷ୍ଟ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ୟୁଜର୍ସ କମେଣ୍ଟ୍ କରି କହୁଛନ୍ତି ଯେ ଜୀବନ-ମୃତ୍ୟୁ ସହ ଲଢ଼େଇ କରି ନିଜ ହାର୍ ସ୍ବୀକାର କରୁଥିବା ମଣିଷଟିର ଭାଷା କେତେ ମର୍ମାହତ ତାହା ଏ ପୋଷ୍ଟରୁ ବାରି ହୋଇପଡୁଛି । ପୂରା ଦେଶ ଦୀପାବଳିର ଉତ୍ସବକୁ ପାଳନ କରିବା ପାଇଁ ଚାତକ ପରି ଚାହିଥିବା ବେଳେ ଭେଣ୍ଡିଆ ପୁଅଟି ହସ୍ପିଟାଲ୍ ବେଡରୁ ଅନ୍ତିମ ଆଲୋକର ପର୍ବ ଦେଖିବ ବୋଲି କହୁଛି । ସତରେ ନିଶ୍ବାସ କେତେ ବିଶ୍ବାସଘାତକ । ଏ ଜୀବନ କ୍ଷଣସ୍ଥାୟୀ ତା’ର ଆଭାସ ଯୁବକ କରିସାରିଛନ୍ତି ତେଣୁ ନିଜ ଲେଖାରେ କହିଛନ୍ତି , ‘‘ ଆସନ୍ତାବର୍ଷ ଏହି ସମୟ ବେଳକୁ ବୋଧହୁଏ ମୁଁ ସ୍ମୃତି ହୋଇ ରହିଯାଇଥିବି । ମୁଁ ଭ୍ରମଣ କରିବାକୁ ଚାହୁଥିଲି , କିଛି କାମ କରିବାକୁ ମୋର ଇଚ୍ଛା ଥିଲା , ଭବିଷ୍ୟତରେ ଗୋଟିଏ କୁକୁର କିଣିବାକୁ ବି ଇଚ୍ଛା ରଖିଥିଲି । କିନ୍ତୁ ଏବେ ସବୁ ଇଚ୍ଛା ଇଚ୍ଛାରେ ହିଁ ରହିଗଲା । ସମୟ ସରି ସରି ଆସୁଛି , ଇଚ୍ଛା ମରି ମରି ଯାଉଛି । ମୁଁ ଏବେ ଘରେ କୁଣିଆ ସାଜି ବସିଛି , ଡାକରା ଆସିଲେ ଚାଲିଯିବି ହେଲେ ମୋ ବାପା,ମା’ ମତେ ଛାଡ଼ିବାକୁ ନାରାଜ ; ସେମାନେ ମୋ ମୁହଁ ଚାହିଁ ମନ ଭିତରେ ଯାଆନାରେ ବୋଲି କହିଲେ ମଧ୍ୟ ମୁଁ ନିରୁପାୟ । ଯିବାକୁ ତ ମତେ ପଡ଼ିବ ହିଁ … ମନ ଭିତରର ଏ ଭାବନା କାହିଁକି ଲେଖୁଛି ଜଣାନାହିଁ କିନ୍ତୁ ମୃତ୍ୟୁ ଡାକରା ଆସିବା ପୂର୍ବରୁ କିଛି ଛାପ ଚୁପଚାପ୍ ଛାଡ଼ି ଯିବାକୁ ଚାହୁଛି ।’’
ଏହି ଭାଇରାଲ୍ ପୋଷ୍ଟ୍ ପଢ଼ିବା ପରେ ଅନେକ ୟୁଜର୍ସ ସୋସିଆଲ୍ ମିଡିଆରେ ଯୁବକଙ୍କୁ ନିଜ ସ୍ବାସ୍ଥ୍ୟର ଯତ୍ନ ନେବା ପାଇଁ କହିବା ସହ ଈଶ୍ବରଙ୍କ ପାଖରେ ପ୍ରାର୍ଥନା କରିବେ ବୋଲି କହିଛନ୍ତି । ଜଣେ ୟୁଜର୍ କହିଛନ୍ତି , ଆମେ ଜୀବନର ଆନନ୍ଦକୁ କେତେ ହାଲୁକାରେ ନେଉ , ଜୀବନକୁ କେବେ ଆମେ ବ୍ୟାପକ ରୂପରେ ଦେଖିନାହୁଁ । ଝଗଡ଼ା,କାମ,ଧାଁ ଦଉଡ଼,ଡିଗ୍ରି ,ଈର୍ଷା,ତୁଳନା କରିବା ଭଳି ମନ ମାନୁନଥିବା କାମ ଆମେ କରୁ । କିନ୍ତୁ ଜୀବନର ଅସଲ ସ୍ବାଦ ଚାଖିବା ବେଳକୁ ବହୁତ ଡେରୀ ହୋଇଯାଏ ।