କନକ ବ୍ୟୁରୋ : ୨୦୦୬ ଜୁଲାଇ ୧୧ ତାରିଖ ସନ୍ଧ୍ୟା ୬.୨୪ । ୧୧ ମିନିଟ୍‌ରେ ମୁମ୍ୱାଇର ୭ଟି ଲୋକାଲ୍‌ ଟ୍ରେନରେ ବିସ୍ଫୋରଣ ହୋଇଥିଲା । ଏଥିରେ ୧୮୯ ଜଣ ପ୍ରାଣ ହରାଇଥିଲେ । ଆହତ ହୋଇଥିଲେ ୮୦୦ରୁ ଅଧିକ । ଅନେକ କ୍ଷୟକ୍ଷତି ଓ ସମ୍ପତ୍ତି ନଷ୍ଟ ହୋଇଥିଲା । ମାମଲାରେ ୧୩ ଜଣ ଅଭିଯୁକ୍ତ ଥିଲେ । ମହାରାଷ୍ଟ୍ରର ସ୍ୱତନ୍ତ୍ର ଅଦାଲତରେ ମାମଲାର ବିଚାର ଚାଲିଥିଲା । ୨୦୧୫ରେ ୧୨ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଆଜି ବମ୍ୱେ ହାଇକୋର୍ଟରେ ୧୨ଜଣ ଦୋଷମୁକ୍ତ ହୋଇଛନ୍ତି ।

Advertisment

ଏହି ମାମଲାରେ ମୋଟ ୧୩ ଜଣ ଅଭିଯୁକ୍ତ ଥିଲେ । ମହାରାଷ୍ଟ୍ରର ସ୍ୱତନ୍ତ୍ର ଅଦାଲତ ଜଣଙ୍କୁ ଦୋଷମୁକ୍ତ କରିଥିଲେ ଓ ୭ ଜଣଙ୍କୁ ଆଜୀବନ ଜେଲ୍ ଓ ୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଥିଲା । ମୃତ୍ୟୁଦଣ୍ଡ ପାଇଥିବା ୫ଜଣଙ୍କ ମଧ୍ୟରୁ ଜେଲରେ ଜଣଙ୍କର ମୃତ୍ୟୁ ହୋଇସାରିଛି । ଅବଶିଷ୍ଟ ୧୧ ଜଣଙ୍କ ଦଣ୍ଡାଦେଶ ନିଶ୍ଚିତ କରିବାକୁ ମାମଲା ବମ୍ୱେ ହାଇକୋର୍ଟକୁ ଯାଇଥିଲା । ଉପଯୁକ୍ତ ପ୍ରମାଣ ନଥିବା ଦର୍ଶାଇ ହାଇକୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି ।  

ଅନ୍ୟ ମାମଲା ନଥିଲେ ଏମାନେ ୨୫ ହଜାର ଟଙ୍କା ଲେଖାଏଁ ବ୍ୟକ୍ତିଗତ ମୁଚାଲିକାରେ ଜେଲ୍‌ରୁ ମୁକୁଳିପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ରାୟ ବିରୋଧରେ ମହାରାଷ୍ଟ୍ର ସରକାର ସୁପ୍ରିମ୍‌କୋର୍ଟକୁ ଯିବା ସମ୍ଭାବନା ଅଛି ।