କନକ ବ୍ୟୁରୋ : ହୀରାକୁଦ ଜଳଭଣ୍ଡାରରେ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ୩ ଲକ୍ଷ ୩୪ ହଜାର ୭୩୫ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି । ଆସନ୍ତାକାଲି ମୁଣ୍ଡଳିରେ ସାଢେ ୪ ଲକ୍ଷ କ୍ୟୁସେକ୍ ପାଣି ପହଞ୍ଚିବ । ଉପର ମୁଣ୍ଡରେ ଅଧିକ ବର୍ଷା ହେଲେ ଅଧିକ ଗେଟ୍ ଖୋଲିବା ନିଷ୍ପତ୍ତି ନିଆଯିବ । ତେବେ ଜଳଭଣ୍ଡାର ଜଳସ୍ତର କମୁଛି । ତେଣୁ ତଳ ମୁଣ୍ଡରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ଗତକାଲି ସମ୍ବଲପୁର ଜିଲ୍ଲାର ମହୁଲପାଲିରେ ବାଦଲ ଫଟା ବର୍ଷା ସହିତ ରାଜ୍ୟରେ ସର୍ବାଧିକ ୫୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିଲା ।
ହୀରାକୁଦର ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ବାମପଟରେ ୧୩ଟି ଓ ଡାହାଣ ପଟେ ୭ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ଏବେ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୦୯ ଦଶମିକ ୬୦ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୭୦ହଜାର ୮୯୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୩୫ ହଜାର ୫୩୮ କ୍ୟୁସେକ୍ ଜଳ । ସ୍ପିଲ୍ୱେ ପାଇଁ ୨ ଲକ୍ଷ ୯୬ ହଜାର ୭୨୦ କ୍ୟୁସେକ୍ ପାଣି ଯାଉଥିବା ବେଳେ ପାୱାର ଚେନାଲ ପାଇଁ ୩୫ ହଜାର ୧୧୮ କ୍ୟୁସେକ୍ ପାଣି ଛଡ଼ାଯାଉଛି । ହୀରାକୁଦ ନଦୀବନ୍ଧରେ ମୋଟ୍ ୯୮ଟି ଗେଟ୍ ରହିଛି । ଏଥିରୁ ୬୪ଟି ସ୍ଲୁଇସ୍ ଗେଟ୍ ଓ ୩୪ଟି କ୍ରେଷ୍ଟ ଗେଟ୍ ରହିଛି । ହୀରାକୁଦ ନଦୀବନ୍ଧରେ ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ।