କନକ ବ୍ୟୁରୋ : ୫-ଟି ନାଁରେ ସ୍କୁଲକୁ ସ୍ମାର୍ଟ କରିବାକୁ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥିଲେ ପୂର୍ବ ବିଜେଡି ସରକାର । ୫ଟି ଅଧିନରେ ହୋଇଥିବା ଏଥିରେ ମହାଦୁର୍ନୀତି ଧରିଛନ୍ତି ସିଏଜି । ୬ ଜିଲ୍ଲାରେ ରୂପାନ୍ତର ନାଁରେ ହରିଲୁଟ ହୋଇଥିବା ସିଏଜି ଧରିଛନ୍ତି ।
ନବୀନ ସରକାରଙ୍କ ସବୁଠୁ ଚର୍ଚ୍ଚିତ କାର୍ଯ୍ୟକ୍ରମ ଥିଲା ଫାଇଭ-ଟି । ସ୍କୁଲଗୁଡିକର ରୂପାନ୍ତରୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ତତ୍କାଳୀନ ସରକାର । କିନ୍ତୁ ୫ଟି ମହାଦୁର୍ନୀତିର ମହାକେଳେଙ୍କାରୀକୁ ଧରିଛି ସିଏଜି । ମାତ୍ର ୬ଟି ଜିଲ୍ଲାରେ ୯୦ କୋଟିରୁ ଅଧିକ ହେରଫର ହୋଇଥିବା ନେଇ ସିଏଜି ରିପୋର୍ଟରେ ଦର୍ଶାଇଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଗତ ଅକ୍ଟୋବର ୨୦୨୪ରୁ ମାର୍ଚ୍ଚ ୨୦୨୫ ଯାଏଁ ଗ୍ରାଉଣ୍ଡରେ ଖୋଳତାଡ଼ କରିଥିଲା ସିଏଜି । ଯେଉଁଠି ଡେସ୍କ କିଣାବିକାଠୁ ଆରମ୍ଭ କରି କଳାପଟା ଯାଏଁ ବିଭିନ୍ନ ଆସବାବପତ୍ର କିଣାରେ ବଡ଼ଧରଣର ହେରଫେର ହୋଇଛି । ବିଶେଷକରି ୬ଟି ଜିଲ୍ଲାରେ ଦୁର୍ନୀତିର ଧଜିଆ ଉଡିଛି । କଟକ, ବାଲେଶ୍ୱର, ଗଞ୍ଜାମ, ଯାଜପୁର, କେନ୍ଦୁଝର ଓ ସୁନ୍ଦରଗଡରେ ରୂପାନ୍ତର ନାଁରେ ଟଙ୍କା ହରିଲୁଟ ହୋଇଥିବା ଉଲ୍ଲେଖ ରହିଛି ।
ସିଏଜି ରିପୋର୍ଟରେ ଦର୍ଶାଇଛି, ୫ଟି ଉନ୍ନତୀକରଣ ଆଳରେ ହୋଇଛି ଅଦରକାରୀ ଖର୍ଚ୍ଚ । ଖୋଦ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲାରେ ବଡ଼ ହେରଫର ହୋଇଥିବା ସାମ୍ନାକୁ ଆସିଛି । ଗଭର୍ଣ୍ଣିଂ କାଉନ୍ସିଲର ବିନା ଅନୁମୋଦନରେ ଖର୍ଚ୍ଚ ହୋଇଛି ଅର୍ଥ । ପ୍ରତି ସ୍କୁଲକୁ ୬୦ ଲକ୍ଷ ଟଙ୍କା ଦେବାକୁ ଥିଲା ନିୟମ । ଗଞ୍ଜାମର ୪୨ ସ୍କୁଲକୁ ଦିଆଯାଇଛି ୧୮ କୋଟି ୯୩ ଲକ୍ଷ ଟଙ୍କା ନିୟମ ଅନୁସାରେ ଦେବାର ଥିଲା ୧୨ କୋଟି ୬୦ ଲକ୍ଷ ଟଙ୍କା । ବେନିୟମ ଭାବେ ଦିଆଯାଇଛି ଅଧିକ ୬ କୋଟି ୩୩ ଲକ୍ଷ ଟଙ୍କା ବାହାରୁ ମନଇଚ୍ଛା ସାମଗ୍ରୀ କିଣିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ସେପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, କଣ ଦୁର୍ନୀତି ହୋଇଛି ତର୍ଜମା କରାଯିବ ।
୨୦୨୦ ମସିହାରେ ଆରମ୍ଭ ହୋଇଥିଲା ଫାଇଭ-ଟି କାର୍ଯ୍ୟକ୍ରମ । ଏଥିପାଇଁ ୮ ହଜାର ୭ ଶହ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲଗୁଡିକୁ ସ୍ମାର୍ଟ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏବେ ପ୍ରଶ୍ନ ଉଠୁଛି, ୬ଟି ଜିଲ୍ଲାର ୫ଟି ସ୍କୁଲରେ ୯୦କୋଟି ହୋଇଥିଲେ, ସମୁଦାୟ କେତେ ଦୁର୍ନୀତି ହୋଇଛି ? ସିଏଜି ରିପୋର୍ଟ ସାମ୍ନାକୁ ଆସିବା ପରେ ପୂରା ଦୁର୍ନୀତିର ଖୋଳତାଡ଼ କରିବେ କି ସରକାର ? ଯେଉଁ ଅଧିକାରୀ ଏଥିରେ ସଂପୃକ୍ତ ଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ତ ?