କନକ ବ୍ୟୁରୋ: ୨୦୨୫ ବର୍ଷର ୬ ମାସ ବିତିଗଲାଣି । କିନ୍ତୁ ଗତ ୬ ମାସରେ ଯେଉଁ ସବୁ ଘଟଣା ଘଟିଛି ତାହାକୁ ଦଶନ୍ଧି ଦଶନ୍ଧି ଧରି ଭୁଲିବା ସହଜ ହେବନି । ସାରା ବିଶ୍ୱରେ ଯୁଦ୍ଧ ଭଳି ସ୍ଥିତି ରହିଛି । ବଡ଼ବଡ଼ ବିମାନ ଦୁର୍ଘଟଣା ଘଟିବାରେ ଲାଗିଛି । ବର୍ଷ ଆରମ୍ଭ ହେଉ ହେଉ କାଲିଫର୍ଣ୍ଣିଆ ଜଙ୍ଗଲରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କୁହାଯାଉଛି ବର୍ଷ ୨୦୨୫ର କ୍ୟାଲେଣ୍ଡର ୧୯୪୧ ମସିହା କ୍ୟାଲେଣ୍ଡର ସହ ସମ୍ପୂର୍ଣ୍ଣ ମେଳ ଖାଉଛି । ଯେମିତି ତାରିଖ, ସେମିତି ସପ୍ତାହ । ଘଟଣା ବି ପ୍ରାୟ ଏକ ପ୍ରକାରର ହିଁ ରହିଛି । ତେବେ ଏହା ପ୍ରଥମ ଥର ପାଇଁ ଘଟିନି, କିଛି ବର୍ଷର ଅନ୍ତରାଳରେ ଗୋଟିଏ କିମ୍ବା ଦୁଇଟି ବର୍ଷ କୌଣସି ଏକ ପୁରୁଣା ବର୍ଷ ସହ ମେଳ ଖାଇଥାଏ । ଏହାର ଅର୍ଥ ସପ୍ତାହ ଓ ଦିନ ଏକାପରି ହୋଇପାରେ ।
୧୯୪୧ ଓ ୨୦୨୫ ଦୁଇ ବର୍ଷରେ ବୈଶ୍ୱିକ ଅସ୍ଥିରତା ଓ ଯୁଦ୍ଧ ଭଳି ସ୍ଥିତି ରହିଛି, କିନ୍ତୁ ଘଟଣା ଗୁଡ଼ିକର ସ୍ୱରୂପ ଅଲଗା ରହିଛି । ଏହାଛଡ଼ା ଦୁଇଟି ବର୍ଷ ମେଳ ଖାଇବା କୌଣସି ନୂଆ କଥା ନୁହେଁ । ତେବେ ଏଭଳି କାହିଁକି ହୁଏ ?
୧୯୪୧ ଓ ୨୦୨୫ ବର୍ଷର ଜାନୁଆରି ୧ ତାରିଖ ବୁଧବାର ଦିନ ହିଁ ପଡ଼ିଥିଲା । ଗ୍ରେଗୋରିଆନ୍ କ୍ୟାଲେଣ୍ଡରରେ ଏଭଳି ଚକ୍ର ପ୍ରତି ୨୮ ବର୍ଷରେ ଦୋହରାଇଥାଏ । ଏହାଛଡ଼ା ବିଗତ ୧୦୦ ବର୍ଷ ମଧ୍ୟରେ ଅନେକ ଥର ପୁରୁଣା ବର୍ଷ ପରବର୍ତ୍ତୀ ବର୍ଷଗୁଡ଼ିକ ସହିତ ସମାନ ରହିଥିବା ନଜର ରହିଛି । ସମୟ ସମୟରେ ଘଟଣାବଳୀ ଓ ସ୍ଥିତି ଏକାଭଳି ହୋଇଯାଏ ।
୧୯୪୧ ଦ୍ୱିତୀୟ ବିଶ୍ୱଯୁଦ୍ଧ ପାଇଁ ଏକ ଭୟାନକ ବର୍ଷ ରହିଥିଲା । ଜର୍ମାନୀ ସୋଭିଏତ୍ ସଙ୍ଘ ଉପରେ ଆକ୍ରମଣ କରିଥିଲା । ଜାପାନ ପର୍ଲ ହାର୍ବର ଉପରେ ଆକ୍ରମଣ କରିଥିଲା । ଏହାପରେ ଆମେରିକାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସାମିଲ ହେବାକୁ ପଡ଼ିଥିଲା । ବିଶ୍ୱଯୁଦ୍ଧରେ ଦୁଇ ମହାଶକ୍ତି ସୋଭିଏତ ସଙ୍ଘ ଓ ଆମେରିକା ସାମିଲ ଥିବାରୁ ଏସିଆ ସମେତ ୟୁରୋପ ଉପରେ ଏହାର ପ୍ରଭାବ ପଡ଼ିଥିଲା । ଏହାପରେ ଅନେକ ଦେଶର ନକ୍ସା ହିଁ ବଦଳି ଯାଇଥିଲା । ହଲ୍ଚଲ୍ ହୋଇଯାଇଥିଲା ବିଶ୍ୱ ଅର୍ଥନୀତି ।
ଏବେ ଜାଣନ୍ତୁ ୨୦୨୫ ବର୍ଷ ଉପରେ । ଚଳିତ ବର୍ଷ ବି ସାରା ବିଶ୍ୱରେ ଯୁଦ୍ଧ ଭଳି ସ୍ଥିତି ଲାଗି ରହିଛି । ବିଗତ ଦଶକ ଗୁଡ଼ିକରେ ଏଭଳି ଯୁଦ୍ଧ ସ୍ଥିତି କେବେ ଦେଖାଯାଇନଥିଲା । ଗତ ୩ ବର୍ଷରୁ ଅଧିକ ସମୟ ହେଲା ଋଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ପହଲଗାମ ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ ହୋଇଛି । ବର୍ଷ ଆରମ୍ଭରୁ ହିଜବୁଲ୍ଲା ସଙ୍ଗଠନର ଏକ ପ୍ରକାର ଅନ୍ତ କରିଦେଇଥିଲା ଇସ୍ରାଏଲ୍ । ଏବେ ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି ।
କିନ୍ତୁ କୌଣସି ଦୁଇଟି ବର୍ଷରେ ଏକାଭଳି ଘଟଣା ଘଟିବାର ନା କୌଣସି ବୈଜ୍ଞାନିକ କାରଣ ଅଛି ନା ଅଛି ବୈଜ୍ଞାନିକ ତର୍କ । ପୁରୁଣା ବର୍ଷ ଗୁଡ଼ିକରେ ଘଟିଥିବା ଘଟଣାଗୁଡ଼ିକ ଯେ ମେଳ ଖାଉଥିବା ପରବର୍ତ୍ତୀ ବର୍ଷରେ ଘଟିବ ତାହା କୁହାଯାଇପାରିବ ନାହିଁ । ଯଦି ଏଭଳି ହୁଏ ତାହା କେବଳ ଏକ ସଂଯୋଗ ମାତ୍ର, ଆଉ କିଛି ନୁହେଁ ।