20 Years Serving Nature Photograph: (Kanak News)
କନକ ବ୍ୟୁରୋ: ପ୍ରକୃତି ପ୍ରେମୀ ମନୋଜ ଡlଗା । ନିଜର ଜୀବନ ପ୍ରକୃତି ମା'କୁ ସମର୍ପି ଦେଇଛନ୍ତି । ସମାଜସେବା, ପଶୁସେବା, ଗୋମାତାଙ୍କ ସେବା, ବୃକ୍ଷରୋପଣ ଏଥିରେ ଅଧା ସମୟ ବିତୁଛି । ଆଜି ପର୍ଯ୍ୟନ୍ତ ଥକି ନାହାନ୍ତି । ସାରା ଜୀବନ ପ୍ରକୃତିର ସେବା କରିବେ ବୋଲି କୁହନ୍ତି ।
ମନୋଜ ଡାଗା । ନାଁଟି ସାଧାରଣ ଲାଗୁଥାଇପାରେ, ହେଲେ ନାଁ ପଛରେ ଥିବ ମଣିଷଟା ଅସାଧାରଣ । ନିଜଠୁ ଅଧିକ ଗଛଲତା, ଜୀବଜନ୍ତୁ ଓ ପ୍ରକୃତି କଥା ଭାବୁଥିବା ମଣିଷଟିଏ । ୨୨ ବର୍ଷରେ ରକ୍ତ ଦାନରୁ ସ୍ଵେଚ୍ଛାସେବୀ ଜୀବନ ଆରମ୍ଭ କରିଥିଲେ, ସେବେଠୁ ପାଦ ଅଟକିନି । ସମଗ୍ର ଜୀବନ ପ୍ରକୃତିର ସେବା ପାଇଁ ଉତ୍ସର୍ଗ କରିଦେଇଛନ୍ତି ।
ପ୍ରକୃତିର ସେବକ ମନୋଜ
୨୦ ବର୍ଷ ଧରି କରୁଛନ୍ତି ସେବା
ମନୋଜଙ୍କ ଘର ନୂଆପଡା ଜିଲ୍ଲା ଖରିଆରରୋଡରେ । ଜଙ୍ଗଲ ସୁରକ୍ଷା ସହ ସମାଜସେବା, ପଶୁସେବା, ଗୋମାତାଙ୍କ ସେବା ସବୁ କ୍ଷେତ୍ରରେ ନିରନ୍ତର ଯୋଗଦାନ କରିଆସୁଛନ୍ତି । ତାଙ୍କର ମୁଖ୍ୟ ଆଭିମୁଖ୍ୟ ହେଉଛି ଜୀବ ଜଗତ ଓ ପ୍ରକୃତିର ସଂରକ୍ଷଣ ସୁନିଶ୍ଚିତ କରିବା । ବୃକ୍ଷରୋପଣ, ମାଗଣା ଚାରା ବଣ୍ଟନ ଓ ଖାଲି ଜମିରେ ଗଛ ଲଗାଇବା ଲାଗି ନର୍ସରିରୁ ବିହନ ସଂଗ୍ରହ କରି, ଚାରା ପ୍ରସ୍ତୁତ କରନ୍ତି । ପରେ, ସେଗୁଡ଼ିକୁ ରୋପଣ କରିବା ଲାଗି ମାଗଣା ବଣ୍ଟନ କରନ୍ତି ମନୋଜ । ନୂଆପଡା ବ୍ଲକର ପ୍ରାୟ ସବୁ ସ୍କୁଲରେ ଗଛ ଲଗାଇଛନ୍ତି । ଖାଲି ନୂଆପଡ଼ା କାହିଁକି, ସମଗ୍ର ଓଡ଼ିଶା, ଛତିଶଗଡ଼ରେ ମଧ୍ୟ ବୃକ୍ଷରୋପଣ କରିଛନ୍ତି ।
ପରିବେଶ ଓ ଜଙ୍ଗଲର ସୁରକ୍ଷା ପାଇଁ, ସେ ମଧ୍ୟପ୍ରଦେଶ ଛତରପୁରର ବକ୍ସୱାହା ବଚାଓ ଆନ୍ଦୋଳନ ଓ ହାସଦେଓ ବଚାଓ ଆନ୍ଦୋଳନରେ ଯୋଗ ଦେଇଥିଲେ । ଏହାପରେ ଜାତୀୟ ଜଙ୍ଗଲ ପ୍ରକୃତି ବଞ୍ଚାଅ ଅଭିଯାନ ଭାରତର ଜଣେ ମୁଖ୍ୟ ସଦସ୍ୟ ଭାବେ ସାମିଲ ହୋଇଥିଲେ । ଦିଲ୍ଲୀର ଯମୁନା ବଚାଓ ଆନ୍ଦୋଳନ, ହାସଦେଓ ବଚାଓ ଆନ୍ଦୋଳନ ପାଇଁ ଜନ୍ତରମନ୍ତରରେ ବସିଥିଲେ ମନୋଜ । ଗୟାରୁ ରାଜଗିର ପର୍ଯ୍ୟନ୍ତ ପିପଲ ଗଛ କରିଡର ନିର୍ମାଣରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ପ୍ରକୃତି ବଚାଓ ଆନ୍ଦୋଳନରେ ନେପାଳ, ପ୍ରୟାଗରାଜ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଅନ୍ୟାନ୍ୟ ଅନେକ ରାଜ୍ୟରେ ମଧ୍ୟ ଯାଇଥିଲେ।
ମନୋଜ ସବୁବେଳେ ଲୋକଙ୍କୁ ପ୍ରକୃତି ବିଷୟରେ ସଚେତନ କରି ଆସୁଛନ୍ତି । ତାଙ୍କ ମନରେ ସବୁବେଳେ ଗୋଟିଏ କଥା ପ୍ରକୃତିକୁ କିପରି ସୁସ୍ଥ ରଖିବେ ଏବଂ ଅଧିକରୁ ଅଧିକ ବୃକ୍ଷରୋପଣ କରିପାରିବେ । ସେଥିପାଇଁ ଯେଉଁଠିକି ବି ଯାଆନ୍ତି ଗଛ ଉପହାର ଦିଅନ୍ତି ।
Follow Us