କନକ ବ୍ୟୁରୋ: ଜୟପୁର ସିରିଏଲ ବିସ୍ଫୋରଣ ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଜୟପୁରର ସ୍ୱତନ୍ତ୍ର କୋର୍ଟ ସୈଫୁର ରହମାନ, ମହମ୍ମଦ ସୈଫ, ମହମ୍ମଦ ସରୱାର ଆଜମୀ ଏବଂ ଶାହବାଜ ଅହମ୍ମଦକୁ ଦୋଷୀ ସାବ୍ୟସ୍ତ କରି ମଙ୍ଗଳବାର ଏହି ଦଣ୍ଡ ଘୋଷଣା କରିଛନ୍ତି । କୋର୍ଟ ୬୦୦ ପୃଷ୍ଠାରେ ତାଙ୍କର ରାୟ ପ୍ରଦାନ କରିଛନ୍ତି । ଗତ ୨୦୦୮ ମସିହା ମେ’ ୧୩ରେ ଜୟପୁରରେ ଗୋଟିଏ ପରେ ସିରିଜ ବିସ୍ଫୋରଣ ଘଟଣା ଘଟିଥିଲା । ଗୋଟିଏ ପରେ ଗୋଟିଏ ଆଠଟି ବୋମା ବିସ୍ଫୋରଣରେ ଚାଲି ଯାଇଥିଲା ନିରୀହ ଜୀବନ । ତେବେ ଚାନ୍ଦପୋଲ ବଜାରର ଏକ ମନ୍ଦିର ନିକଟରେ ଏକ ବୋମାକୁ ନିଷ୍କ୍ରିୟ କରାଯାଇଥିଲା । ସମଗ୍ର ଦେଶକୁ ଥରାଇ ଦେଇଥିବା ଏହି ସିରିଏଲ ବିସ୍ଫୋରଣରେ ୭୧ ଜଣ ପ୍ରାଣ ହରାଇଥିଲେ ଓ ୧୮୫ ଜଣ ଆହତ ହୋଇଥିଲେ । ଜୟପୁର ବୋମା ବିସ୍ଫୋରଣ ସହିତ ଜଡ଼ିତ ୮ଟି ଭିନ୍ନଭିନ୍ନ ମାମଲାରେ ଏହି ଚାରି ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ପରେ, ରାଜସ୍ଥାନ ହାଇକୋର୍ଟ ମାର୍ଚ୍ଚ ୨୦୨୩ରେ ସମସ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ତେବେ ଉକ୍ତ ଅଫୁଟା ବୋମା ସେମାନଙ୍କୁ ପୁଣି ଜେଲ୍‌ ଭିତରକୁ ଟାଣି ନେଇଛି । ୧୭ ବର୍ଷ ପୁରୁଣା ଏହି ମାମଲାରେ, ସରକାରୀ ଓକିଲ ୧୧୨ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ ଏବଂ ପ୍ରାୟ ୧୨୦୦ ଦସ୍ତାବିଜ କୋର୍ଟରେ ଉପସ୍ଥାପନ କରିଥିଲେ । ସମସ୍ତ ସାକ୍ଷୀ ଓ ଅନ୍ୟ ପ୍ରମାଣକୁ ଆଧାର କରି ସୁପ୍ରିମକୋର୍ଟ ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।