କନକ ବ୍ୟୁରୋ: ଓଡ଼ିଶାରେ ଟେଲରିଂ ଶିଳ୍ପ ଏକ ସକ୍ରିୟ କ୍ଷେତ୍ର । ପାରମ୍ପରିକ ହେଉ ଅବା ଆଧୁନିକ ଶୈଳୀ ସବୁ ପ୍ରକାରର ସିଲେଇ କରୁଛନ୍ତି ମହିଳା । ରାଜ୍ୟର କୋଣ ଅନୁକୋଣ ସବୁଠି ଟେଲରିଂ ସେଂଟର ଦେଖିବାକୁ ମିଳେ । ଭୁବନେଶ୍ବର ଓ ରାଉରକେଲା ଭଳି ସହରରେ ମଧ୍ୟ ଟେଲରିଂ ପାଇଁ ତାଲିମ କେନ୍ଦ୍ର ଓ ଦୋକାନ ରହିଛି । ଯହା ଲୋକଙ୍କ ଆବଶ୍ୟତାକୁ ପୂରଣ କରିପାରୁଛି । ତେବେ ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ଗୋପୀନାଥପୁର ଗାଁର ମହିଳା ମାନେ ଏଥିରୁ ବାଦ୍ ପଡ଼ିନାହାନ୍ତି । ଟେଲରିଂ ୟୁନିଟ୍ ଖୋଲି ଆତ୍ମନିର୍ଭରଶୀଳ ହୋଇଛନ୍ତି ୨୦୦ରୁ ଉର୍ଦ୍ଧ୍ବ ମହିଳା । ୨୦୧୮ରେ ୧୦ ଜଣ ମହିଳାଙ୍କୁ ନେଇ ଆରମ୍ଭ ହୋଇଥିଲା ମା’ ଅମ୍ବିକା ସ୍ବୟଂ ସହାୟକ ଗୋଷ୍ଠୀ । ୧୦ ଜଣ ମହିଳାଙ୍କ ମଧ୍ୟରେ ୩ ଜଣ ସିଲେଇ ଶିଖିଥିଲେ ।
୨୦୧୯ରେ ଏହି ଗୋଷ୍ଠୀକୁ ଉତ୍ପାଦିକା ଗୋଷ୍ଠୀ ଭାବେ ପରିଣତ କରାଗଲା । ମହିଳା ମାନେ କପଡ଼ା ସିଲେଇ କରିବା ସହ ଅନ୍ୟମାନଙ୍କୁ ସିଲେଇ ଶିକ୍ଷାର ତାଲିମ ଦେଉଛନ୍ତି । ଧୀରେ ଧୀରେ ଟେଲରିଂରେ ୨୨ଟି ସ୍ବୟଂ ସହାୟକ ଗୋଷ୍ଠୀର ୨୦୦ରୁ ଊର୍ଦ୍ଧ୍ବ ମହିଳା ସାମିଲ ହୋଇପାରିଛନ୍ତି । କପଡ଼ା ସିଲେଇ କରି ମହିଳା ମାନେ ମାସିକ ୫ ହଜାରରୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି । ଆର୍ଥିକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇ ପରିବାର ପ୍ରତିପୋଷଣରେ ସହାୟତା କରୁଛନ୍ତି । ଅଙ୍ଗନବାଡ଼ି, ସ୍କୁଲ ପିଲାଙ୍କ ପୋଷାକ ସହିତ କପଡ଼ାରେ ତିଆରି ବ୍ୟାଗ୍ ସିଲେଇ କରୁଛନ୍ତି । ସିଲେଇ କରିବା ପାଇଁ ଏକ ଘରର ବ୍ୟବସ୍ଥା କରାଗଲେ ମହିଳା ମାନେ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି ।