କନକ ବ୍ୟୁରୋ: ଦୁଇ ହଜାର ବର୍ଷର ଐତିହ୍ୟ ସ୍ମାରକୀ ଶିଶୁପାଳଗଡ଼ ଏବେ ପରିଚୟ ହରାଇବାକୁ ବସିଛି । ସରକାରୀ ଅବହେଳା ଓ ଅଧିକାରୀଙ୍କ ଆନ୍ତରିକତା ନଥିବାରୁ ସେ ସମୟର କଳିଙ୍ଗନଗରୀ ମାଟି ତଳେ ସବୁ ଦିନ ପାଇଁ କବର ନେଉଛି । ବର୍ଷ ପରେ ବର୍ଷ ବିତୁଛି । ହେଲେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥାଇ ମଧ୍ୟ ଶିଶୁପାଳଗଡ଼ର ଜମି ଚିହ୍ନଟ ହୋଇପାରୁନି । ଅନ୍ୟପଟେ ଗଢ଼ି ଉଠୁଛି ବିରାଟ ବିରାଟ ଅଟ୍ଟାଳିକା ।

Advertisment

ତେବେ ୧୯୪୮ ମସିହା ଖନନରେ ଦୁଇ ହଜାର ବର୍ଷର ପୁରୁଣା ସହରକୁ ଠାବ କରିଥିଲା ଭାରତୀୟ ସର୍ବେକ୍ଷଣ ସଂସ୍ଥା ଏଏସ୍‌ଆଇ । ୧୯୫୦ ମସିହାରେ ୫୬୨.୬୮୧ ଏକର ବିଶିଷ୍ଟ ଏହି ଐତିହ୍ୟସ୍ଥଳୀ ଏବେ ମାତ୍ର ୭୭୫ ଡେସିମିଲ୍‌ରେ ସୀମିତ । ସରକାରୀ ଜମି ସହ ସ୍ଥିତିବାନ ଜମି ବାବଦକୁ କ୍ଷତିପୂରଣ ଦେଇ ଶିଶୁପାଳଗଡ଼କୁ ସରକାର ନିଜ ଦଖଲକୁ ନେବା ପାଇଁ ଦୀର୍ଘ ୭୫ ବର୍ଷ ହେବ ଦାବି କରୁଛନ୍ତି ଶିଶୁପାଳଗଡ଼ ବାସିନ୍ଦା । ବାରମ୍ବାର ଦାବି ସତ୍ତ୍ବେ ଏଏସ୍‌ଆଇ କୌଣସି ପଦକ୍ଷେପ ନେଉନାହିଁ । ଫଳରେ ଦିନକୁ ଦିନ ବିରାଟ ବିରାଟ କୋଠା ନିର୍ମାଣ ଯୋଗୁ ସଙ୍କୁଚିତ ହେଉଛି ଗଡ଼ ।

ବର୍ତ୍ତମାନ ୧୬ଟି ଖମ୍ବ ଥିବା ସ୍ଥାନ ମଧ୍ୟ ସ୍ଥିତିବାନ ସମ୍ପତ୍ତି । ଏହାର ମାଲିକ ମଧ୍ୟ ଜମି ନେଇଯିବାକୁ ସରକାରଙ୍କୁ ନିବେଦନ କରୁଛନ୍ତି । କିନ୍ତୁ ଏଏସ୍‌ଆଇ ନିରବ । ଅନ୍ୟପଟେ କ୍ଷୋଭ ପ୍ରକାଶ କରିଛନ୍ତି ଐତିହ୍ୟ ଗବେଷକ । ଯଦି ଏଏସ୍‌ଆଇ ତୁରନ୍ତ ପଦକ୍ଷେପ ନନେବ, ଆଉ କିଛି ଦିନ ଭିତରେ ଖାଲି ଥିବା ସ୍ଥାନରେ ମଧ୍ୟ କୋଠା ନିର୍ମାଣ ହୋଇଯିବ, ଏଥିରେ ସନ୍ଦେହ ନାହିଁ । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ କେବେ ପାଳନ ହେଉଛି, ତାହା ଦେଖିବାର କଥା ।